ଓଡ଼ିଶାଲାଇଭ ପଲିଟିକାଲ୍ ବ୍ୟୁରୋ
ଲୋକସଭା ନିର୍ବାଚନକୁ ନେଇ ଆସିଥିବା ଏକଜିଟ୍ ପୋଲ ଅନୁମାନ ପରେ ବିରୋଧୀ, ଇଭିଏମ ଓ ଭିଭିପାଟକୁ ନେଇ ପ୍ରଶ୍ନ ଉଠାଇବା ସହ ନିର୍ବାଚନ ଆୟୋଗ ଏବାବଦରେ ନିଷ୍ପତ୍ତି ନେବା ନେଇ ଦାବି କରିଥିଲେ। ଏହାପରେ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଆଜି ଦିଲ୍ଲୀରେ ବୈଠକ ବସିଥିଲା।
ତେବେ ବୈଠକରେ ବିରୋଧୀଙ୍କ ଦାବିକୁ ଖାରଜ୍ କରାଯାଇଛି। ବିରୋଧୀ ଆୟୋଗଙ୍କ ପାଖରେ ଦାବି କରିଥିଲେକି ଭିଭିପାଟ ସହ ଇଭିଏମକୁ ମିଳାଯାଉ, ଯାହାକୁ ନେଇ ଆୟୋଗ କହିଛନ୍ତି ଭୋଟଗଣତି ନିୟମରେ କୌଣସି ପରିବର୍ତ୍ତନ କରାଯିବ ନାହିଁ। ବିରୋଧୀ ଦାବି କରିଥିଲେ ଭିଭିପାଟର ଶତପ୍ରତିଶତ ସ୍ଲିପ୍ ଇଭିଏମ ସହିତ ମିଳଯାଉ।
ସେପଟେ ମଙ୍ଗଳବାର ନିର୍ବାଚନ ଆୟୋଗ ଭୋଟିଂ ପରେ ଇଭିଏମକୁ ମତଗଣନା କେନ୍ଦ୍ରରେ ପହଞ୍ଚାଇବାରେ ଗଡ଼ବଡ଼ିର ଅଭିଯୋଗ ଆଣିଥିଲେ। ଏହାସହିତ ଏଥିରେ ବିଜେପିର ହାତଥିବା ନେଇ ଅଭିଯୋଗ କରିଥିଲେ। ମାତ୍ର ପୂର୍ବରୁ ଥିବା କୌଣସି ନିୟମରେ ପରିବର୍ତ୍ତନ ହେବନି ବୋଲି ଆଜି ବୈଠକ ପରେ ଆୟୋଗ କହିଛନ୍ତି।
ଆସନ୍ତାକାଲି ସାରାଦେଶରେ ଭୋଟ ଗଣତି ହେବ। ଏଥିଲାଗି ନିର୍ବାଚନ ଆୟୋଗଙ୍କ ପକ୍ଷରୁ ପ୍ରତି ରାଜ୍ୟରେ ବିଶେଷ ବ୍ୟବସ୍ଥା କରାଯାଇଛି।

















