
ଓଡ଼ିଶାଲାଇଭ୍ ବ୍ୟୁରୋ
- ପୁରୀ ସହର ସମେତ ଜିଲାର ଅନେକ ଅଂଚଳରେ ଯୋଗାଯୋଗ ବିଛିନ୍ନ
- ବିଜୁଳି ଓ ଟେଲିଫୋନ ସଂଯୋଗ ଠପ୍
- ଯୋଗାଯୋଗ ଅଭାବରୁ ଫନିର କ୍ଷୟକ୍ଷତିର ସମ୍ପୂର୍ଣ୍ଣ ଚିତ୍ର ପାଇପାରିନାହିଁ ପ୍ରଶାସନ
- ମୃତାହତଙ୍କ ସମ୍ପର୍କରେ ସ୍ପଷ୍ଟ ଚିତ୍ର ମିଳିପାରୁ ନାହିଁ
- ଭୁବନେଶ୍ୱର ସହରରେ ମଧ୍ୟ ଯୋଗାଯୋଗ ଏବଂ ମୋବାଇଲସେବା ସାଙ୍ଘାତିକ ଭାବେ ବାଧାପ୍ରାପ୍ତ
ସାମୁଦ୍ରିକ ଝଡ଼ ଫନି ଓଡ଼ିଶାରେ ରଚିଛି, ଅବିଶ୍ୱସନୀୟ ତାଣ୍ଡବ। ଏହାର ପ୍ରଭାବରେ ପୁରୀ ଜିଲ୍ଲା ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି। ରାଜ୍ୟର ଅନ୍ୟ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକ ମଧ୍ୟରେ ଗଞ୍ଜାମ, ଜଗତସିଂହପୁର ଏବଂ କେନ୍ଦ୍ରାପଡ଼ା ଆଦି ଅଂଚଳରେ ଏହା ମଧ୍ୟ କ୍ଷତି ଘଟାଇଛି।
ଫନି ପ୍ରଭାବରେ ପୁରୀ ସହର କ୍ଷତିଗ୍ରସ୍ତ ହୋଇଛି। ମୋବାଇଲ ସେବା ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି। ତେବେ କ୍ଷୟକ୍ଷତିର ନିର୍ଦ୍ଦିଷ୍ଟ ଚିତ୍ର ଆଜି ମିଳିପାରିନାହିଁ।
ପୁରୀ ଆଖପାଖ ଅଂଚଳରୁ ମିଳିଥିବା ସୂଚନା ଅନୁଯାୟୀ ଜିଲ୍ଲାର ଫନି ପ୍ରଭାବିତ ଅଂଚଳରେ ଅଧିକାଂଶ ଚାଳ ଘର ଛପର ଉଡିଯାଇଛି। ସେହିପରି ଲୋକଙ୍କ ଟିଣ ଛପର ଘର ମଧ୍ୟ ବିଶେଷ ଭାବରେ ପ୍ରଭାବିତ ହୋଇଛି। ଫଳରେ ଜିଲ୍ଲାର ହଜାର ହଜାର ପରିବାର ସମ୍ପୂର୍ଣ୍ଣ ବାସହରା ହୋଇଯାଇଛନ୍ତି।
ହଜାର ହଜାର ନଡିଆ ଗଛ ଭାଙ୍ଗିଯାଇଛି। ବିଭିନ୍ନ ସ୍ଥାନରେ ବଡ ବଡ ଗଛ ଉପୁଡି ପଡିବା ଫଳରେ ଯୋଗାଯୋଗ ବିଛିନ୍ନ ରହିଛି।
ଶୁକ୍ରବାର ଦିନ ସକାଳ ଆଠଟାରୁ ଫନିର ପ୍ରଭାବ ଆରମ୍ଭ ହୋଇଥିଲା। ପାଣିପାଗ ବିଭାଗର ସୂଚନା ଅନୁଯାୟୀ ପୁରୀ ସହରଠାରୁ ଅଳ୍ପ ଦୂରରେ ଫନି ଲ୍ୟାଣ୍ଡଫଲ୍ କରିଥିଲା। ସକାଳ ନଅଟା ବେଳକୁ ଏହାର ପ୍ରଭାବ ତୀବ୍ର ହୋଇଥିଲା। ଦିନ ପ୍ରାୟ ସାଢେ ଏଗାର ପର୍ଯ୍ୟନ୍ତ ଫନି ଭୟଙ୍କର ତାଣ୍ଡବ ରଚିଥିଲା। ଏହାର ପ୍ରଭାବରେ ପୁରୀ ସହର ଆଖ ପାଖରେ ୧୭୫ କିଲୋମିଟର ପର୍ଯ୍ୟନ୍ତ ବେଗରେ ପବନ ବହିଥିଲା। ସେହିପରି ଭୁବନେଶ୍ୱର ସହର ଓ ଏହାର ଆଖପାଖ ଅଂଚଳରେ ମଧ୍ୟ ବାତ୍ୟା ଭୟଙ୍କର ରୂପ ନେଇଥିଲା। ଏହି ସବୁସ୍ଥାନରେ ଘଣ୍ଟା ପ୍ରତି ୧୨୦ କିଲୋମିଟର ବେଗରେ ପବନ ବହିଥିବା ଆକଳନ କରାଯାଇଛି।
ପୁରୀ ଜିଲ୍ଲାରେ ତାଣ୍ଡବ ରଚି ଫନି ପଶ୍ଚିମବଙ୍ଗ ଆଡ଼କୁ ମୁହାଁଇଥିଲା। ଏହାର ପ୍ରଭାବରେ ଖୋର୍ଦ୍ଧା, କଟକ, ଯାଜପୁର, ଭଦ୍ରକଓ ବାଲେଶ୍ୱର ଜିଲାର ବିଭିନ୍ନ ସ୍ଥାନରେ ମଧ୍ୟ କ୍ଷୟକ୍ଷତି ହୋଇଥିବା ଜଣା ପଡିଛି।
ଏନଡିଆରଏଫ, ଓଡ୍ରାଫ ଏବଂ ଅଗ୍ନିଶମ ବିଭାଗର ଜବାନମାନଙ୍କ ସହଯୋଗରେ ବିଭିନ୍ନ ସ୍ଥାନରେ ଗଛ କାଟି ରାସ୍ତା ସଫା କରାଯାଇଛି, ଏହି କାମ ଯୁଦ୍ଧକାଳୀନ ଭିତ୍ତିରେ କରାଯାଉଛି। ଫନି ପ୍ରଭାବିତ ଅଂଚଳରେ ପୁନରୁଦ୍ଧାର କାର୍ଯ୍ୟ ଚାଲିଥିବା ବେଳେ ରିଲିଫ ମଧ୍ୟ ଆରମ୍ଭ କରାଯାଇଛି। ବିଭିନ୍ନ ସ୍ଥାନରୁ ଲୋକଙ୍କୁ ଆଣି ବାତ୍ୟା ଆଶ୍ରୟସ୍ଥଳ, ସ୍କୁଲ, କଲେଜ୍ ତଥା ବିଭିନ୍ନ ସୁରକ୍ଷିତ ସ୍ଥାନରେ ରଖାଯାଇଛି।
ଶୁକ୍ରବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରିଲିଫ ଓ ପୁନରୁଦ୍ଧାର କାର୍ଯ୍ୟର ସମୀକ୍ଷା କରିଥିଲେ। ଏହି ବାତ୍ୟାରେ ପୁରୀ ସହର ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସହର ଏବଂ ଏହାର ଆଖପାଖ ଅଂଚଳରେ ବିଜୁଳି ଏବଂ ଟେଲିଫୋନ ସେବା ଜନିତ ଭିତ୍ତିଭୂମି ଭୟଙ୍କର ଭାବରେ ପ୍ରଭାବିତ ହୋଇଛି।
ଫନିର ପ୍ରଭାବ ୯୯ ମହାବାତ୍ୟାଠାରୁ କିଛି କମ୍ ନୁହେଁ ବୋଲି ଏହାକୁ ଅଙ୍ଗେ ନିଭାଇଥିବା ଲୋକେ କହିଛନ୍ତି। ବାତ୍ୟା ପ୍ରଭାବରେ ମୋବାଇଲ, ଇଣ୍ଟରନେଟ ଏବଂ ବିଭିନ୍ନ ଟେଲିଭିଜନ ଚ୍ୟାନେଲର ସ୍ୟାଟେଲାଇଟ ସଂଯୋଗ ବାଧାପ୍ରାପ୍ତ ହୋଇଛି। ଫଳରେ ଫନିର ଅସଲ କ୍ଷୟକ୍ଷତି ବାବଦରେ କୌଣସି ଗଣମାଧ୍ୟମରେ ବିଶେଷ ଚିତ୍ର ଆସିପାରିନାହିଁ। ଆଗାମୀ ଦୁଇତିନିଦିନ ମଧ୍ୟରେ ଏହି ମହାତାଣ୍ଡବର ଅସଲ ଚିତ୍ର ଲୋକ ଲୋଚନକୁ ଆସିବ।














