ଓଡ଼ିଶାଲାଇଭ ପଲିଟିକାଲ ବ୍ୟୁରୋ

୨୦୧୪ ତୁଳନାରେ ଏଥର ବିଜେଡିର ଆସନ ସଂଖ୍ୟା କମିଛି। ଏହାର କାରଣ ଖୋଜୁଛି ଦଳ।

ବିଜୁ ଜନତା ଦଳର ଅନେକ ନେତା ଏଥର ଜିତୁ ଜିତୁ ନିର୍ବାଚନ ହାରିଛନ୍ତି। ତେବେ କେଉଁ କାରଣ ପାଇଁ ଦଳର ପ୍ରାର୍ଥୀମାନେ ପରାଜିତ ହେଲେ ସେନେଇ ନବୀନ ନିବାସରେ ମାନସମନ୍ଥନ ଚାଲିଛି।

ବଲାଙ୍ଗିର, ସୁନ୍ଦରଗଡ଼, କୋରାପୁଟ ଲୋକସଭା କ୍ଷେତ୍ର ଏବଂ ତତସଂଲଗ୍ନ ବିଧାନସଭା କ୍ଷେତ୍ରର ପରାଜିତ ନେତାମାନଙ୍କୁ ନେଇ ପରାଜୟ ସମୀକ୍ଷା କରୁଛନ୍ତି ବିଜେଡିର ରଣନୀତିଜ୍ଞ।

୨୦୦୯ ଏବଂ ୨୦୧୪ରେ ବଲାଙ୍ଗିର ଲୋକସଭା ଆସନରେ ବିଜୟୀ ହୋଇଥିଲେ ବିଜେଡି ପ୍ରାର୍ଥୀ କଳିକେଶ ନାରାୟଣ ସିଂହଦେଓ। ୨୦୧୯ ନିର୍ବାଚନରେ ବି ଏଠାରେ ପୁଣିଥରେ କଳିକେଶଙ୍କୁ ପ୍ରାର୍ଥୀ କରିଥିଲା ଦଳ। ହେଲେ କଳିକେଶ ବିଜେପି ପ୍ରାର୍ଥୀ ସଙ୍ଗୀତା ସିଂହଦେଓଙ୍କଠାରୁ ପରାଜିତ ହୋଇଛନ୍ତି।

କଳିକେଶ ସଙ୍ଗୀତାଙ୍କୁ କଡ଼ା ଟକ୍କର ଦେଇଥିଲେ ମଧ୍ୟ ତାଙ୍କୁ ୧୯ ହଜାର ଭୋଟ ବ୍ୟବଧାନରେ ପରାଜିତ ହେବାକୁ ପଡ଼ିଛି। ଏଣୁ ବିଜେଡି ଏଠାରେ କାହିଁକି ହାରିଲା ତାର କାରଣ ଖୋଜା ଚାଲିଛି।

ସେହିପରି ବଲାଙ୍ଗିର, କଣ୍ଟାବାଞ୍ଜିରେ ମଧ୍ୟ ବିଜେଡି ପ୍ରାର୍ଥୀଙ୍କୁ ପରାଜିତ ହେବାକୁ ପଡ଼ିଛି। ଏହି ନିର୍ବାଚନମଣ୍ଡଳୀରେ ଦଳର ସ୍ଥିତିକୁ ନେଇ ମାନସମନ୍ଥନ ଚାଲିଛି।

ମାନସମନ୍ଥନ ଚାଲିଥିବା ବେଳେ କଣ୍ଟାବାଞ୍ଜିର ପୂର୍ବତନ ବିଧାୟକ ଆୟୁବ ଖାଁ ବିସ୍ଫୋରକ ବୟାନ ଦେଇଛନ୍ତି।

