ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତରେ ରାଜନୈତିକ ଦଳଙ୍କ ପାଇଁ ହୋଇଥିବା ନିର୍ବାଚନୀ ବଣ୍ଡ ମାମଲାରେ ସୋମବାର ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ। ଏଥିରେ ସୁପ୍ରିମକୋର୍ଟ ଭାରତୀୟ ଷ୍ଟେଟ ବ୍ୟାଙ୍କକୁ (ଏସବିଆଇ) ବଡ଼ ଝଟକା ଦେଇଛନ୍ତି। ଏସବିଆଇକୁ ମଙ୍ଗଳବାର ମାର୍ଚ୍ଚ ୧୨ ତାରିଖ ସୁଦ୍ଧା ନିର୍ବାଚନୀ ବଣ୍ଡର ସବୁ ତଥ୍ୟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାସହ ଶୁଣାଣି ବେଳେ ତଥ୍ୟ ଦାଖଲ ଲାଗି ବ୍ୟାଙ୍କ ଅଧିକ ସମୟ ମାଗିଥିବା ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଛନ୍ତି।

ନିର୍ବାଚନୀ ବଣ୍ଡର ସବୁ ତଥ୍ୟକୁ ନିର୍ବାଚନ ଆୟୋଗଙ୍କ ନିକଟରେ ଦାଖଲ କରିବା ପାଇଁ ଜୁନ୍‌ ୩୦ ତାରିଖ ପର୍ଯ୍ୟନ୍ତ ସମୟ ମାଗିଥିଲା ଏସବିଆଇ। ହେଲେ ସୋମବାର ଶୁଣାଣି ବେଳେ ଗତ ୨୬ ଦିନରେ ବ୍ୟାଙ୍କ କ’ଣ କରିଛି ତାହାର ଜବାବ ମାଗିଥିଲେ ସୁପ୍ରିମକୋର୍ଟ।

ମଙ୍ଗଳବାର ସୁଦ୍ଧା ନିର୍ବାଚନୀ ବଣ୍ଡର ସବୁ ତଥ୍ୟ ନଦେଲେ ଏସବିଆଇ ଉପରେ ଅଦାଲତ ଅବମାନନା ମାମଲା ଚାଲିବ ବୋଲି ସୁପ୍ରିମକୋର୍ଟ ଚେତାବନୀ ଦେଇଛନ୍ତି।

ଫେବ୍ରୁଆରି ୧୫ ତାରିଖରେ ସୁପ୍ରିମକୋର୍ଟ ନିର୍ବାଚନୀ ବଣ୍ଡ ବ୍ୟବସ୍ଥାକୁ ଅସାମ୍ବିଧାନିକ ବୋଲି କହି ଏହାକୁ ରଦ୍ଦ କରିଥିଲେ। ପ୍ରଧାନ ବିଚାରପତି ଜଷ୍ଟିସ୍ ଡି.ୱାଇ ଚନ୍ଦ୍ରଚୁଡଙ୍କ ନେତୃତ୍ୱରେ ଗଠିତ ପାଞ୍ଚ ଜଣିଆ ଖଣ୍ଡପୀଠ ଏହି ମାମଲାରେ ଶୁଣାଣି କରିଥିଲେ।

ଏଥିରେ ମାର୍ଚ୍ଚ ୬ ତାରିଖ ସୁଦ୍ଧା ଏ ଯାଏଁ ହୋଇଥିବା ନିର୍ବାଚନୀ ବଣ୍ଡ କିଣାବିକାର ସମସ୍ତ ବିବରଣୀ ପ୍ରଦାନ କରିବାକୁ ଏସବିଆଇକୁ ନିର୍ଦ୍ଦେଶ ଦିଆଯାଇଥିଲା। ହେଲେ ମାର୍ଚ୍ଚ ୪ ତାରିଖରେ ବ୍ୟାଙ୍କ ସୁପ୍ରିମକୋର୍ଟରେ ଜୁନ ୩୦ ଯାଏଁ ସମୟ ବଢ଼ାଇବା ପାଇଁ ଆବେଦନ କରି ଏହାକୁ ପାଳନ କରିନଥିଲା।  

Tags: #SupremeCourt #ElectoralBond #PoliticalParties #SBI #India

LEAVE A REPLY

Please enter your comment!
Please enter your name here