ଓଡ଼ିଶାଲାଇଭ ବ୍ୟୁରୋ

‘ମାସେ ପରେ ବି ମୁଣ୍ଡ ଉପରେ ଛାତ ନାହିଁ, ମେ’ ୩ର ସେହି ଚିତ୍ର ଆଜି ବି ସତେଜ’

୨୦୧୯ ମେ’ ୩ ତାରିଖ ଅନେକ ଲୋକଙ୍କଠୁ ସେମାନଙ୍କର ସୁଖ ଶାନ୍ତି ଛଡ଼େଇ ନେଇଥିଲା। କାରଣ ଏହି ଦିନ ଫନି ରଚିଥିଲା ତାଣ୍ଡବ। ଫନିର କରାଳ ରୂପରୁ ଅନେକ ବର୍ତ୍ତି ପାରିନଥିଲେ। ଏହାରି ଭିତରେ ଫନିକୁ ମାସେ ପୂରୁଛି।

ରାଜଧାନୀ ଭୁବନେଶ୍ଵର, କଟକ, ପୁରୀ ଓ ଖୋର୍ଦ୍ଧାରେ ସବୁଠୁ ଅଧିକ କ୍ଷତି ହୋଇଥିଲା ଫନି ପାଇଁ। ଏହାରି ଭିତରେ ମାସେ ବିତିଥିବାରୁ ଅନେକ ଅଞ୍ଚଳ ଓ ସେଠାରେ ରହୁଥିବା ଲୋକ ଧିରେ ଧିରେ ଅଣ୍ଟା ସଳଖିବା ଆରମ୍ଭ କରିଛନ୍ତି।

କିନ୍ତୁ ଆଜି ବି ଅନେକ ଗାଁ ଅଛି ଯେଉଁଠି ବିଜୁଳି ପହଞ୍ଚିପାରିନାହିଁ। ବିଶେଷ କରି ପୁରୀର ଅର୍ଦ୍ଧାଧିକ ଗାଁ ଓ ଖୋର୍ଦ୍ଧାର କିଛି ଅଞ୍ଚଳରେ ଆଜି ଲୋକଙ୍କ ପାଖରେ ବିଜୁଳି ପାନୀୟ ଜଳର ସୁବିଧା ପହଞ୍ଚି ପାରିନାହିଁ। ସେହି ସବୁ ଗାଁରେ ଯେତେ ଯାଏଁ ନଜର ଯାଉଛି କେବଳ ଅଳିଆ ଆବର୍ଜନା ହିଁ ନଜର ଆସୁଛି।

ଲୋକଙ୍କ କହିବା କଥା ବାତ୍ୟା ପରେ କିଛିଦିନ ଆମକୁ ରନ୍ଧା ଖାଦ୍ୟ ଦିଆଯାଇଥିଲା। ଏବେ ଆଉ ମିଳୁନାହିଁ। ବାତ୍ୟାରେ ଆମେ ଅନେକ କିଛି ହରାଇଛୁ, କେବେ ପୁଣି ସବୁକିଛି ଠିକ୍ ହେବ ତାହା ଭାବି ଭାବି ଦିନ ବିତୁଛି।

ପୁରୀର ଅନେକ ଗାଁରେ ବାତ୍ୟାର ସେହି ଚିତ୍ର ଆଜି ବି ଯେମିତି ସତେଜ ଅଛି। ଲୋକଙ୍କ ମୁଣ୍ଡ ଉପରେ ଛାତ ନାହିଁ, ଚଳିବା ଲାଗି କୌଣସି ସାମଗ୍ରୀ ନାହିଁ। ସୂର୍ଯ୍ୟ ଉଇଁଲେ ପେଟ ଚିନ୍ତା। ଯେଉଁମାନଙ୍କର ଛୋଟ ଛୋଟ ପିଲା ଅଛନ୍ତି ସେମାନଙ୍କୁ କେମିତି ଦୁଇ ଓଳି ଖାଇବା ଦେବେ ସେନେଇ ଚିନ୍ତାରେ ବାପା ମା’।

ଯେଉଁ ସବୁ ଗାଁରେ ଆଜି ବି ବିଜୁଳି ପହଞ୍ଚି ପାରି ନାହିଁ ସେଠାରେ ଲୋକେ ଆଜିକାଲି ଆସିବା ଆଶାନେଇ ଦିନକାଟୁଛନ୍ତି। ଏହାରି ଭିତରେ କେବେ ସ୍ଥିତି ପୂର୍ବପରି ହୋଇପାରିବ ସେ ନେଇ ଆଶା ଓ ଆଶଙ୍କାରେ ଫନି ବିପନ୍ନ।

Comment