‘‘କଳିକେଶ ସିଂହଦେଓ ମତେ ଟିକେଟ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଏହା ମତେ ଟିକେଟ ମିଳି ନଥିଲା। ଏଣୁ ଦଳରେ ଅସନ୍ତୋଷ ଥାଇପାରେ ଏବଂ ବିଜେଡି ଏଠାରେ ପରାଜିତ ହୋଇପାରେ’’, କହିଛନ୍ତି ଆୟୁବ ଖାଁ।

କଣ୍ଟାବାଞ୍ଜିରେ ଏଥର ଆୟୁବ ଖାଁଙ୍କୁ ବିଜେଡି ଟିକେଟ ଦେଇ ନଥିଲା। ନୂଆ ମୁହଁକୁ ଟିକେଟ ଦେଇଥିଲା। ଫଳରେ ଏଠାରେ କଂଗ୍ରେସ ପ୍ରାର୍ଥୀ ସନ୍ତୋଷ ସିଂ ସାଲୁଜା ବାଜି ମାରି ନେଇଥିଲେ।

ସେହିପରି ସୁନ୍ଦରଗଡ଼ରେ ମଧ୍ୟ ବିଜେଡି ପ୍ରାର୍ଥୀ ପରାଜିତ ହୋଇଛନ୍ତି। ବିଜେପିର ଜୁଏଲ ଓରାମଙ୍କ ବିପକ୍ଷରେ ବିଜେଡି ହେମାନନ୍ଦ ବିଶ୍ୱାଳଙ୍କ ଝିଅ ସୁନିତା ବିଶ୍ୱାଳଙ୍କୁ ଆଣି ଟିକେଟ ଦେଇଥିଲା। ସୁନିତା ଏଠାରେ ଜୁଏଲଙ୍କଠାରୁ ୨ ଲକ୍ଷ ୨୩ ହଜାର ୬୫ ଭୋଟ ବ୍ୟବଧାନରେ ହାରିଛନ୍ତି। ସୁନିତା ଏଠି ତୃତୀୟ ସ୍ଥାନରେ ରହିଥିଲେ।

‘‘ପରାଜୟ ପାଇଁ ଆମେ ସମସ୍ତେ ଦାୟୀ। ଆମର ଭୁଲ୍ ରହିଛି। ଏଣୁ ସମୀକ୍ଷା ହେବା ଦରକାର’’, କହିଛନ୍ତି ସୁନିତା ବିଶ୍ୱାଳ।

ସେହିପରି କୋରାପୁଟ ଲୋକସଭା ଆସନରେ ଜିତୁ ଜିତୁ ହାରିଛନ୍ତି ବିଜେଡି ପ୍ରାର୍ଥୀ କୌଶଲ୍ୟା ହିକ୍‌କା। ଏଠାରେ କଂଗ୍ରେସ ପ୍ରାର୍ଥୀ ସପ୍ତଗିରି ଉଲାକା ଜିତିଛନ୍ତି। କଳାହାଣ୍ତି, ଭୁବନେଶ୍ୱର, ବାଲେଶ୍ୱର ଲୋକସଭା ଆସନରେ ବି ବିଜେଡି ପ୍ରାର୍ଥୀ ପରାଜିତ ହୋଇଛନ୍ତି।

ବିଜେଡି ଏଥର ୧୧୨ଟି ବିଧାନସଭା ଏବଂ ୧୨ଟି ଲୋକସଭା ଆସନରେ ବିଜୟୀ ହୋଇଛି। ୨୦୧୪ରେ ବିଜେଡି ୨୦ଟି ଲୋକସଭା ଏବଂ ୧୧୭ଟି ବିଧାନସଭା ଆସନରେ ବିଜୟୀ ହୋଇଥିଲା। ହେଲେ ଏଥର ଆସନ ସଂଖ୍ୟା କମିଥିବାରୁ ବିଜେଡି ନବୀନ ନିବାସରେ ମାନସମନ୍ଥନ କରୁଛି।

LEAVE A REPLY

Please enter your comment!
Please enter your name here