ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ଆସନ୍ତା ୩୦ ତାରିଖରେ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି। ମୋଦିଙ୍କ ସହ ତାଙ୍କ ମନ୍ତ୍ରୀ ପରିଷଦ ବି ଶପଥ ନେବ। ବିଜେପିର ନବନିର୍ବାଚିତ ସାଂସଦମାନେ ଶନିବାର ଦିନ ବିଧିବଦ୍ଧ ଭାବେ ମୋଦିଙ୍କୁ ସେମାନଙ୍କର ନେତା ଭାବେ ଚୟନ କରିବେ। ଏହାପରେ ସରକାର ଗଠନ ପ୍ରକ୍ରିୟା ଆରମ୍ଭ ହେବ।
ଏକଲା ବିଜେପି ୩୦୩ଟି ଲୋକସଭା ଆସନ ଆଣିପାରିଥିବାରୁ ମୋଦିଙ୍କ ନୂଆ ମନ୍ତ୍ରିମଣ୍ଡଳରେ ବିଜେପିର ବେଶ୍ କିଛି ସାଂସଦ ମନ୍ତ୍ରୀ ହୋଇପାରନ୍ତି। ଶୁଣାଯାଉଛି ବିଜେପି ଅଧ୍ୟକ୍ଷ ଅମିତ ଶାହ ମୋଦିଙ୍କ ମନ୍ତ୍ରିମଣ୍ଡଳରେ ସାମିଲ ହେବେ। ତାଙ୍କ ପାଇଁ ୪ଟି ମନ୍ତ୍ରାଳୟ ରଖାଯାଇଛି – ଗୃହ, ପ୍ରତିରକ୍ଷା, ବୈଦେଶିକ କିମ୍ବା ଅର୍ଥ ମନ୍ତ୍ରାଳୟ।
ପୂର୍ବ ସରକାରରେ ମନ୍ତ୍ରୀ ଥିବା ଅରୁଣ ଜେଟଲୀ ଓ ସୁଷମା ସ୍ୱରାଜ ସ୍ୱାସ୍ଥ୍ୟଗତ କାରଣରୁ ମନ୍ତ୍ରୀ ହୋଇନପାରନ୍ତି। ପୂର୍ବ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗ ମିଳିପାରେ। ରାହୁଲ ଗାନ୍ଧିଙ୍କୁ ହରାଇଥିବାରୁ ସ୍ମୃତି ଇରାନି ବି ଭଲ ମନ୍ତ୍ରାଳୟ ପାଇବାର ସମ୍ଭାବନା ରହିଛି। ପୂର୍ବ ମନ୍ତ୍ରିମଣ୍ଡଳରେ ମନ୍ତ୍ରୀ ଥିବା ରାଜନାଥ ସିଂହ, ନିତିନ ଗଡ଼କାରୀ, ପୀୟୂଷ ଗୋୟଲ, ରବିଶଙ୍କର ପ୍ରସାଦ, ନରେନ୍ଦ୍ର ସିଂ ତୋମର ଓ ପ୍ରକାଶ ଜାଵଡେକର ପୁଣି ମନ୍ତ୍ରୀ ହୋଇ ପାରନ୍ତି।
ଏନଡିଏର ସହଯୋଗୀ ଦଳ ଶିବସେନା ଓ ଜେଡ଼ି -ୟୁ ଭଲ କରିଥିବାରୁ ଏହି ଦଳରୁ ଦୁଇ ତିନି ଜଣ ମନ୍ତ୍ରୀ ହେବା ନିଶ୍ଚିତ। ପଶ୍ଚିମବଙ୍ଗ, ଓଡ଼ିଶା ଓ ତେଲେଙ୍ଗାନାରେ ଦଳ ଉତ୍ତମ ପ୍ରଦର୍ଶନ କରିବା ହେତୁ ଏହି ସବୁ ରାଜ୍ୟରୁ କିଛି ଲୋକଙ୍କୁ ମନ୍ତ୍ରୀ କରାଯାଇପାରେ।
ନିୟମ ଅନୁଯାୟୀ ଜୁନ ୩ ତାରିଖ ସୁଦ୍ଧା ନୂଆ ସରକାର ଗଠନ ହେବା ଜରୁରୀ। ନିର୍ବାଚନ କମିଶନର ତିନି ଜଣ ଯାକ ସଦସ୍ୟ ଦୁଇ ତିନି ଦିନ ମଧ୍ୟରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟି ନବନିର୍ବାଚିତ ସାଂସଦଙ୍କ ତାଲିକା ଅର୍ପଣ କରିବେ ବୋଲି ଜଣାପଡିଛି।


















