ଓଡ଼ିଶାଲାଇଭ ବ୍ୟୁରୋ

ସାମୁଦ୍ରିକ ଝଡ଼ ‘ଫନି’ ରାଜଧାନୀ ଭୁବନେଶ୍ୱରରେ ସୃଷ୍ଟି କରିଛି ଜଳାଭାବ। ପାଣି ଟୋପାଏ ପାଇଁ ହା ହୁତାସରେ ଜନ ଜୀବନ। କେଉଁଠି ଲୋକ ପାଣି ଅଭାବରୁ ସହର ଛାଡ଼ି ଚାଲି ଗଲେଣି ତ ଆଉ କେଉଁଠି ପାଣି ଟାଙ୍କି ଆଗରେ ଲୋକଙ୍କର ଲମ୍ବା  ଲାଇନ ଲାଗିଥିବା ଦେଖିବାକୁ ମିଳୁଛି।

ହଷ୍ଟେଲରେ ରହୁଥିବା ଛାତ୍ରଛାତ୍ରୀଙ୍କ ଅବସ୍ଥାତ ସଙ୍ଗୀନ। ଫଳରେ ଅନେକ ଛାତ୍ରଛାତ୍ରୀ ହଷ୍ଟେଲ ଛାଡ଼ି ଗାଁଭିମୁଖୀ ହୋଇଛନ୍ତି।

ସହରର ବିଭିନ୍ନ ସ୍ଥାନରେ ପିଇବା ପାଣି ପାଇଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଲାଣି। ପ୍ରଚଣ୍ଡ ଖରାକୁ ପିଇବା ପାଣି ଅଭାବ ଏକ ପ୍ରକାର ବେହାଲ କରିସାରିଲାଣି।

‘‘ବାତ୍ୟାର ୩ ଦିନ ପରେ ପ୍ରଥମ ଥର ପାଣି ଆସିଛି। ୩ ଦିନ ହେଲା ବହୁତ କଷ୍ଟରେ ଥିଲୁ। ପାଣି ବିନା ଜୀବନ ଅସମ୍ଭବ। ୩ ଦିନ ହେଲା ଖାଇବା ପିଇବାରେ ବହୁତ କଷ୍ଟରେ ଜୀବନ ବିତୁଛି’’, କହିଛନ୍ତି ଭୋଇ ନଗରର ପ୍ଲଟ ନମ୍ବର ୧୭୧ର ଜଣେ ବାସୀନ୍ଦା ଗୋବିନ୍ଦ ଚନ୍ଦ୍ର ବାରିକ।

ସେହିପରି ସହରର ଅନେକ ସ୍ଥାନରେ ସମାନ ପରିସ୍ଥିତି ଦେଖିବାକୁ ମିଳିଛି। ଗାଡ଼ିରେ ଆସୁଥିବା ପାଣି ପାଖରେ ଲୋକଙ୍କର ଲମ୍ବା ଲାଇନ ଲାଗୁଛି।

Comment