ଓଡ଼ିଶାଲାଇଭ୍ ବ୍ୟୁରୋ

ବୁଧବାର ଦିନ ମାଡ଼ କରିବାକୁ ଥିବା ୟାସ୍ ବାତ୍ୟା ରାଜଧାନୀ ଭୁବନେଶ୍ଵରରେ ଏତେ କ୍ଷତି କରିବ ନାହିଁ। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଏହି ପୂର୍ବାନୁମାନ କରାଯିବା ପରେ ରାଜଧାନୀ ଭୁବନେଶ୍ଵରର ଲୋକମାନେ ଏବେ ଏକ ପ୍ରକାର ଆଶ୍ୱସ୍ତ ହୋଇଛନ୍ତି।୨୦୧୯ ଫନି ବାତ୍ୟା ପରେ ରାଜଧାନୀବାସିନ୍ଦା ଆଉ କୌଣସି ବାତ୍ୟାର ସମ୍ମୁଖୀନ ହୋଇନାହାନ୍ତି। ତେବେ ଫନି ଭଳି ୟାସ୍ ବାତ୍ୟା ଏତେ ପ୍ରଭାବ ପକାଇବ ନାହିଁ ବୋଲି ପାଣିପାଗ ବିଶେଷଜ୍ଞ କହିଛନ୍ତି। କିନ୍ତୁ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ ବାତ୍ୟା ପ୍ରଭାବରେ ଦୁଇଦିନ ଭୁବନେଶ୍ଵରରେ ପ୍ରବଳ ବର୍ଷା ହୋଇପାରେ। ବିଭାଗର ପୂର୍ବାନୁମାନ ଅନୁସାରେ ଏବେ ଭୁବନେଶ୍ଵରରେ ପ୍ରବଳ ବର୍ଷା ଲାଗି ରହିଛି। ସେହିପରି ବାତ୍ୟା ଲ୍ୟାଣ୍ଡଫଲ୍ କରିବା ସମୟରେ ଭୁବନେଶ୍ଵରରେ ୭୦ରୁ ୯୦ କିଲୋମିଟର ବେଗରେ ପବନ ବି ବହିବାର ସମ୍ଭାବବା ରହିଛି।

ବାତ୍ୟାକୁ ଦୃଷ୍ଟିରେ ରଖି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ମୁଖ୍ୟ ଏଚଆର୍ ବିଶ୍ୱାସ କହିଛନ୍ତି ଯେ ପବନ ଓ ବର୍ଷାର ବେଗ କମ ହେଲେ ବି ଲୋକେ ବାହାରକୁ ଆସିବା ଅନୁଚିତ।୧୯୯୯ ମହାବାତ୍ୟା ପରେ ୨୦୧୯ରେ ଯେତେବେଳେ ଫନି ମାଡ଼ କଲା, ସେଥିରେ ଭୁବନେଶ୍ୱର ବିଶେଷ ଭାବେ ପ୍ରଭାବିତ ହୋଇଥିଲା। ବାତ୍ୟା ପ୍ରଭାବରେ ରାଜଧାନୀର ଗଛ ପତ୍ର ସବୁ ଭାଙ୍ଗି ସଫା ହୋଇଯାଇଥିଲା ଓ ଚାରିଆଡ଼େ ବାତ୍ୟାର ବିକଳ ଚିତ୍ର ଦେଖିବାକୁ ମିଳିଥିଲା। ଫନି ପୁରୀ ପାଖରେ ଲ୍ୟାଣ୍ଡଫଲ କରିବା ଯୋଗୁଁ ଭୁବନେଶ୍ୱର ବେଶୀ କ୍ଷତି ସହିଥିଲା। ସେହି ସମୟରେ ଘଣ୍ଟାକୁ ପ୍ରାୟ ୨୦୦ କିଲୋମିଟର ବେଗରେ ପବନ ବହିଥିଲା। ସମ୍ପୂର୍ଣ୍ଣ ଭୁବନେଶ୍ଵରରେ ବିଜୁଳି ବ୍ୟବସ୍ଥାରେ ବ୍ୟାପକ କ୍ଷତି ହୋବା ଫଳରେ ଲୋକେ ୭ ଦିନ ପର୍ଯ୍ୟନ୍ତ ଅନ୍ଧାରରେ ଥିଲେ।

Comment