ଓଡ଼ିଶାଲାଇଭ୍‌ ବ୍ୟୁରୋ

ମହାବାତ୍ୟା ଫନିର ପ୍ରଭାବରେ ପୁରୀ ଏବଂ ଖୋର୍ଦ୍ଧା ଜିଲ୍ଲା ସହିତ ରାଜ୍ୟର ଅନେକ ସ୍ଥାନରେ ଟେଲିଫୋନ୍ ଏବଂ ଇଣ୍ଟରନେଟ୍ ସେବା ଏକ ପ୍ରକାର ଠପ୍‌ ହୋଇଯାଇଛି। ତେବେ ବିଦ୍ୟୁତ୍ ସରବରାହ ବ୍ୟବସ୍ଥା ଠିକଣା ହେବା ପରେ ଯାଇଁ ମୋବାଇଲ୍ ସେବା ସ୍ୱାଭାବିକ ହେବ ବୋଲି ବିଏସଏନଏଲ କର୍ତ୍ତୃପକ୍ଷ କହିଛନ୍ତି।

ମୋବାଇଲ୍ ଓ ଇଣ୍ଟରନେଟ୍ ସେବା କଟିଯିବା ଫଳରେ ବାତ୍ୟା ପ୍ରଭାବିତ ଅଞ୍ଚଳରେ ଲୋକମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ମହାବାତ୍ୟା ଫନିର ପ୍ରାୟ ୪ ଦିନ ହେବାକୁ ବସିଥିଲେ ମଧ୍ୟ ଏହି ସେବାରେ କୌଣସି ଉନ୍ନତି ଘଟିନଥିବାରୁ ପୁରୀ ଏବଂ ଖୋର୍ଦ୍ଧା ଜିଲ୍ଲା ସମେତ ଭୁବନେଶ୍ୱର ସହରର ଗ୍ରାହକମାନେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି। ତେବେ ବିଦ୍ୟୁତ୍‌ ବ୍ୟବସ୍ଥା ଠିକ୍ ହେବାର ଦୁଇ ସପ୍ତାହ ବେଳକୁ ଯାଇଁ ମୋବାଇଲ୍ ଏବଂ ଇଣ୍ଟରନେଟ୍‌ ଠିକ୍‌ଠାକ୍‌ ଚାଲିବା ସମ୍ଭବ ହେବ ବୋଲି ବିଏସଏନଏଲର ପ୍ରମୁଖ ମହାପ୍ରବନ୍ଧକ ଆନନ୍ଦ କୁମାର ପହି ଓଡ଼ିଶାଲାଇଭ୍‌କୁ କହିଛନ୍ତି।

ମେ ୩ ତାରିଖରେ ପ୍ରଳୟଙ୍କରୀ ବାତ୍ୟା ପୁରୀ ନିକଟରେ ଲ୍ୟାଣ୍ଡଫଲ୍ କରିଥିଲା। ଏହାର ପ୍ରଭାବରେ ପୁରୀ ଏବଂ ଖୋର୍ଦ୍ଧା ଜିଲ୍ଲାରେ ଅନେକ ମୋବାଇଲ୍ ଟାୱାର ଭାଙ୍ଗି ଯାଇଛି। ଜଗତସିଂହପୁର ଓ କଟକ ଜିଲ୍ଲାରେ ମଧ୍ୟରେ କେତେକ ମୋବାଇଲ୍ ଟାୱାର କ୍ଷତିଗ୍ରସ୍ତ ହୋଇଛି। ବିଭିନ୍ନ ମୋବାଇଲ୍ ଅପରେଟର ଭାଙ୍ଗିରୁଜି ଯାଇଥିବା ଟାୱାରକୁ ସଜାଡ଼ିବା କାମ ଆରମ୍ଭ କରିଥିବା ବେଳେ ଅସଲରେ ବିଜୁଳି ନ ଆସିଲା ପର୍ଯ୍ୟନ୍ତ ଲୋକମାନଙ୍କ ପାଇଁ ଟେଲିଫୋନ୍ ଏବଂ ଇଣ୍ଟରନେଟ୍ ସେବା ଯେ ସ୍ୱାଭାବିକ ହୋଇପାରିବ ନାହିଁ ବିଏସଏନଏଲର ଉଚ୍ଚ ଅଧିକାରୀଙ୍କ କଥାରୁ ସ୍ପଷ୍ଟ ହୋଇଯାଇଛି।

