ଓଡ଼ିଶାଲାଇଭ ପଲିଟିକାଲ ବ୍ୟୁରୋ
ବିଜେପୁର ପାଇଁ ସ୍ପେଶାଲ ପ୍ୟାକେଜ ଘୋଷଣା କରିବା ପରେ ଜୋର୍ ଧରିଲା ଚର୍ଚ୍ଚା।
ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଚଳିତ ନିର୍ବାଚନରେ ପ୍ରଥମ ଥର ପାଇଁ ଦୁଇଟି ବିଧାନସଭା ଆସନରୁ ପ୍ରାର୍ଥୀ ହୋଇଥିଲେ। ଗୋଟିଏ ତାଙ୍କର ପାରମ୍ପରିକ ଆସନ ହିଞ୍ଜିଳି ହୋଇଥିବା ବେଳେ ଅନ୍ୟଟି ହେଉଛି ବରଗଡ଼ ଜିଲ୍ଲାର ବିଜେପୁର। ଦୁଇଟି ଆସନରୁ ବିପୁଳ ଭୋଟରେ ବିଜୟୀ ହୋଇଥିବା ନବୀନ ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି।
ନିୟମ କହୁଛି ବିଧାନସଭାକୁ ନିର୍ବାଚିତ ହେବାର ୬ ମାସ ଭିତରେ ନବୀନଙ୍କୁ ଗୋଟିଏ ଆସନ ଛାଡ଼ିବାକୁ ପଡ଼ିବ। ଏଣୁ ନବୀନ କେଉଁ ଆସନକୁ ରଖିବେ ଏବଂ କେଉଁ ଆସନକୁ ଛାଡ଼ିବେ ତାହା ଚର୍ଚ୍ଚାର ବିଷୟ ପାଲଟିଛି।
ନୂଆ ସରକାର ଗଠନ ହେବାର ଦିନକ ପରେ ନବୀନ ବିଜେପୁରବାସୀଙ୍କୁ ଉପହାର ଦେଇ ଖୁସି କରି ଦେଇଛନ୍ତି। ବିଜେପୁରରେ ଥିବା ୩୪ ହଜାର କଚ୍ଚାଘରକୁ ପକ୍କା କରିବା, ବରଗଡ଼ ଜିଲ୍ଲାରେ ଦୁଇଟି ପାଇପ୍ ଜଳ ପ୍ରକଳ୍ପ ନିର୍ମାଣ କରିବା, ଗାଇସିଲଟ ବ୍ଲକରେ ଦୁଇଟି ମେଗା ଉଠା ଜଳସେଚନ ପ୍ରକଳ୍ପ ନିର୍ମାଣ କରିବା, ୩ ହଜାର ଡିପ୍ ବୋରୱେଲ ନିର୍ମାଣ କରିବା ପାଇଁ ନବୀନ ଘୋଷଣା କରିଛନ୍ତି।
ସରକାରକୁ ଆସୁ ଆସୁ ନବୀନ ବିଜେପୁର ପାଇଁ ଏଭଳି ସ୍ପେଶାଲ ପ୍ୟାକେଜ ଘୋଷଣା କରିବା ଘଟଣାକୁ ବିରୋଧୀ ସହଜରେ ଗ୍ରହଣ କରିପାରୁ ନାହାନ୍ତି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏହାକୁ ସମାଲୋଚନା କରିଛନ୍ତି।
ସେ କହିଛନ୍ତି, ‘‘ନବୀନ ବାବୁ କେବଳ ବିଜେପୁରର ବିଧାୟକ ନୁହନ୍ତି। ସେ ହେଉଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ। ଅନ୍ୟ ନିର୍ବାଚନମଣ୍ଡଳୀର ବିକାଶ ପାଇଁ ଆର୍ଥିକ ପ୍ୟାକେଜ୍ ଘୋଷଣା କରିବା ନିତାନ୍ତ ଆବଶ୍ୟକ ଥିବା ବେଳେ ମୁଖ୍ୟମନ୍ତ୍ରୀ କେବଳ ବିଜେପୁର ପାଇଁ ଘୋଷଣା କରିବା କ୍ଷୋଭର ବିଷୟ। ୨ଟି ଆସନରୁ ସେ ନିର୍ବାଚିତ ହୋଇଥିବାରୁ ବୋଧହୁଏ ବିଜେପୁର ପାଇଁ ସ୍ପେଶାଲ ପ୍ୟାକେଜ ଘୋଷଣା କରି ବିଜେପୁର ଛାଡ଼ିବା ପାଇଁ ମନସ୍ଥିର କରିଥାଇ ପାରନ୍ତି। ବିଜେପୁରରେ ନବୀନବାବୁ ଉପ-ନିର୍ବାଚନ କରିବା ପାଇଁ ଚିନ୍ତା କରୁଥାଇ ପାରନ୍ତି।’’
ନବୀନ ପଟ୍ଟନାୟକ ୨୦୦୦ ମସିହାରୁ ହିଞ୍ଜିଳି ବିଧାନସଭା ଆସନରୁ ନିର୍ବାଚିତ ହୋଇ ଆସୁଥିଲେ। କେବେ ବି ସେ ଦୁଇଟି ଆସନରୁ ପ୍ରାର୍ଥୀ ହୋଇ ନଥିଲେ। କିନ୍ତୁ ଚଳିତ ନିର୍ବାଚନରେ ସେ ହିଞ୍ଜିଳି ଏବଂ ବିଜେପୁରରୁ ପ୍ରାର୍ଥୀ ହୋଇଥିଲେ। ଦୁଇଟି ଆସନରୁ ବିଜୟୀ ହେବା ପରେ ନବୀନ କେଉଁଟି ଛାଡ଼ିବେ ଏବଂ କେଉଁଟି ରଖିବେ ତାକୁ ନେଇ ଚର୍ଚ୍ଚା ଲାଗି ରହିଥିଲା।
କୁହାଯାଉଥିଲା ଯେ ହିଞ୍ଜିଳି ସୁରକ୍ଷିତ ଆସନ ହୋଇଥିବାରୁ ନବୀନ ଏହି ଆସନ ଛାଡ଼ି ଏଠାରୁ ତାଙ୍କର ଉତ୍ତରାଧିକାରୀଙ୍କୁ ଆଣି ପାରନ୍ତି। ତାଛଡ଼ା ବିଜେପୁରରେ ପ୍ରଥମ ଥର ପାଇଁ ପ୍ରାର୍ଥୀ ହୋଇଥିବାରୁ ଏହି ଏହି ଆସନ ଛାଡ଼ି ନପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା। କିନ୍ତୁ ନୂଆ ସରକାର ଗଠନ ହେଉ ହେଉ ନବୀନ ବିଜେପୁର ପାଇଁ ସ୍ପେଶାଲ ପ୍ୟାକେଜ ଘୋଷଣା କରିଥିବାରୁ ବିରୋଧୀ ଏହାକୁ ଭିନ୍ନ ଦୃଷ୍ଟିରେ ଦେଖୁଛନ୍ତି। ବିଜେପୁର ଆସନ ନବୀନ ଛାଡ଼ି ପାରନ୍ତି ବୋଲି ଚର୍ଚ୍ଚା ହେଉଛି।








ବିଜେପୁର ପାଇଁ ସ୍ପେଶାଲ ପ୍ୟାକେଜ ଘୋଷଣା କରିବା ପରେ ଜୋର୍ ଧରିଲା ଚର୍ଚ୍ଚା।








