Shree Jagannath

ଶ୍ରୀକ୍ଷେତ୍ରରେ ଚତୁର୍ଦ୍ଧା ମୁର୍ତ୍ତିଙ୍କ ବାର୍ଷିକ ରଥଯାତ୍ରା ଏକ ପ୍ରାଚୀନ, ଧାର୍ମିକ ତଥା ସାର୍ବଜନୀନ ପର୍ବ ହୋଇଥିବାରୁ ଟେଲିକାଷ୍ଟ ରାଇଟ୍ସ ନାଁରେ କୌଣସି ମିଡିଆ ଉପରେ କଟକଣା ଜାରି ନ କରିବାକୁ ଶ୍ରୀମନ୍ଦିର ପ୍ରଶାସନକୁ ଅନୁରୋଧ କରି ଚିଠି ଲେଖିଲେ ବରିଷ୍ଠ ସାମ୍ବାଦିକ ତଥା ଓଡ଼ିଶାଲାଇଭର ସମ୍ପାଦକ ନୀଳାମ୍ବର ରଥ।

ପ୍ରାପ୍ତି:

ମୁଖ୍ୟ ପ୍ରଶାସକ

ଶ୍ରୀମନ୍ଦିର ପ୍ରଶାସନ

ଶ୍ରୀ ଜଗନ୍ନାଥ ମନ୍ଦିର ପରିଚାଳନା କମିଟି

ପୁରୀ (ଓଡ଼ିଶା)

ମହାଶୟ,

ନମସ୍କାର।

ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ୪ ଜୁନ୍ ୨୦୧୯ ତାରିଖ ଏବଂ ଚିଠି ନମ୍ବର ୫୯୧୭ ମାଧ୍ୟମରେ ରଥଯାତ୍ରାର ଟେଲିଭିଜନ୍ ରାଇଟ୍ସ ବାବଦରେ ଯେଉଁ ଟେଣ୍ଡର ଆହ୍ୱାନ କରାଯାଇଛି ସେ ସମ୍ପର୍କରେ ମୋର ମତାମତ ଏଠାରେ ବ୍ୟକ୍ତ କରୁଛି। ଓଡ଼ିଶାର ଜଣେ ବରିଷ୍ଠ ସାମ୍ବାଦିକ ହିସାବରେ ତଥା ଅତୀତରେ ବିଭିନ୍ନ ଟେଲିଭିଜନ୍ ଚ୍ୟାନେଲର ସମ୍ପାଦକ ଏବଂ କାର୍ଯ୍ୟନିର୍ବାହୀ ମୁଖ୍ୟ ଭାବରେ ମୁଁ ଯେଉଁ ଅନୁଭୂତି ହାସଲ କରିଛି ତାକୁ ଆଧାରକରି ଲେଖିଥିବା ଏହି ଚିଠିକୁ ଆପଣ ଏକ ପ୍ରତିବାଦପତ୍ର କିମ୍ବା ଏକ ପ୍ରସ୍ତାବପତ୍ର ଭାବେ ବିଚାର କରିବାକୁ ଅନୁରୋଧ।

ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କୁ ଆମେ ଜଗତର ନାଥ ହିସାବରେ ବର୍ଣ୍ଣନା କରୁ ସେ ହେଉଛନ୍ତି ସାଢ଼େ ୪ କୋଟି ଓଡ଼ିଆଙ୍କର ପ୍ରଥମ ପରିଚୟ। ଜଗନ୍ନାଥ ସଂସ୍କୃତି ହେଉଛି ଆମର ଆତ୍ମା। ଚତୁର୍ଦ୍ଧା ମୂର୍ତିଙ୍କୁ ନେଇ କାହିଁ କେଉଁ କାଳରୁ ହୋଇ ଆସୁଥିବା ପୁରୀ ବା ଶ୍ରୀକ୍ଷେତ୍ରର ରଥଯାତ୍ରା ଓଡ଼ିଶାର ସବୁଠାରୁ ବଡ଼ ଧାର୍ମିକ, ସାଂସ୍କୃତିକ ଓ ସାମାଜିକ ପର୍ବ। ତେଣୁ ବଡ଼ଦାଣ୍ଡରେ ପାଳିତ ହେଉଥିବା ଏହି ମହାପର୍ବ ଉପରେ କାହାର ଏକଚାଟିଆ ଅଧିକାର ନାହିଁ, ଏପରିକି ସରକାର କିମ୍ବା ଶ୍ରୀମନ୍ଦିର ପ୍ରଶାସନର। ଏଇଥିପାଇଁ ଯେ ଶ୍ରୀ ଜଗନ୍ନାଥ ଏକ ପଣ୍ୟ ବସ୍ତୁ ବା ବିଷୟ ନୁହନ୍ତି କିମ୍ବା ରଥଯାତ୍ରା ଏକ ବ୍ୟାବସାୟିକ ବା କମର୍ସିଆଲ୍ ଇଭେଣ୍ଟ ନୁହେଁ। ତେଣୁ ଦେଶ ବିଦେଶର ବିଭିନ୍ନ ଟେଲିଭିଜନ୍ ଚ୍ୟାନେଲ୍‌ଠାରୁ ଆରମ୍ଭ କରି ବେତାର ଏବଂ ଆଜିର ଡିଜିଟାଲ୍ ପ୍ଲାଟଫର୍ମ ପର୍ଯ୍ୟନ୍ତ କୌଣସି ମିଡିଆରେ ଏହାର ପ୍ରସାରଣ ଉପରେ କୌଣସି ପ୍ରକାର କଟକଣା ଜାରି କରିବା ଗ୍ରହଣୀୟ ହେବ ନାହିଁ।

