ଓଡ଼ିଶାଲାଇଭ୍ ବ୍ୟୁରୋ

୨୦୧୯ ସାଧାରଣ ନିର୍ବାଚନ ଓ ବିଭିନ୍ନ ରାଜ୍ୟରେ ହେଉଥିବା ବିଧାନସଭା ନିର୍ବାଚନ ଫଳାଫଳ ମନୋରଞ୍ଜନ ଚ୍ୟାନେଲଗୁଡ଼ିକ ପ୍ରସାରଣ କରିପାରିବେ ନାହିଁ। ଭୋଟ ଗଣତିର ଠିକ୍ ଗୋଟିଏ ଦିନ ପୂର୍ବରୁ ଏ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ଆଡଭାଇଜରି ଜାରି କରିଛନ୍ତି କେନ୍ଦ୍ର ସରକାର।

୨୨ ତାରିଖ ଦିନ କେନ୍ଦ୍ର ସୂଚନା ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ ଦେଶର ସବୁ ଘରୋଇ ଟିଭି ଚ୍ୟାନେଲ ଉଦ୍ଦେଶ୍ୟରେ ଏହି ଆଡଭାଇଜରି ଜାରି କରାଯାଇଛି। ଏହି ଚିଠିରେ ଦର୍ଶାଯାଇଛି ଯେ, ଭାରତରେ ଟେଲିଭିଜନ ପ୍ରସାରଣ ଲାଗି ଅନୁମତି ଦେବାବେଳେ ସରକାରଙ୍କ ନିୟମ ଅନୁଯାୟୀ ଚ୍ୟାନେଲଗୁଡ଼ିକୁ ଦୁଇଟି ବର୍ଗରେ ବିଭକ୍ତ କରାଯାଇଥାଏ। ତା’ ମଧ୍ୟରେ ରହିଛି ‘ନନ୍ ନ୍ୟୁଜ ଆଣ୍ଡ୍ କରେଣ୍ଟ ଆଫାୟାର’ ଚ୍ୟାନେଲ। ଏଭଳି ଚ୍ୟାନେଲରେ ପ୍ରସାରିତ ବିଷୟବସ୍ତୁ ନ୍ୟୁଜ୍ ଏବଂ କରେଣ୍ଟ ଆଫାୟାର୍ସ ଉପରେ ଆଧାରିତ ହୋଇନଥାଏ। ଏହି ଚ୍ୟାନେଲଗୁଡ଼ିକୁ ଏଣ୍ଟରଟେନ୍ମେଣ୍ଟ ବା ମନୋରଞ୍ଜନଧର୍ମୀ ଚ୍ୟାନେଲ ବୋଲି ମଧ୍ୟ କୁହାଯାଇଥାଏ।

ସେହିପରି ଅନ୍ୟ ବର୍ଗରେ ରହିଛି ‘ନ୍ୟୁଜ୍ ଆଣ୍ଡ୍ କରେଣ୍ଟ ଆଫାୟାର୍ସ’ ଚ୍ୟାନେଲ। ଏହି ବର୍ଗରେ ଲାଇସେନ୍ସ ପାଇଥିବା ଟେଲିଭିଜନ ମିଡ଼ିଆ ଖବର ଏବଂ ସାମ୍ପ୍ରତିକ ଘଟଣାବଳୀ ଉପରେ ଆଧାରିତ କଣ୍ଟେଣ୍ଟ ପ୍ରସାରଣ କରିପାରିବେ।
ଟେଲିଭିଜନ ଚ୍ୟାନେଲ ପାଇଁ ଆବେଦନ କଲାବେଳେ ମନୋରେଞ୍ଜନଧର୍ମୀ ଚ୍ୟାନେଲର କର୍ତ୍ତୃପକ୍ଷଙ୍କୁ ମଧ୍ୟ ଏକ ଘୋଷଣାପତ୍ର ଦେବାକୁ ପଡ଼ିଥାଏ। ଏହି ଘୋଷଣାପତ୍ର ଅନୁଯାୟୀ, ସମ୍ପୃକ୍ତ ମନୋରଞ୍ଜନ ଚ୍ୟାନେଲ କୌଣସି ପ୍ରକାର ନ୍ୟୁଜ୍ କିମ୍ବା କରେଣ୍ଟ ଅଫାୟାର୍ସ ବିଷୟ ପ୍ରସାରଣ କରିପାରିବେ ନାହିଁ।

ନିର୍ବାଚନ ଫଳାଫଳ ସମ୍ପର୍କିତ ଟିଭି କାର୍ଯ୍ୟକ୍ରମ ପ୍ରସ୍ତୁତି ବେଳେ ଦେଶର ସବୁ ଟିଭି ଚ୍ୟାନେଲ ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ଆଜି ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ ପରାମର୍ଶ ଦିଆଯାଇଛି।
୨୦୧୯ ନିର୍ବାଚନ ବିଭିନ୍ନ ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥିବା ବେଳେ ଏହାର ଫଳାଫଳ ମଧ୍ୟ ବେଶ୍ ରୋଚକ ହେବାକୁ ଯାଉଛି। ତେଣୁ ଦେଶର ବିଭିନ୍ନ ଘରୋଇ ଟେଲିଭିଜନ ଚ୍ୟାନେଲ ଭୋଟ ଫଳାଫଳକୁ ନେଇ ଲମ୍ବା ଚଉଡ଼ା କାର୍ଯ୍ୟକ୍ରମ ପ୍ରସ୍ତୁତ କରିଛନ୍ତି। ତେବେ କେନ୍ଦ୍ର ସରକାରଙ୍କ ଏହି ଆଡ଼ଭାଇଜରି ଫଳରେ କୌଣସି ମନୋରଞ୍ଜନ ଚ୍ୟାନେଲ ନିର୍ବାଚନ ଖବର ପ୍ରସାରଣ କରିବା ଉପରେ ରୋକ ଲାଗିଛି।









