ଓଡ଼ିଶାଲାଇଭ୍ ବ୍ୟୁରୋ

(ବ୍ରହ୍ମପୁରରୁ ସୁନୀଲ ପଟ୍ଟନାୟକ): ଅତି ଭୟଙ୍କର ସାମୁଦ୍ରିକ ଝଡ ଫନି ଗଞ୍ଜାମ ଓ ଗଜପତି ଜିଲ୍ଲାରେ ବ୍ୟାପକ କ୍ଷତି କରିଛି। ଗଞ୍ଜାମ ଜିଲ୍ଲାରେ  ୨୨ ବ୍ଲକର ୨୬୭୩ ଗ୍ରାମରେ ୨୦ ଲକ୍ଷ ଲୋକ କ୍ଷତିଗ୍ରସ୍ତ ହୋଇଛନ୍ତି। ହେଲେ କେହି ମୃତାହତ ହୋଇନଥିବା ଜଣାପଡ଼ିଛି।

୧୦୨୫ଟି  ଘର ନଷ୍ଟ ହୋଇଛି। ଏଥିରୁ ୩ ଟି ସମ୍ପୂର୍ଣ୍ଣ ଓ ୧୦୨୨ ଘର ଆଂଶିକ ନଷ୍ଟ ହୋଇଛି। ୨୦୩୯ ପରିବାରକୁ ପଲିଥିନ ଯୋଗାଇ ଦିଆଯାଇଛି।

୨୩୪୨ ହେକ୍ଟର ଜମିରେ ଧାନ, ମକା, ସୂର୍ଯ୍ୟମୁଖୀ ଫୁଲ, ଚିନାବାଦାମ ଓ ରାଶି  ଫସଲ  ନଷ୍ଟ  ହୋଇଛି। ୩୫୦ ହେକ୍ଟର ଜମିରେ ପନିପରିବା  ଫସଲ ନଷ୍ଟ ହୋଇଛି।

ବାତ୍ୟା ପୂର୍ବରୁ ୧୦୬୯ ଆଶ୍ରୟସ୍ଥଳକୁ ଲୋକଙ୍କୁ ସ୍ଥାନାନ୍ତର କରିଥିଲା ପ୍ରଶାସନ। ଏଥିରୁ ୬୪୬ ଆଶ୍ରୟସ୍ଥଳରେ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଇଥିଲା। ୮୨୮ କୁଇଣ୍ଟାଲ ଚୁଡା, ୨୦୫ କିଲୋ  ଗୁଡ, ୨୩ ହଜାର ୨୦୦ ଲିଟର  କିରାସିନି ଯୋଗାଇ ଦିଆଯାଇଥିଲ। ୫୩୯ ଜଣ ଗର୍ଭବତୀଙ୍କୁ ବିଭିନ୍ନ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି  କରାଯାଇଥିଲା। ବାତ୍ୟା ମୁକାବିଲାରେ ୨୨ ସ୍ୱଛାସେବୀ ସଂସ୍ଥା ସହଯୋଗ କରିଥିଲେ।

ଏହି ବାତ୍ୟାରେ ଗଞ୍ଜାମ ଜିଲ୍ଲାରେ ୨୧ଟି ଗୃହପାଳିତ ପଶୁ  ପ୍ରାଣ  ହରାଇଛନ୍ତି। ଏଥିରେ ଅଛନ୍ତି ୭ ଗାଈ, ୨ ବଳଦ ଓ ୧୨ ବାଛୁରୀ।

କେବଳ ଖଲ୍ଲିକୋଟ ବ୍ଲକ ବ୍ୟତୀତ  ଜିଲ୍ଲାର ସମସ୍ତ ସ୍ଥାନରେ  ବିଦ୍ୟୁତ ଯୋଗାଣ  ସ୍ୱାଭାବିକ  ହେଲାଣି। ଜଳଯୋଗାଣ ମଧ୍ୟ ସ୍ୱାଭାବିକ ହୋଇଛି।

ଗଜପତି  ଜିଲ୍ଲାରେ ଫନି ପୂର୍ବରୁ ୪୯ ହଜାର ବ୍ୟକ୍ତିଙ୍କୁ  ୬୪୯ ଆଶ୍ରୟସ୍ଥଳକୁ ନିଆଯାଇଥିଲା। ୫୩.୯୩ କୁଇଣ୍ଟାଲ ଚୁଡା, ୧୮.୨୧ କୁଇଣ୍ଟାଲ ଗୁଡ, ୫୫ ହଜାର ୧୧୨ ବିସ୍କୁଟ ପ୍ୟାକେଟ, ୨ ଲକ୍ଷ ୩୦ ହଜାର ପାଣି ପାଉଚ ଦିଆଯାଇଥିଲା। ମହମବତୀ ଏବଂ ଦିଆସିଲି ମଧ୍ୟ ବଣ୍ଟନ କରାଯାଇଥିଲା। ଜରୁରିକାଳୀନ ପରିସ୍ଥିତିର ମୁକାବିଲା ପାଇଁ ୨୧ ମେଡିକାଲ ଟିମ ଓ ୭ ଭେଟେନାରୀ ଟିମ ପ୍ରସ୍ତୁତ ରଖାଯାଇଥିଲା।

Comment