Shree Mandir, Puri

ଶ୍ରୀମନ୍ଦିର ପ୍ରଶାସନ ଏବଂ ଓଡ଼ିଶା ସରକାର ସଚେତନ ଥିବେ ଯେ ଗୋଟେ ସମୟରେ ଦୂରଦର୍ଶନ ମାଧ୍ୟମରେ ପ୍ରଥମେ ଟେଲିଭିଜନ୍ ପରଦାରେ ରଥଯାତ୍ରାର ସିଧା ପ୍ରସାରଣ ଆରମ୍ଭ ହୋଇଥିଲା। ଏହା ପୂର୍ବରୁ ବେତାର ବା ଆକାଶବାଣୀ ମାଧ୍ୟମରେ ରଥଯାତ୍ରାର ଧାରା ବିବରଣୀ ଲକ୍ଷ ଲକ୍ଷ ଶ୍ରୋତାଙ୍କୁ ଶ୍ରୀ ଜଗନ୍ନାଥ ସଂସ୍କୃତି ସହ ଯୋଡ଼ିବାକୁ ସକ୍ଷମ ହୋଇଥିଲା। ତେବେ ସାଟେଲାଇଟ୍ ଟେଲିଭିଜନର ପ୍ରସାର ଫଳରେ ଆଜି ଦେଶ ବିଦେଶରେ ଥିବା କୋଟି କୋଟି ଦର୍ଶକ ଟେଲିଭିଜନ୍ ପରଦା ସହ ଇଣ୍ଟରନେଟ୍ ଓ ମୋବାଇଲ୍ ଆପ୍ ମାଧ୍ୟମରେ ରଥଯାତ୍ରାର ସିଧା ପ୍ରସାରଣ ଦେଖିପାରୁଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି ଲକ୍ଷ ଲକ୍ଷ ଅଣଓଡ଼ିଆ ଏପରିକି ଭାରତ ବାହାରର ଅର୍ଥାତ୍ ଅନ୍ୟ ଦେଶର ଦର୍ଶକ। ଏହି ପରିପ୍ରେକ୍ଷୀରେ ଆଜି ସରକାର ଯଦି ଅନ୍ୟ ଯେକୌଣସି କମର୍ସିଆଲ୍ ବା କ୍ରୀଡା ଇଭେଣ୍ଟ ଭଳି ରଥଯାତ୍ରା ପ୍ରସାରଣ ପାଇଁ ଟେଲିଭିଜନ୍ ରାଇଟସ ଉପରେ ନିୟନ୍ତ୍ରଣ ଜାରି କରିବାକୁ ଚାହାନ୍ତି ତାହା କେବଳ ଏକ ଅଗ୍ରହଣୀୟ ବିଷୟ ନୁହେଁ ବରଂ ଓଡ଼ିଶାର କଳା ସଂସ୍କୃତି ଏବଂ ପର୍ଯ୍ୟଟନର ପ୍ରସାର ଦୃଷ୍ଟିରୁ ଏକ ବିପଜ୍ଜନକ ନିଷ୍ପତି ହୋଇପାରେ। ତେଣୁ ଏଭଳି କୌଣସି ନିଷ୍ପତିରୁ ଶ୍ରୀମନ୍ଦିର ପ୍ରଶାସନ ବିରତ ରହିବା ଉଚିତ୍।