୮୦ଟି ଟାୱାର ଧ୍ୱସ୍ତ

ବିଏସଏନଏଲର ଅଧିକାରୀ ଓଡ଼ିଶାଲାଇଭ୍‌କୁ କହିଛନ୍ତି ଯେ ରାଜ୍ୟର ମୋବାଇଲ୍ ଗ୍ରାହକଙ୍କ ସଂଖ୍ୟା ମଧ୍ୟରୁ  ବିଏସଏନଏଲର ୧୪ ପ୍ରତିଶତ ସେୟାର ଥିବା ବେଳେ ଏୟାରଟେଲ୍‌ର ୩୪ ପ୍ରତିଶତ ଏବଂ ଜିଓର ୨୫ ପ୍ରତିଶତ ସେୟାର ରହିଛି। ସେହି ଅନୁପାତରେ ଓଡ଼ିଶାରେ ବିଏସଏନଏଲର ୨୧୨ଟି ଟାୱାର କାର୍ଯ୍ୟକ୍ଷମ ଅଛି। ଏଥିମଧ୍ୟରୁ ଚଳିତ ବାତ୍ୟାରେ ପୁରୀ, ଭୁବନେଶ୍ୱର ଏବଂ କଟକରେ ୮୦ଟି ଟାୱାର ସମ୍ପୂର୍ଣ୍ଣ ଭାବେ ଭାଙ୍ଗିଯାଇଛି।

ଫନି ମାଡ଼ରେ କେବଳ ପୁରୀରେ ୩୦ଟି ଟାୱାର ନଷ୍ଟ ହୋଇଥିବା ବେଳେ ଭୁବନେଶ୍ୱରରେ ୨୨ଟି ଓ କଟକ, ଜଗତସିଂହପୁର ଓ ପାରାଦୀପ ମିଶି ୧୬ଟି ଟାୱାର ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି। ତେଣୁ ସେଗୁଡ଼ିକର ପୁନରୁଦ୍ଧାର ପାଇଁ ସମୟ ଲାଗିବ।

କାହିଁକି ଆସୁନି ନେଟୱାର୍କ?

ଓଡ଼ିଶାରେ ରହିଛି ବିଭିନ୍ନ ଟେଲିକମ୍‌ ଅପରେଟରଙ୍କର ଅନେକ ମୋବାଇଲ୍ ଟାୱାର। ସେଗୁଡ଼ିକ ମଧ୍ୟରୁ ଅପରେଟରମାନେ କେତେକ ଟାୱାରକୁ ମିଳିତ ଭାବେ ବ୍ୟବହାର ମଧ୍ୟ କରୁଛନ୍ତି। ତେଣୁ ବାତ୍ୟାରେ କେତେକ ଟାୱାର ଭାଙ୍ଗିଯାଇଥିଲେ ମଧ୍ୟ ବାକି ଥିବା ଟାୱାର ମାଧ୍ୟମରେ ମୋବାଇଲ୍ ସେବା କିଛିକାଂଶରେ ଚାଲିବା କଥା। ଆଜି ସାଧାରଣ ଲୋକଙ୍କ ମନରେ ଏହି ପ୍ରଶ୍ନ ଆସୁଛି।

ଏହାର ଉତ୍ତରରେ ଶ୍ରୀଯୁକ୍ତ ପହି କହିଛନ୍ତି ଯେ, ଅନେକ ଟାୱାର ନଷ୍ଟ ହୋଇଯିବା ଫଳରେ ଟେଲିଫୋନ୍ ନେଟୱାର୍କ ପ୍ରଭାବିତ ହୋଇଛି। ତେଣୁ ଯେଉଁ ଜାଗାରେ ୧୦ ହଜାର ଲୋକଙ୍କ ପାଇଁ ତିନୋଟି ବା ଚାରୋଟି ଟାୱାର ରହିଥିଲା ସେ ଜାଗାରେ ବର୍ତ୍ତମାନ ଗୋଟିଏ ଟାୱାର କାମ କରୁଥିବା ଯୋଗୁଁ ଠିକ ଭାବରେ ନେଟୱାର୍କ ଆସୁନାହିଁ। ଏଥିରୁ ସ୍ପଷ୍ଟ ହୋଇଯାଇଛି ଯେ, ବାତ୍ୟାରେ ପ୍ରଭାବିତ ହୋଇଥିବା ଟାୱାରଗୁଡ଼ିକ କାର୍ଯ୍ୟକ୍ଷମ ନ ହେବା ପର୍ଯ୍ୟନ୍ତ ମୋବାଇଲ୍ ସେବା ସ୍ୱାଭାବିକ ହେବା ସମ୍ଭବପର ନୁହେଁ।

