ଓଡ଼ିଶାଲାଇଭ ପଲିଟିକାଲ ବ୍ୟୁରୋ

୨୦୧୯ ଲୋକସଭା ନିର୍ବାଚନରେ ଓଡ଼ିଶାରେ ବହୁ ରଥୀ ମହାରଥୀ ଟଳି ପଡ଼ିଥିବା ବେଳେ କୋରାପୁଟ ଆସନରୁ ଜିତିଥିବା ସପ୍ତଗିରି ଶଙ୍କର ଉଲାକା କେବଳ ଦଳର ମାନ ରଖି ପାରିଛନ୍ତି ତାହା ନୁହେଁ, ସେ ଏବେ ଏକୋଇର ବଳା ବିଶିକେଶନ ପାଲଟିଛନ୍ତି। କଂଗ୍ରେସର ଏହି ନବନିର୍ବାଚିତ ସାଂସଦଙ୍କ ନାମ ସେହି ଅଳ୍ପ କେତେ ଜଣ ସାଂସଦଙ୍କ ଭିତରେ ଆସୁଛି ଯେଉଁମାନେ କୌଣସି ପ୍ରକାର ମୋଦି ସୁନାମିରୁ ରକ୍ଷା ପାଇଯାଇଛନ୍ତି।

କଂଗ୍ରେସର ଯେଉଁ ୫୨ ଜଣ ସାଂସଦ ଲୋକସଭାକୁ ନିର୍ବାଚିତ ହୋଇଛନ୍ତି ଏବଂ ସେମାନଙ୍କ ଭିତରେ ଯେଉଁ ନାମକରା ନେତା ଅଛନ୍ତି ସେମାନେ ହେଲେ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ, ଶଶୀ ଥରୁର,  ମନୀଷ ତିବାରୀ, କାର୍ତ୍ତି ଚିଦାମ୍ବରମ, ଅଧିର ରଞ୍ଜନ ଚୌଧୁରୀ ଓ  ଆମ ସପ୍ତଗିରି ଉଲାକା।

କୋରାପୁଟ ଲୋକସଭା ନିର୍ବାଚନରେ ଜୋରଦାର ଲଢେଇ ହୋଇଥିଲା ଓ ସମସ୍ତେ ଆଶା କରୁଥିଲେ ବିଜେଡିର କୌଶଲ୍ୟା ହିକାକା ଜିତିବେ।କିନ୍ତୁ ସପ୍ତଗିରି ସମସ୍ତଙ୍କୁ ପଛରେ ପକାଇ ଆସନଟିକୁ ମାରି ନେଇଛନ୍ତି କେବଳ ନୁହେଁ ଦଳର ଇଜ୍ଜତ ବଞ୍ଚାଇ ଦେଇଛନ୍ତି।

ସପ୍ତଗିରି ୩୭୧୧୨୯ ଭୋଟ ପାଇଥିବା ବେଳେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ କୌଶଲ୍ୟା ୩୬୭୫୧୬ ଭୋଟ ପାଇଛନ୍ତି। ବିଜେପିର ଜୟରାମ ପାଙ୍ଗି ତୃତୀୟ ସ୍ଥାନରେ ରହି ୨୦୮୩୯୮ ଟି ଭୋଟ ପାଇଛନ୍ତି।

ରାୟଗଡ଼ା ନିବାସୀ ସପ୍ତଗିରି ହେଉଛନ୍ତି ପୂର୍ବତନ କଂଗ୍ରେସ ନେତା ରାମଚନ୍ଦ୍ର ଉଲାକାଙ୍କ ପୁଅ।ତାଙ୍କୁ ଏବେ ୪୦ ବର୍ଷ।ସେ ଜଣେ ସଫ୍ଟୱେୟାର ଇଞ୍ଜିନିୟର ଓ ଭୁବନେଶ୍ୱର ଓଡ଼ିଶା ଇଞ୍ଜିନିୟରିଂ କଲେଜରୁ କମ୍ପ୍ୟୁଟର ସାଇନ୍ସରେ ବି ଟେକ କରିଛନ୍ତି।

Comment