Chief Editor of OdishaLIVE
ବରିଷ୍ଠ ସାମ୍ବାଦିକ ତଥା ଓଡ଼ିଶାଲାଇଭର ସମ୍ପାଦକ ନୀଳାମ୍ବର ରଥ।

ଟେଲିଭିଜନ୍ ପରଦାରେ ରଥଯାତ୍ରା ପ୍ରସାରଣ ସବୁଠାରୁ ବଡ଼ ଶ୍ରେୟ ଯିବ ରାମୋଜୀ ରାଓଙ୍କ ପ୍ରତିଷ୍ଠିତ ଇନାଡୁ ଟେଲିଭିଜନ୍ ନେଟଓ୍ୱର୍କକୁ। କାରଣ ଆଗରୁ ଦୂରଦର୍ଶନ କେବଳ ଶ୍ରୀଗୁଣ୍ଡିଚା କାର୍ଯ୍ୟକ୍ରମର ସିଧା ପ୍ରସାରଣ କରୁଥିବା ବେଳେ ଈଟିଭି ଶ୍ରୀଗୁଣ୍ଡିଚା ସହିତ ବାହୁଡ଼ା, ସୁନାବେଶ, ଅଧର ନୀତି ଏବଂ ନୀଳାଦ୍ରୀ ବିଜେ – ଏହି ସମସ୍ତ କାର୍ଯ୍ୟକ୍ରମର ସିଧା ପ୍ରସାରଣ କରି ଏକ ବୈପ୍ଳବିକ ପଦକ୍ଷେପ ନେଇଥିଲା। ତା’ଛଡ଼ା ରଥଯାତ୍ରା ସିଧା ପ୍ରସାରଣର ଭିଡ଼ିଓ ପ୍ରଡକ୍ସନ କ୍ଷେତ୍ରରେ ଅତ୍ୟାଧୁନିକ ଜ୍ଞାନକୌଶଳ ଏବଂ ପ୍ରଫେସନାଲ ଦୃଷ୍ଟିଭଙ୍ଗୀର ପ୍ରୟୋଗ କରି ଏହି ଇଭେଣ୍ଟକୁ ଏକ ନୂଆ ଉଚ୍ଚତାକୁ ନେବା ସହ ବହୁ ସଂଖ୍ୟାରେ ଦେଶବିଦେଶର ଦର୍ଶକଙ୍କୁ ଶ୍ରୀ ଜଗନ୍ନାଥ ମନ୍ଦିର ଏବଂ ରଥଯାତ୍ରା ସହିତ ଯୋଡ଼ିବାରେ ସହାୟକ ହୋଇପାରିଥିଲା। ଈଟିଭିର ୮ଟି ଭାଷାରେ ଥିବା ୧୨ଟି ଚ୍ୟାନେଲ୍ ମାଧ୍ୟମରେ ପୁରୀ ରଥଯାତ୍ରାର ବ୍ୟାପକ କଭରେଜ୍ କିଛି କମ୍ ବଡ଼ କଥା ନଥିଲା।

ପରବର୍ତ୍ତୀ ସମୟରେ ରାଜ୍ୟରେ ଟେଲିଭିଜନ୍ ବିକାଶ କ୍ଷେତ୍ରରେ ଏକ ନୂଆ ଯୁଗ ଆସିଲା ଏବଂ ଗତ ପ୍ରାୟ ଏକ ଦଶନ୍ଧି ଧରି ୧୦ରୁ ଅଧିକ ସାଟେଲାଇଟ୍ ଚ୍ୟାନେଲ ଆଜି ରଥଯାତ୍ରାର ସମସ୍ତ କାର୍ଯ୍ୟକ୍ରମର ସିଧା ପ୍ରସାରଣ କରିଆସୁଛନ୍ତି। ଏହାଛଡ଼ା ଆଜି ଦେଶର ବିଭିନ୍ନ ଭାଷାର ଟିଭି ଚ୍ୟାନେଲ୍ ମଧ୍ୟ ରଥଯାତ୍ରା କାର୍ଯ୍ୟକ୍ରମ ସମ୍ପର୍କରେ ନିୟମିତ ଭିଡିଓ କଭରେଜ୍ କରିବା ସହ ଏହି ଇଭେଣ୍ଟର ଲାଇଭ୍ ଟେଲିକାଷ୍ଟ ଉପରେ ଜୋର୍ ଦେଉଛନ୍ତି। ଶ୍ରୀକ୍ଷେତ୍ର ପୁରୀ, ଶ୍ରୀ ଜଗନ୍ନାଥ ମନ୍ଦିର ଏବଂ ରଥଯାତ୍ରା – ଏହି ତିନୋଟି ବିଷୟ ଓଡ଼ିଶା ପର୍ଯ୍ୟଟନର ଅନ୍ତର୍ଜାତୀୟ ପରିଚୟ ପାଇଁ ସବୁଠାରୁ ବଡ଼ କଥା। ତେଣୁ ଓଡ଼ିଆ ଭାଷା ତଥା ବିଭିନ୍ନ ଭାରତୀୟ ଭାଷାରେ ପ୍ରସାରିତ ଟେଲିଭିଜନ୍ ଚ୍ୟାନେଲର ଏହି ପଦକ୍ଷେପ ଓଡ଼ିଶାର ବିଶ୍ୱ ପରିଚୟକୁ ଅଧିକ ଦୃଢ଼ କରିପାରିଛି। ତେଣୁ ଏହି ପରିପ୍ରେକ୍ଷୀରେ ବିଭିନ୍ନ ଟେଲିଭିଜନ୍ ମିଡିଆକୁ ଅଧିକ ସହଯୋଗର ହାତ ନ ବଢ଼ାଇ ଟେଲିକାଷ୍ଟ ରାଇଟସ ନାଁରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଯେଉଁ ଉଦ୍ୟମ କରାଯାଉଛି ତାହା ଶ୍ରୀ ଜଗନ୍ନାଥ ସଂସ୍କୃତି ଏବଂ ଓଡ଼ିଶା ପାଇଁ ଉଚିତ୍ ହେବ ନାହିଁ ବୋଲି ମୋର ବିଶ୍ୱାସ।