ବାତ୍ୟା ଅଞ୍ଚଳରେ ବିଦ୍ୟୁତ୍ ସରବରାହ ଠପ୍ ହୋଇଯାଇଛି ଓ ଏହା ସ୍ୱାଭାବିକ ହେବା ପାଇଁ ବେଶ୍ କିଛି ସମୟ ଲାଗିବ। ତେଣୁ ଏଭଳି ସମୟରେ ଟେଲିକମ୍‌ ଅପରେଟରମାନେ କାର୍ଯ୍ୟକ୍ଷମ ଥିବା ଟାୱାରଗୁଡ଼ିକରେ ଜେନେରେଟର ବ୍ୟାକ୍‌ଅପ୍‌ ନିଶ୍ଚିତ କରି ମୋବାଇଲ୍ ସେବାକୁ ଚାଲୁ ରଖିବା ପାଇଁ ଉଦ୍ୟମ କରିବା ଦରକାର ବୋଲି ଗ୍ରାହକମାନେ ଆଶା କରୁଛନ୍ତି। ହେଲେ ଓଡ଼ିଶାଲାଇଭ୍‌ର ଅନୁଧ୍ୟାନ ଅନୁଯାୟୀ ଆଜିର ଦିନରେ ମୋବାଇଲ୍ ଅପରେଟରମାନେ ଅଧିକ ଦିନ ଟାୱାରଗୁଡ଼ିକୁ ଜେନେରେଟର ବ୍ୟାକ୍‌ଅପ୍‌ ଯୋଗାଇବାକୁ ସକ୍ଷମ ହେଉନାହାନ୍ତି। ତେଣୁ ବିଜୁଳି ନାହିଁ ତ ମୋବାଇଲ୍ ନେଟୱାର୍କ ନାହିଁ – ଏହା ସତ୍ୟ ବୋଲି ପ୍ରମାଣିତ ହୋଇଛି।

କେବେ ଚାଲିବ ଇଣ୍ଟରନେଟ୍‌?

ବାତ୍ୟା ପରବର୍ତ୍ତୀ ସମୟରେ ମୋବାଇଲ୍‌ରେ କଥାବାର୍ତ୍ତା ହେବା କ୍ଷେତ୍ରରେ ଅସୁବିଧା ଉପୁଜିଛି। ସେହିପରି କେତେକ ସ୍ଥାନରେ ସାମୟିକ ଭାବେ ମୋବାଇଲ୍‌ ଚାଲୁଥିବା ବେଳେ ବା ଦୁର୍ବଳ ନେଟୱାର୍କ ଆସୁଥିଲେ ସୁଦ୍ଧା ଇଣ୍ଟରନେଟ୍ ସଂଯୋଗ ହେଉନାହିଁ। ଇଣ୍ଟରନେଟ୍ ନ ମିଳିବା ଫଳରେ ସାଧାରଣ ଗ୍ରାହକମାନେ ତଥା ଛୋଟ ଛୋଟ ବ୍ୟବସାୟୀମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସତ କଥା ହେଉଛି ଯେ,  ବାତ୍ୟା ପରବର୍ତ୍ତୀ ଅବସ୍ଥାରେ ମୋବାଇଲ୍ ଅପରେଟରମାନେ ଲୋକଙ୍କୁ ଇଣ୍ଟରନେଟ୍ ସେବା ଯୋଗାଇବାକୁ ସକ୍ଷମ ନୁହନ୍ତି।

ବିଏସଏନଏଲର କହିବା କଥା ହେଉଛି ଯେ, କମ୍ପାନି ଇଣ୍ଟରନେଟ୍ ସେବା ଯୋଗାଇଦେବାକୁ ସକ୍ଷମ ରହିଛି। କିନ୍ତୁ ଫାଇବର୍ ଟୁ ହୋମ୍ ବା ଗ୍ରାହକଙ୍କ ଘରକୁ ଯୋଗାଇ ଦିଆଯାଇଥିବା ଇଣ୍ଟରନେଟ୍ ସଂଯୋଗକୁ କାର୍ଯ୍ୟକ୍ଷମ କରିବା ପାଇଁ ବିଦ୍ୟୁତ୍ ସେବା ଜରୁରୀ। ତା’ ସାଙ୍ଗକୁ ଅନେକ ସ୍ଥାନରେ ବାତ୍ୟା ପବନ ବା ଗଛ ପଡ଼ି ତାର ଛିଣ୍ଡି ଯାଇଥିବାରୁ ଏହାର ସାନି ସଂଯୋଗ ଲାଗି ସମୟ ଆବଶ୍ୟକ। ତେଣୁ ଯେତେ ଶୀଘ୍ର ବିଦ୍ୟୁତ୍ ଯୋଗାଣ ମିଳିବ ଏହି ସେବା ଖୁବ୍ କମ୍ ଦିନ ମଧ୍ୟରେ ଯୋଗାଇ ଦିଆଯିବ ବୋଲି ଶ୍ରୀଯୁକ୍ତ ପହି ଓଡ଼ିଶାଲାଇଭ୍‌କୁ କହିଛନ୍ତି।

ସେ କହିଛନ୍ତି ଯେ, ପ୍ରଳୟଙ୍କରୀ ବାତ୍ୟା ଫନି ଟେଲିଫୋନ୍ ସେବାକୁ ଗୁରୁତର ଭାବେ ପ୍ରଭାବିତ କରିଛି। ତେବେ ଲୋକମାନଙ୍କୁ ଖୁବ୍ ଶୀଘ୍ର ଏହି ସେବା ଯୋଗାଇ ଦିଆଯିବ ବୋଲି ସେ ଭରସା ଦେଇଛନ୍ତି।

Comment