ଓଡ଼ିଶାଲାଇଭ୍ ବ୍ୟୁରୋ

୧୯୯୯ ମସିହା ଅକ୍ଟୋବର ୨୯। ଉପକୂଳ ଓଡ଼ିଶାରେ ତାଣ୍ଡବ ରଚିଥିଲା ମହାବାତ୍ୟା। ଏହି ମହାବାତ୍ୟା ଜଗତସିଂହପୁର ଜିଲ୍ଲାରେ ଅଧିକାଂଶ ପରିବାରକୁ ଉଜାଡ଼ି ଦେଇଥିଲା। କେଉଁଠି ମା’ କୋଳରୁ ପୁଅକୁ ଛଡ଼ାଇ ନେଇଥିଲା ତ ଆଉ କେଉଁଠି ସ୍ୱାମୀ, ସ୍ତ୍ରୀଙ୍କୁ ଅଲଗା କରିଦେଇଥିଲା। ସେ କାଳ ରାତିର ହୃଦୟବିଦାରକ ଘଟଣା ମନେ ପଡ଼ିଗଲେ ଆଜି ବି ଉପକୂଳ ଓଡ଼ିଶାବାସୀଙ୍କ ଲୋମ ଟାଙ୍କୁରି ଉଠେ।

ଏହାରି ମଧ୍ୟରେ ଆଜି ମହାବାତ୍ୟାକୁ ୨୨ ବର୍ଷ ପୂରିଛି। ୨୨ ବର୍ଷ ଭିତରେ ରାଜ୍ୟରେ ଅନେକ କିଛି ପରିବର୍ତ୍ତନ ହୋଇଛି, କେତେ ପ୍ରାକୃତିକ ବିପର୍ଯ୍ୟୟ ଦେଖିଛି ଓଡ଼ିଶା। କିନ୍ତୁ ଅକ୍ଟୋବର ୨୯ ତାରିଖ ଆସିଲେ ମହାବାତ୍ୟାକୁ ଅଙ୍ଗେ ନିଭାଇଥିବା ଲୋକଙ୍କ ଆଖିରେ ଲୁହ ଜକେଇ ଆସେ। ସେଦିନର କାଳରାତିକୁ ଆଜି ବି ଲୋକେ ଭୁଲିପାରୁ ନାହାନ୍ତି।

ମହାବାତ୍ୟା ପରେ ଫାଇଲିନ୍, ହୁଡ୍‌ହୁଡ୍‌, ତିତ୍‌ଲି, ଫନି, ଅମ୍ଫନ, ୟାସ୍ ଭଳି ବାତ୍ୟାକୁ ଓଡ଼ିଶାବାସୀ ସାମ୍ନା କରିଛନ୍ତି। କିନ୍ତୁ ୧୯୯୯ ମହାବାତ୍ୟା ଯେଉଁ ଦାରୁଣ ଦୁଃଖ ଦେଇ ଯାଇଥିଲା ତାହା ଉପକୂଳ ଓଡ଼ିଶାବସୀଙ୍କ ମନରୁ ପାସୋର ହେଉନି।

୧୯୯୯ ଅକ୍ଟୋବର ୨୫ ତାରିଖରେ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିଲା ଏକ ଘୂର୍ଣ୍ଣିବଳୟ। ଏହା ଅତ୍ୟନ୍ତ ଉଗ୍ରରୂପ ଧାରଣ କରି ଉତ୍ତର-ପଶ୍ଚିମ ଦିଗରେ ଓଡ଼ିଶା ଉପକୂଳ ଆଡ଼କୁ ମାଡ଼ି ଆସିଥିଲା। ୨୬ ତାରିଖରେ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଏଥିଲାଗି ଆଲର୍ଟ ଜାରି କରାଯାଇଥିଲା। ୨୭ ତାରିଖରେ ଘୂର୍ଣ୍ଣିବଳୟଟି ବଙ୍ଗୋପସାଗରରେ ପହଞ୍ଚିବା ପରେ ଓଡ଼ିଶା ଉପକୂଳକୁ ଆଲର୍ଟ କରାଯାଇଥିଲା। ଘୂର୍ଣ୍ଣିବଳୟଟି ପ୍ରଚଣ୍ଡ ବେଗରେ ବଳ ଗୋଟାଇ କରାଳ ରୂପ ଧାରଣ କରି ପାରାଦୀପ ଅଭିମୁଖେ ମାଡ଼ି ଆସିଥିଲା, ଆଉ ଅକ୍ଟୋବର ୨୯ ରାତିରେ ପାରାଦୀପରେ ଲ୍ୟାଣ୍ଡଫଲ୍ କରିଥିଲା ଏହି ମହାବାତ୍ୟା। ଜଗତ୍‌ସିଂହପୁର ସମେତ ଅଧା ଓଡ଼ିଶା ଛାରଖାର ହୋଇ ଯାଇଥିଲା ମାହାବାତ୍ୟାର ତାଣ୍ଡବରେ।