Shree Jagannath

ଶ୍ରୀମନ୍ଦିର ପ୍ରଶାସନ ଏବଂ ଓଡ଼ିଶା ସରକାର ହୁଏତ ସଚେତନ ନଥିବେ ଯେ ଆଜିର ଡିଜିଟାଲ୍ ମିଡିଆ ସମୟରେ କୌଣସି ବଡ଼ ଗଣ-କାର୍ଯ୍ୟକ୍ରମ ଆଉ କେବଳ ଟେଲିଭିଜନ୍ ପ୍ରସାରଣ ମଧ୍ୟରେ ସୀମିତ ହୋଇ ରହିନାହିଁ। ଆଜି ଇଣ୍ଟରନେଟ୍ ମାଧ୍ୟମରେ ବିଭିନ୍ନ ଲାଇଭ୍ ଇଭେଣ୍ଟ ଦେଶ ବିଦେଶରେ କୋଟି କୋଟି ଦର୍ଶକଙ୍କ ପାଖରେ ପହଞ୍ଚୁଛି। ଏପରିକି ଓଡ଼ିଶା ଏବଂ ଭାରତର ବିଭିନ୍ନ ରାଜ୍ୟରୁ ପ୍ରସାରିତ ହେଉଥିବା ଟେଲିଭିଜନ୍ ଚ୍ୟାନେଲଗୁଡ଼ିକର ସିଗନାଲ୍ ଆଜି ୱେବସାଇଟରେ ଷ୍ଟ୍ରିମିଂ ହେବା ସହିତ ୟୁଟ୍ୟୁବ୍ ଏବଂ ଫେସବୁକ୍ ଭଳି ସୋସିଆଲ୍ ମିଡିଆରେ ସିଧାସଳଖ ପ୍ରସାରିତ ହୋଇ ଏକ ନୂଆ ବର୍ଗର ଦର୍ଶକଙ୍କ ପାଖରେ ପହଞ୍ଚୁଛି।

ଶ୍ରୀମନ୍ଦିର ପ୍ରଶାସନକୁ ଏ ସାମ୍ବାଦିକ ଏକଥା ମଧ୍ୟ ଜଣାଇବାକୁ ଚାହେଁ ଯେ ଯେତେବେଳେ ଟେଲିଭିଜନ୍ ଛଡ଼ା ୱେବମିଡିଆରେ ବିଶେଷକରି ସୋସିଆଲ୍ ମିଡିଆରେ ରଥଯାତ୍ରା କଭରେଜର ବିଶେଷ କୌଣସି ଧାରା ଆରମ୍ଭ ହୋଇନଥିଲା, ୨୦୧୩-୧୪ ମସିହାରୁ ‘ଓଡ଼ିଶାଲାଇଭ୍’ ଏହାର ସିଧା ପ୍ରସାରଣ  କରି ଡିଜିଟାଲ ମିଡିଆରେ ଏକ ନୂଆ ଧାରା ଆରମ୍ଭ କରିଥିଲା। ବିଶେଷକରି ୨୦୧୮ ମସିହାରେ ‘ଓଡ଼ିଶାଲାଇଭ୍’ର ୟୁଟ୍ୟୁବ୍ ଚ୍ୟାନେଲ୍ ଶ୍ରୀଗୁଣ୍ଡିଚା ଦିନ ବିଭିନ୍ନ ସୋସିଆଲ୍ ମିଡିଆରେ ପ୍ରସାରିତ ରଥଯାତ୍ରାର ଲାଇଭ୍ କାର୍ଯ୍ୟକ୍ରମ ଭିତରେ ସର୍ବଭାରତୀୟସ୍ତରରେ ଏକ ନମ୍ବର ହୋଇପାରିଥିଲା। ସେହି ବର୍ଷ ଓଡ଼ିଶାଲାଇଭ ଏହାର ଫେସବୁକ୍ ପେଜ୍‌ରେ ରଥଯାତ୍ରାର ସିଧା ପ୍ରସାରଣ କାର୍ଯ୍ୟକ୍ରମ ମଧ୍ୟରେ କେବଳ ଶ୍ରୀଗୁଣ୍ଡିଚା ଦିନ ୮.୫ ଲକ୍ଷ ରିଚ୍ ହାସଲ କରିଥିଲା ରଥଯାତ୍ରାର ୫ଟି ପ୍ରମୁଖ ଇଭେଂଟ ମଧ୍ୟରେ ୟୁଟ୍ୟୁବ୍ ଓ ଫେସବୁକକୁ ମିଶାଇ ପ୍ରାୟ ୧୦୦ ଘଣ୍ଟାର ଲାଇଭ୍ କରିଥିଲା ଓଡ଼ିଶାଲାଇଭ୍।

