ଓଡ଼ିଶାଲାଇଭ ବ୍ୟୁରୋ

ଶ୍ରୀମନ୍ଦିର ଓ କୋଣାର୍କ ମନ୍ଦିରର ସ୍ଥିତି ଯାଞ୍ଚ କଲେ ଏଏସ୍ଆଇ ଡିଜି ଉଷା ଶର୍ମା।

‘‘ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପୂର୍ବରୁ ଶେଷ ହେବ ଶ୍ରୀମନ୍ଦିରର ମରାମତି କାମ। ଏପଟେ ଆଉ ୩ ଦିନ ଭିତରେ କୋଣାର୍କ ସୂର୍ଯ୍ୟ ମନ୍ଦିର ପର୍ଯ୍ୟଟକମାନଙ୍କ ପାଇଁ ଖୋଲିବ।’’

ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ (ଏଏସ୍ଆଇ) ଡିଜି ଉଷା ଶର୍ମା ଉଭୟ ଶ୍ରୀମନ୍ଦିର ଏବଂ କୋଣାର୍କର ସ୍ଥିତି ସମୀକ୍ଷା କରିବା ପରେ ଏହି ମନ୍ତବ୍ୟ ଦେଇଛନ୍ତି।

ଗତ ୩ ତାରିଖ ସକାଳେ ପୁରୀ ନିକଟରେ ସ୍ଥଳଭାଗ ଛୁଇଁଥିଲା ଅତି ଭୟଙ୍କର ସାମୁଦ୍ରିକ ଝଡ଼ ଫନି। ସ୍ଥଳଭାଗ ଛୁଇଁବା ପରେ ପୁରୀ ସମେତ ଏହାର ଆଖପାଖ ଅଞ୍ଚଳରେ ତାଣ୍ଡବ ରଚିଥିଲା ଫନି। ପୁରୀକୁ ଛାରଖାର କରିଦେଲା ଫନି। ବାତ୍ୟା ପ୍ରଭାବରୁ ଶ୍ରୀମନ୍ଦିର ଏବଂ ବିଶ୍ୱ ଐତିହ୍ୟ କୋଣାର୍କ ମନ୍ଦିର ବି ବର୍ତ୍ତି ନଥିଲା।

କୋଣାର୍କ ମନ୍ଦିରର ଯଦିଓ ବିଶେଷ କିଛି କ୍ଷୟକ୍ଷତି ହୋଇ ନଥିଲା, ହେଲେ ଫନି ପ୍ରଭାବ ଶ୍ରୀମନ୍ଦିରରେ ପଡ଼ିଥିଲା। ଶ୍ରୀମନ୍ଦିରରେ ଜୟଙ୍କ ମୂର୍ତ୍ତି ଭାଙ୍ଗିଥିବା ବେଳେ କଳ୍ପବଟ୍ଟରୁ ବହୁ ଡାଳ ଭାଙ୍ଗିଥିଲା। ଆନନ୍ଦବଜାରରେ ଅନେକ ଗଛ ଭାଙ୍ଗି ଯାଇଥିଲା। ଶ୍ରୀମନ୍ଦିର ଭିତରେ ବ୍ୟାରିକେଡ ବି ଭାଙ୍ଗିଥିଲା।

ବଡ଼ଦାଣ୍ଡ ଜଳମଗ୍ନ ହୋଇ ଯାଇଥିଲା। ସେହିପରି କୋଣାର୍କ ଯିବା ରାସ୍ତାରେ ବଡ଼ ବଡ଼ ଗଛ ଉପୁଡ଼ି ପଡ଼ିଥିଲା। ବିଦ୍ୟୁତ ଖୁଣ୍ଟ ଭାଙ୍ଗି ଯାଇଥିବାରୁ କୋଣାର୍କ ଏବଂ ପୁରୀରେ ବିଦ୍ୟୁତ ସରବରାହ ବିଛିନ୍ନ ହୋଇଯାଇଥିଲା। ଫଳରେ ପର୍ଯ୍ୟଟକ କୋଣାର୍କ ଆସିପାରୁ ନଥିଲେ।

ଶ୍ରୀମନ୍ଦିର ଏବଂ କୋଣାର୍କରେ କ’ଣ କ୍ଷୟକ୍ଷତି ହୋଇଛି ତାର ଆକଳନ କରିବାକୁ ଆଜି ଆସିଥିଲେ ଏଏସ୍ଆଇ ଡିଜି ଉଷା ଶର୍ମା। ଉଚ୍ଚ ସ୍ତରୀୟ ପ୍ରତିନିଧି ମଣ୍ଡଳୀଙ୍କ ସହ ସେ ପୁରୀ ଏବଂ କୋଣାର୍କ ଗସ୍ତ କରିଥିଲେ। ଶ୍ରୀମନ୍ଦିର ଏବଂ କୋଣାର୍କ ମନ୍ଦିରର ସ୍ଥିତି ସମୀକ୍ଷା କରିଥିଲେ।

ଡିଜି ଉଷା ଶର୍ମା ଆହୁରି କହିଛନ୍ତି, ‘‘କୋଣାର୍କ ମନ୍ଦିରର କୌଣସି ଢାଞ୍ଚାଗତ କ୍ଷତି ହୋଇନି। ମନ୍ଦିର ପରିସରରେ ୨୦୦ଟି ପ୍ରାୟ ଛୋଟ ବଡ଼ ଗଛ ଉପୁଡ଼ି ପଡ଼ିଛି। ୩ ଦିନ ଭିତରେ ପୁନରୁଦ୍ଧାର କାମ ଶେଷ କରିବା ପାଇଁ ଉଦ୍ୟମ ଜାରି ରହିଛି। ଏହାପରେ ପର୍ଯ୍ୟଟକଙ୍କ ପାଇଁ ମନ୍ଦିର ଖୋଲାଯିବ।’’

ସେହିପରି ଶ୍ରୀମନ୍ଦିରର ମରାମତି କାମ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଥିବା ଏଏସ୍‌ଆଇ ଡିଜି କହିଛନ୍ତି।

ଗତ ୯ ତାରିଖ ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ମହେଶ ଶର୍ମାଙ୍କୁ ଚିଠି ଲେଖି ଶ୍ରୀମନ୍ଦିର ଏବଂ କୋଣାର୍କ ମନ୍ଦିରର ସ୍ଥିତି ସମ୍ପର୍କରେ ଅବଗତ କରିଥିଲେ। ତୁରନ୍ତ ଶ୍ରୀମନ୍ଦିର ଏବଂ କୋଣାର୍କ ମନ୍ଦିରର ସ୍ଥିତି ସୁଧାରିବା ପାଇଁ ଚିଠିରେ ପରାମର୍ଶ ଦେଇଥିଲେ।

Comment