ବିଶେଷକରି ଜଗତ୍‌ସିଂହପୁର ଜିଲ୍ଲାର ଏର୍‌ସମା ଏବଂ ବାଲିକୁଦାରେ ତାଣ୍ଡବ ରଚିଥିଲା ମହାବାତ୍ୟା। ଘଣ୍ଟାକୁ ପାଖାପାଖି ୨୫୦ କିଲୋମିଟରରୁ ଅଧିକ ବେଗରେ ପବନ ବହିବାରୁ ସେ ଅଞ୍ଚଳର ସବୁ ଗାଁ ନିଶ୍ଚିହ୍ନ ହୋଇଯାଇଥିଲା।ମହାବାତ୍ୟାରେ ସେତେବେଳେ ରାଜ୍ୟର ପ୍ରାୟ ୧୦ ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିଲା। ପ୍ରାୟ ୧.୫ ନିୟୁତ ଲୋକ ବାସହୀନ ହୋଇଥିଲେ। ରହିବା ପାଇଁ ନା ଘର ଥିଲା, ନା ବଞ୍ଚିବା ପାଇଁ ଖାଦ୍ୟ। ପବନରେ ବିରାଟ ବିରାଟ ଗଛ ରାସ୍ତା ଉପରେ ଲୋଟି ପଡ଼ିଥିଲେ। ଫଳରେ ବ୍ୟାତ୍ୟା ପ୍ରଭାବିତ ଲୋକଙ୍କ ପାଖକୁ ରିଲିଫ୍ ସାମଗ୍ରୀ ପହଞ୍ଚାଇବା ମଧ୍ୟ କେତେକ ସ୍ଥାନରେ ସମ୍ଭବ ହୋଇ ନଥିଲା।ଏବେ ଯେମିତି ସୋସିଆଲ ମିଡିଆ ଏବଂ ମିଡିଆର ବହୁଳ ବ୍ୟବହାର ହେଉଛି ସେତେବେଳେ ଏହାର ସୁଯୋଗ ନଥିଲା। ତେଣୁ ଲୋକମାନେ ମହାବାତ୍ୟା ସମ୍ପର୍କରେ ପୂର୍ବ ସୂଚନା ଭଲ ଭାବେ ଜାଣିପାରି ନଥିଲେ। ଯଦିଓ ପ୍ରଶାସନ ପକ୍ଷରୁ କିଛି ସ୍ଥାନରେ ସଚେତନ କରାଯାଇଥିଲା ତେବେ ଲୋକଙ୍କ ଜୀବନ ବଞ୍ଚି ପାରିଥିଲା ସିନା ହେଲେ ଘରବାଡ଼ି, ଧନସମ୍ପତି ସବୁ ଉଜୁଡ଼ି ଯାଇଥିଲା। ଓଡ଼ିଶାବାସୀଙ୍କ ଆର୍ଥିକ ମେରୁଦଣ୍ଡକୁ ଦୋହଲାଇ ଦେଇଥିଲା ମହାବାତ୍ୟା।

୧୯୯୯ ମସିହା ବାତ୍ୟା ପରେ ଅନେକ ବାତ୍ୟାକୁ ଦେଖିଛି ଓଡ଼ିଶା। କିନ୍ତୁ ୨୨ ବର୍ଷ ତଳେ ଓଡ଼ିଶା ଛାତିରେ ପ୍ରକୃତି ଯେଉଁ ତାଣ୍ଡବ ରଚିଥିଲା ତାହା ଆଜି ବି ମନରେ ସତେଜ ହୋଇ ରହିଛି।

Comment