ଡିଜିଟାଲ୍ ମିଡିଆ କଥା ଦେଖିଲେ କେବଳ ଓଡ଼ିଶାଲାଇଭ୍ ନୁହେଁ ପୁରୀରୁ ରଥଯାତ୍ରା କାର୍ଯ୍ୟକ୍ରମର ସିଧା ପ୍ରସାରଣ ଆଜି ବିଭିନ୍ନ ଟିଭି ଚ୍ୟାନେଲର ସୋସିଆଲ ମିଡିଆ ପେଜ୍ ତଥା ଓଡ଼ିଶାରୁ ସୃଷ୍ଟି ହୋଇଥିବା ଅନେକ ସୋସିଆଲ୍ ମିଡିଆ ପ୍ଲାଟଫର୍ମ  ମାଧ୍ୟମରେ ପୃଥିବୀର କୋଣ ଅନୁକୋଣରେ ପହଂଚିପାରିଛି। ଶ୍ରୀମନ୍ଦିର ପ୍ରଶାସନ ପାଖରେ ଏ ସମ୍ପର୍କରେ ସୂଚନା ରହିଛି କି କିମ୍ବା ଆପଣ କେବେ ଭାବିଛନ୍ତି ଯେ ଇଂଟରନେଟ୍ ଏବଂ ମୋବାଇଲ୍ ପ୍ଲାଟଫର୍ମ ମାଧ୍ୟମରେ ଆଜି ବିଭିନ୍ନ ମିଡିଆ ରଥଯାତ୍ରା ମାଧ୍ୟମରେ ଦେଶ ବିଦେଶରେ ଓଡ଼ିଶାରେ କିଭଳି ପ୍ରଚାର ଓ ପ୍ରସାର କରି ଆସୁଛନ୍ତି?

ମୋର ପ୍ରଶ୍ନ କରିବାର କଥା ହେଉଛି ଯେ ରଥଯାତ୍ରା କାର୍ଯ୍ୟକ୍ରମର ଟେଲିକାଷ୍ଟ୍ ରାଇଟସ ପ୍ରସଙ୍ଗରେ କେବଳ ଟେଲିଭିଜନ୍ ଚ୍ୟାନେଲଗୁଡ଼ିକ କଥା କାହିଁକି ଉଠୁଛି? ଅନ୍ୟ ଅର୍ଥରେ କହିଲେ ପ୍ରସାରଣ ମାଧ୍ୟମର ବ୍ୟାପକତାକୁ ବିଚାରକୁ ନ ନେଇ କେବଳ ଟେଲିଭିଜନ କଥା ବିଚାର କରି ରଥଯାତ୍ରାକୁ ଦେଖିବା ଏକ ସଙ୍କୁଚିତ ପରିକଳ୍ପନା ବୋଲି କହିଲେ ଭୁଲ୍ ହେବ ନାହିଁ। ତେଣୁ ମୋର ବିନୀତ ଅନୁରୋଧ ଶ୍ରୀମନ୍ଦିର ପ୍ରଶାସନ, ଓଡ଼ିଶାର ପର୍ଯ୍ୟଟନ ବିଭାଗ, ଓଡ଼ିଶାର ସୂଚନା ଓ ଲୋକସମ୍ପର୍କ ବିଭାଗ ଏବଂ ସାମଗ୍ରିକ ଭାବେ ଦେଖିଲେ ଓଡ଼ିଶା ସରକାର ମିଡିଆର ବ୍ୟାପକ କ୍ଷେତ୍ରକୁ ଅନୁଧ୍ୟାନ କରନ୍ତୁ ଆଉ ବିଚାର କରନ୍ତୁ ଯେ ରଥଯାତ୍ରା ମାଧ୍ୟମରେ ଓଡ଼ିଶା ଏବଂ ଦେଶ ବିଦେଶର ବିଭିନ୍ନ ମିଡିଆ ଓଡ଼ିଶାର ବ୍ରାଣ୍ଡିଂ କ୍ଷେତ୍ରରେ କିଭଳି ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଆସୁଛନ୍ତି।

Car Festival of Lord Jagannath

ମୋର କେତୋଟି ପ୍ରସ୍ତାବ:

୧. ମୋର ପ୍ରଥମ ପ୍ରସ୍ତାବ ଏବଂ ବିନୀତ ଅନୁରୋଧ ଯେ ସରକାର ଟେଲିକାଷ୍ଟ ରାଇଟସ ପ୍ରଦାନ ଲାଗି ଯେଉଁ ଟେଣ୍ଡର ଆହ୍ୱାନ କରିଛନ୍ତି ତାକୁ ବାତିଲ୍ କରି ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରାର ସିଧା ପ୍ରସାରଣ ପାଇଁ ଯେଉଁ ସ୍ୱାଭାବିକ ପରିସ୍ଥିତି ସୃଷ୍ଟି ହେବା ଆବଶ୍ୟକ ତାହା ସୁନିଶ୍ଚିତ କରନ୍ତୁ ।

