ଓଡ଼ିଶାଲାଇଭ୍ ବ୍ୟୁରୋ

supreme-court-

ନିର୍ବାଚନୀ ବଣ୍ଡ ମାମଲାରେ ଭାରତୀୟ ଷ୍ଟେଟ ବ୍ୟାଙ୍କକୁ (ଏସବିଆଇ) ପୁଣି ଲାଗିଛି ଝଟକା। ସୋମବାର ମାମଲାର ଶୁଣାଣି ବେଳେ ଏସବିଆଇ ଉପରେ ବର୍ଷିଛନ୍ତି ସୁପ୍ରିମକୋର୍ଟ। ଏସବିଆଇକୁ ଗୁରୁବାର ସନ୍ଧ୍ୟା ୫ଟା ସୁଦ୍ଧା ନିର୍ବାଚନୀ ବଣ୍ଡର ୟୁନିକ୍ ନମ୍ବରର ସବୁ ତଥ୍ୟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।

ଗତ ସପ୍ତାହରେ ଏସବିଆଇ ପକ୍ଷରୁ ନିର୍ବାଚନୀ ବଣ୍ଡର ତଥ୍ୟ ନିର୍ବାଚନ ଆୟୋଗଙ୍କ ନିକଟରେ ଦାଖଲ କରାଯାଇଥିଲା। ହେଲେ ସବୁ ବଣ୍ଡର ୟୁନିକ୍ ନମ୍ବରର ତଥ୍ୟ ଦିଆଯାଇନଥିଲା। ପ୍ରଧାନ ବିଚାରପତି ଜଷ୍ଟିସ୍ ଡି.ୱାଇ ଚନ୍ଦ୍ରଚୁଡଙ୍କ ନେତୃତ୍ୱରେ ଗଠିତ ପାଞ୍ଚ ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରିବାବେଳେ ଏହାକୁ ନେଇ ଏସବିଆଇକୁ ପ୍ରଶ୍ନ କରିଥିଲେ। ଏସବିଆଇ ୟୁନିକ୍ ନମ୍ବର ପ୍ରକାଶ କରିବାକୁ ବାଧ୍ୟ ବୋଲି ସୁପ୍ରିମକୋର୍ଟ କହିଥିଲେ।

ନିର୍ବାଚନୀ ବଣ୍ଡର ୟୁନିକ୍ ନମ୍ବର ମାଧ୍ୟମରେ କେଉଁ ବ୍ୟକ୍ତି କେଉଁ ରାଜନୈତିକ ଦଳକୁ ଅର୍ଥ ଦାନ କରିଛନ୍ତି ତାହା ସହଜରେ ଜଣାପଡ଼ିବ। ହେଲେ ନିର୍ଦ୍ଦେଶ ଦିଆଯିବା ସତ୍ତ୍ଵେ ମଧ୍ୟ କାହିଁକି ସମସ୍ତ ତଥ୍ୟ ଦିଆଗଲା ନାହିଁ, ସେନେଇ ଏସବିଆଇକୁ ତାଗିଦ କରିଥିଲେ ସୁପ୍ରିମକୋର୍ଟ। ଏଥିଲାଗି ଏବେ ବ୍ୟାଙ୍କକୁ ଗୁରୁବାର ଯାଏଁ ସମୟ ଦିଆଯାଇଛି।

ଫେବ୍ରୁଆରି ୧୫ ତାରିଖରେ ସୁପ୍ରିମକୋର୍ଟ ନିର୍ବାଚନୀ ବଣ୍ଡ ବ୍ୟବସ୍ଥାକୁ ଅସାମ୍ବିଧାନିକ ବୋଲି କହି ଏହାକୁ ରଦ୍ଦ କରିଥିଲେ। ପ୍ରଧାନ ବିଚାରପତି ଜଷ୍ଟିସ୍ ଡି.ୱାଇ ଚନ୍ଦ୍ରଚୁଡଙ୍କ ନେତୃତ୍ୱରେ ଗଠିତ ପାଞ୍ଚ ଜଣିଆ ଖଣ୍ଡପୀଠ ଏହି ମାମଲାରେ ଶୁଣାଣି କରିଥିଲେ।

ଏଥିରେ ମାର୍ଚ୍ଚ ୬ ତାରିଖ ସୁଦ୍ଧା ଏ ଯାଏଁ ହୋଇଥିବା ନିର୍ବାଚନୀ ବଣ୍ଡ କିଣାବିକାର ସମସ୍ତ ବିବରଣୀ ପ୍ରଦାନ କରିବାକୁ ଏସବିଆଇକୁ ନିର୍ଦ୍ଦେଶ ଦିଆଯାଇଥିଲା। ହେଲେ ମାର୍ଚ୍ଚ ୪ ତାରିଖରେ ବ୍ୟାଙ୍କ ପକ୍ଷରୁ ଜୁନ ୩୦ ଯାଏଁ ସମୟ ବଢ଼ାଇବା ପାଇଁ ସୁପ୍ରିମକୋର୍ଟରେ ଆବେଦନ କରାଯାଇଥିଲା। ସୁପ୍ରିମକୋର୍ଟ ଏହାକୁ ଖାରଜ କରି ମାର୍ଚ୍ଚ ୧୨ ସୁଦ୍ଧା ସବୁ ତଥ୍ୟ ଦେବାକୁ ନିର୍ଦ୍ଦେଶ ଦେଇଥିଲେ।  

Tags: #SupremeCourt #ElectoralBond #PoliticalParties #SBI #India

LEAVE A REPLY

Please enter your comment!
Please enter your name here