ଓଡ଼ିଶାଲାଇଭ୍ ବ୍ୟୁରୋ

ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରା ଟେଲିକାଷ୍ଟ ରାଇଟ୍ସକୁ ନେଇ ବିବାଦ ବଢୁଛି। ଆଜି ୭ଟି ମିଡିଆ କମ୍ପାନି ନିଲାମ ପ୍ରକ୍ରିୟାରେ ସାମିଲ ହୋଇ ଟେଣ୍ଡର ପକାଇଛନ୍ତି। ହେଲେ ଏହାକୁ ବିରୋଧ କରି ଏବଂ ନିଲାମ ସମ୍ପର୍କିତ ବିଜ୍ଞପ୍ତିକୁ ରବ୍ଦ କରିବା ପାଇଁ ଓଡ଼ିଶା ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି।

ପୁରୀର ସୂଚନା ଅଧିକାର କର୍ମୀ ପ୍ରସନ୍ନ ଦାଶ ଏହି ମାମଲା ରୁଜୁ କରିଛନ୍ତି। ରଥଯାତ୍ରା ପ୍ରସାରଣ ନିଲାମକୁ ସେ ବିରୋଧ କରିଛନ୍ତି। ଏହି ବିଜ୍ଞପ୍ତି ଯୋଗୁ ଶ୍ରୀମନ୍ଦିର ଆଇନର ଉଲ୍ଲଙ୍ଘନ ହେଉଥିବା ସେ ଅଭିଯୋଗ କରିଛନ୍ତି।

ପୂର୍ବରୁ ପୁରୀ ରଥଯାତ୍ରାର ପ୍ରସାରଣ ସବୁ ଟିଭି ଚ୍ୟାନେଲ ମୁକ୍ତ ଭାବେ କରି ଆସୁଥିଲେ। କିନ୍ତୁ ଚଳିତ ବର୍ଷ ସ୍ନାନ ପୂର୍ଣ୍ଣିମାର ମାତ୍ର ୧୦ ଦିନ ପୂର୍ବରୁ ରଥଯାତ୍ରାର ସିଧାପ୍ରସାରଣ ଉପରେ ସରକାର କଟକଣା ଲଗାଇଥିଲେ।

ବିଭିନ୍ନ କମର୍ସିଆଲ ଇଭେଣ୍ଟ ଭଳି ଏବେ ରଥଯାତ୍ରାର ସିଧାପ୍ରସାରଣ ରାଇଟ୍‌ସ୍ ଲାଗି ଓଡ଼ିଶା ସରକାର ଟେଣ୍ଡର ଡାକିଥିଲେ। ୪ ଜୁନରେ ଜାରି ହୋଇଥିବା ଶ୍ରୀମନ୍ଦିର ପ୍ରଶାସନର ଚିଠି ନମ୍ବର ୫୯୧୭ ଅନୁଯାୟୀ ବିଭିନ୍ନ ଟିଭି ଚ୍ୟାନେଲକୁ ଏହି ଟେଣ୍ଡରରେ ଭାଗ ନେବାକୁ ଆମନ୍ତ୍ରଣ କରାଯାଇଥିଲା। ଏହି କ୍ରମରେ ଆଜି ୭ଟି ମିଡିଆ କମ୍ପାନି ନିଲାମ ପ୍ରକ୍ରିୟାରେ ସାମିଲ ହୋଇଛନ୍ତି।

Comment