୨. କେଉଁ କେଉଁ ଟେଲିଭିଜନ୍ ଚ୍ୟାନେଲ ସିଧା ପ୍ରସାରଣ କରୁଛନ୍ତି ଯଦି ସରକାର ସେ ସମ୍ପର୍କରେ ସୂଚନା ରଖିବାକୁ ଚାହୁଁଛନ୍ତି ତେବେ ସେ ବାବଦରେ ଏକ ପଞ୍ଜୀକରଣ ବ୍ୟବସ୍ଥା କରାଯାଇପାରେ। ତେବେ ଏହାକୁ କେବଳ ପଞ୍ଜୀକରଣ ମଧ୍ୟରେ ସୀମିତ ରଖିବା ଆବଶ୍ୟକ। ସରକାର ଭାବିବା ଉଚିତ୍ ନୁହେଁ ଯେ ବଡ଼ଦାଣ୍ଡରେ ପାଳିତ ହେଉଥିବା ରଥଯାତ୍ରା ଲାଗି ଅନୁମତି ନ ନେଲେ କୌଣସି ମିଡିଆ ସିଧା ପ୍ରସାରଣ କରିପାରିବ ନାହିଁ।

୩. କେଉଁ ପରିସ୍ଥିତିରେ ଏବଂ କେଉଁ ମହତ୍ ଉଦ୍ଦେଶ୍ୟ ରଖି ଶ୍ରୀମନ୍ଦିର ପ୍ରଶାସନ ଟେଲିକାଷ୍ଟ ରାଇଟସ ଲାଗି ଟେଣ୍ଡର ପ୍ରକ୍ରିୟା ଆରମ୍ଭ କଲେ ତାହା ମୁଁ ଜାଣେ ନାହିଁ। ତେବେ ଯଦି ସରକାର ରଥଯାତ୍ରା ଅବସରରେ ବିଭିନ୍ନ ମିଡିଆ ଜରିଆରେ କିଛି ରୟାଲିଟି ବା ଆୟ କଥା ଭାବୁଥାନ୍ତି ତେବେ ସେ ବାବଦରେ ମଧ୍ୟ କାମ କରାଯାଇପାରେ। ଅର୍ଥାତ୍ ଶ୍ରୀମନ୍ଦିର ପ୍ରଶାସନ ଯଦି ଅନୁରୋଧ କରନ୍ତି ତେବେ ସିଧା ପ୍ରସାରଣ କାର୍ଯ୍ୟକ୍ରମ କରୁଥିବା ପ୍ରତ୍ୟେକ ଟିଭି ଚ୍ୟାନେଲ୍ ବା ଯେକୌଣସି ମିଡିଆ ପ୍ରତିବର୍ଷ ଏହି ସମୟରେ ସାମାନ୍ୟ କିଛି ଅର୍ଥ ପ୍ରଦାନ କରିପାରିବେ। ଏହାକୁ ବାଧ୍ୟତାମୂଳକ ଦେୟ ଆକାରରେ ବିଚାର କରାନଯାଇ ଡୋନେସନ୍ ଆକାରରେ ନିଆଯାଇପାରେ।

୪. ଏକଥା ସତ ଯେ ବିଭିନ୍ନ ଟେଲିଭିଜନ୍ ଚ୍ୟାନେଲ ରଥଯାତ୍ରା ସମୟରେ ବିଜ୍ଞାପନ ଆକାରରେ କିଛି ଆୟ କରନ୍ତି ଏବଂ ରଥଯାତ୍ରା ଯେହେତୁ ଓଡ଼ିଶାର ସବୁଠାରୁ ବଡ଼ ଆଧ୍ୟାତ୍ମିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ତେଣୁ ଏହି ସମୟରେ ବଡ଼ ବଡ଼ ଚ୍ୟାନେଲଙ୍କର ବିଜ୍ଞାପନ ବାବଦ ଆୟ ଅଧିକ ହୋଇପାରେ। କିନ୍ତୁ ଦେଖିବାକୁ ଗଲେ ଯେ କୌଣସି ଚ୍ୟାନେଲ୍ ପୁରୀରୁ ସିଧା ପ୍ରସାରଣ କରିବା ପାଇଁ ପ୍ରତିବର୍ଷ ଯେତିକି ଟଙ୍କା ଖର୍ଚ୍ଚ କରେ ତା’ର ପରିମାଣ ମଧ୍ୟ କିଛି କମ୍ ନୁହେଁ। ତେଣୁ ରଥଯାତ୍ରା କାର୍ଯ୍ୟକ୍ରମରୁ ମିଡିଆ ବିଜ୍ଞାପନ ବାବଦରେ ପାଉଥିବା ଅର୍ଥକୁ ଦୃଷ୍ଟିରେ ରଖି ସରକାର କିଛି ଚିନ୍ତା କରୁଥାନ୍ତି ତେବେ ତାହା ମଧ୍ୟ ଗ୍ରହଣୀୟ ମନେ ହେଉନାହିଁ।

୫.  ଟେଲିକାଷ୍ଟ ରାଇଟ୍ସ ନାଁରେ କୌଣସି ଗୋଟିଏ ଟିଭି ଚ୍ୟାନେଲ୍ ବା ପ୍ରଡକ୍ସନ ହାଉସକୁ ରଥଯାତ୍ରା ପ୍ରସାରଣର ଏକଚାଟିଆ ଅଧିକାର ପ୍ରଦାନ କରାଗଲେ ତାହା ଏକ ବ୍ୟବସାୟିକ ପ୍ରତିଯୋଗିତା ଆରମ୍ଭ କରିବ। ଯେଉଁ ଚ୍ୟାନେଲ ବା ସଂସ୍ଥା ରାଇଟସ ପାଇବ ସେ ଅନ୍ୟମାନଙ୍କୁ ଲାଇଭ୍ ସିଗନାଲ ଦେବା ପାଇଁ କେତେ ଅର୍ଥ ଦାବି କରିବ ବା କେଉଁ ପ୍ରକାର ସର୍ତ ଆରୋପ କରିବ ତା’ ଉପରେ ସରକାରଙ୍କର କୌଣସି ନିୟନ୍ତ୍ରଣ ରହିବ ନାହିଁ। କେବଳ ସେତିକି ନୁହେଁ ରାଇଟ୍ସ୍ ପାଇଥିବା ସଂସ୍ଥା ସହିତ କୌଣସି ମିଡିଆର ବୁଝାମଣାରେ କୌଣସି ତ୍ରୁଟି ରହିଲେ ସମ୍ପୃକ୍ତ ମିଡିଆ ରଥଯାତ୍ରା ପ୍ରସାରଣର ସୁଯୋଗରୁ ବଞ୍ଚିତ ହେବାର ଆଶଙ୍କା ରହିଛି। ଆହୁରି ମଧ୍ୟ କୁହାଯାଇପାରେ ଯେ ଅନେକ ଛୋଟ ଛୋଟ ଟେଲିଭିଜନ୍ ଚ୍ୟାନେଲ ବିଶେଷକରି କେବଳ ସୋସିଆଲ ମିଡିଆ ବା ଇଣ୍ଟରନେଟରେ ପ୍ରସାରିତ ଭିଡିଓ ମିଡିଆ ଉପରେ ଏହାର ମଧ୍ୟ ପ୍ରଭାବ ପଡ଼ିପାରେ। ଓଡ଼ିଶା ବାହାର ବିଶେଷକରି ବିଭିନ୍ନ ଭାଷାର ଟେଲିଭିଜନ୍ ଯେଉଁମାନେ ଅଳ୍ପ ଦେୟରେ ଏପରିକି ଅନେକ ସମୟରେ ମାଗଣାରେ ରଥଯାତ୍ରାର ସିଗନାଲ୍ ପାଇଥାନ୍ତି ସେମାନେ ଏଥିରୁ ବଞ୍ଚିତ ହୋଇପାରନ୍ତି। ଏସବୁ କଥାକୁ ତର୍ଜମାକରି ଦୀର୍ଘସୂତ୍ରରେ ଦେଖିଲେ ଏହା ଜଗନ୍ନାଥ ସଂସ୍କୃତିର ପ୍ରସାର ଅପେକ୍ଷା ଏକ ବ୍ୟବସାୟିକ ସଂସ୍କୃତିର ପ୍ରସାରର ଆଧାର ହୋଇପାରେ।

Car Festival of Lord Jagannath

ସେହିପରି ଆପଣଙ୍କ ପ୍ରଶାସନ ପକ୍ଷରୁ ଟେଣ୍ଡର ପେପରରେ ଯେଉଁସବୁ ସର୍ତ୍ତ ରହିଛି ତା’ ମଧ୍ୟରେ ଗୋଟିଏ ସର୍ତ୍ତ ହେଉଛି ଯେ ଯେଉଁ ଚ୍ୟାନେଲ୍ ଟେଣ୍ଡର ପାଆନ୍ତୁ ପଛକେ ସେ ଦୂରଦର୍ଶନକୁ ମାଗଣାରେ ସିଗନାଲ୍ ଯୋଗାଇଦେବେ। ଆପଣଙ୍କର ଏହି ଦୂରଦର୍ଶନ ପ୍ରୀତି ପଛର କୌଣସି ବିଶେଷ କାରଣ ରହିଛି କି? ଆଜିର ଦିନରେ ଦୂରଦର୍ଶନର ଦର୍ଶକ ସଂଖ୍ୟା କେତେ ତାହା ତା’କୁ ନେଇ ବିତର୍କ କରିବାର ଆବଶ୍ୟକତା ନାହିଁ। କେବଳ ସେତିକି ନୁହେଁ, ଯେଉଁ ଦୂରଦର୍ଶନ ଓଡ଼ିଶାର ଅନ୍ୟ କାର୍ଯ୍ୟକ୍ରମ ବେଳେ (ଉଦାହରଣସ୍ୱରୂପ କୋଣାର୍କ ଉତ୍ସବ) ସିଧା ପ୍ରସାରଣ କରିବା ଲାଗି ଓଡ଼ିଶା ସରକାରଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କାର ଦେୟ ନେଇଥାଏ ତାକୁ ରଥଯାତ୍ରା ପ୍ରସାରଣ ବେଳେ ଜଣେ ମାଗଣାରେ ସିଗନାଲ୍ ଦେବ କାହିଁକି? ମୋର କହିବାର କଥା ହେଉଛି ଭାରତ ବର୍ଷର ଅନ୍ୟ ଯେ କୌଣସି ମିଡିଆ ଭଳି ଦୂରଦର୍ଶନକୁ ବିଚାର କରାଯାଉ। କାରଣ ସରକାରୀ ଗଣମାଧ୍ୟମ ନାଁରେ ଦୂରଦର୍ଶନ ପ୍ରତି ଏଭଳି ଅହେତୁକ ଅନୁକମ୍ପା ଆଜି ଗ୍ରହଣୀୟ ମନେହୁଏ ନାହିଁ।

ଓଡ଼ିଶାର ଜଣେ ସାଧାରଣ ନାଗରିକ ଭାବରେ ଏହି ଘଟଣାରେ ଯେତେ ଦୂର ମୁଁ ଜାଣେ ରଥଯାତ୍ରାର ପ୍ରସାରଣର ରାଇଟସ୍ ଲାଗି ଟେଣ୍ଡର ଡାକିବା ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନ, ଶ୍ରୀମନ୍ଦିର ପରିଚାଳନା କମିଟିଠାରୁ କୌଣସି ଅନୁମତି ବା ସୁପାରିଶ୍ ନେଇନାହିଁ। ଏଭଳି ନିଷ୍ପତି ପଛରେ ଛତିଶା ନିଯୋଗର ସମର୍ଥନ ନାହିଁ। ଏହା ପଛରେ ଆଇନ ବିଭାଗ, ଲୋକସମ୍ପର୍କ ବିଭାଗ ବା ସରକାରଙ୍କର ସମର୍ଥନର କୌଣସି ସ୍ପଷ୍ଟ ଲକ୍ଷଣ ଦିଶୁନାହିଁ। ସର୍ବୋପରି ଏଭଳି ଏକ ନିଷ୍ପତିକୁ ବିଭିନ୍ନ ଗଣମାଧ୍ୟମ, ଜଗନ୍ନାଥପ୍ରେମୀ, ସଂସ୍କୃତି ସଚେତନ ବ୍ୟକ୍ତିତ୍ୱ ତଥା ଓଡ଼ିଶାର ସାଧାରଣ ଲୋକ ପସନ୍ଦ କରିବେ ନାହିଁ ବୋଲି ମୋର ବିଶ୍ୱାସ।

ତେଣୁ ଆପଣଙ୍କୁ ମୋର ବିନୀତ ଅନୁରୋଧ ଯେ, ଏଭଳି କୌଣସି ଟେଣ୍ଡର ପ୍ରକ୍ରିୟାରୁ ବିରତ ରହି ଶ୍ରୀ ଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ଅବସରରେ ମିଡିଆର ଚକକୁ ସ୍ୱାଭାବିକ ଭାବରେ ଗଡ଼ିବାକୁ ଦିଅନ୍ତୁ। ଏଭଳି ଏକ ଆଧ୍ୟାତ୍ମିକ ଏକ ସାଂସ୍କୃତିକ ଗଣପର୍ବର ବ୍ୟାପକ ପ୍ରଚାର ପ୍ରସାର କ୍ଷେତ୍ରରେ ପ୍ରିଣ୍ଟ୍ଠାରୁ ଆରମ୍ଭ କରି ଡିଜିଟାଲ୍ ମିଡିଆ ପର୍ଯ୍ୟନ୍ତ ଯେଉଁ ଗଣମାଧ୍ୟମ ଯାହା କରିପାରୁଛି ସେଥିପାଇଁ ଧନ୍ୟବାଦ ଦେବା ସହ ସହଯୋଗର ହାତକୁ ଆଉ ଟିକେ ଅଧିକ ବଢ଼ାନ୍ତୁ। ଏହା ହେଲେ ଓଡ଼ିଶା ସହ ସାଢ଼େ ୪ କୋଟି ଓଡ଼ିଆଙ୍କ ପରିଚୟ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା ମାଧ୍ୟମରେ ଦେଶବିଦେଶରେ ଝଟକୁଥିବ। ତେଣୁ କୌଣସି ପ୍ରକାର ମିଡିଆର କଣ୍ଠରୋଧ ବା ରଥଯାତ୍ରାର ବ୍ୟବସାୟୀକରଣ ଭଳି ଚିନ୍ତାଧାରାରୁ ଦୂରେଇ ରହିବାକୁ ଶ୍ରୀମନ୍ଦିର ପ୍ରଶାସନ ଏବଂ ଶ୍ରୀମନ୍ଦିର ପରିଚାଳନା କମିଟିକୁ ଏହି ଓଡ଼ିଆର ବିନୀତ ଅନୁରୋଧ।

ନୀଳାମ୍ବର ରଥ

ବରିଷ୍ଠ ସାମ୍ବାଦିକ

ସମ୍ପାଦକ ଓଡ଼ିଶାଲାଇଭ୍

Comment