ଓଡ଼ିଶାଲାଇଭ୍ ବ୍ୟୁରୋ

ଶ୍ରୀମନ୍ଦିର ପ୍ରଶାସନ ପାଇଁ ଅଡୁଆ ବଢ଼ିଲା। ହାଇକୋର୍ଟରେ ପିଆଇଏଲ୍‌। ମଙ୍ଗଳବାର ବୈଠକ ଉପରେ ନଜର।

ଅଡୁଆରେ ପଡ଼ିଛି ପୁରୀ ଶ୍ରୀମନ୍ଦିର ପ୍ରଶାସନ। ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାର ସିଧାପ୍ରସାରଣ ପାଇଁ ଟେଲିକାଷ୍ଟ ରାଇଟ୍‌ସର ନିଲାମ ଡାକିବାକୁ ନେଇ ପ୍ରଶାସନ ବିବାଦଘେରକୁ ଚାଲି ଆସିଛି। ଶ୍ରୀମନ୍ଦିର ପ୍ରଶାସନର ଏହି ଏକଚାଟିଆ ଏବଂ ତରବରିଆ ନିଲାମ ପ୍ରକ୍ରିୟାକୁ ନେଇ ବିଭିନ୍ନ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

ଶ୍ରୀମନ୍ଦିର ପ୍ରଶାସନର ନିଲାମ ପ୍ରକ୍ରିୟାକୁ ନେଇ ମିଡିଆ ମାଲିକଙ୍କ ଭିତରେ ଅସନ୍ତୋଷ ରହିଛି। ହେଲେ ଏହି ଅସନ୍ତୋଷକୁ ସେମାନେ ଖୋଲାଖୋଲି ପ୍ରକାଶ କରିପାରୁ ନାହାନ୍ତି। ଏଣୁ ବାଧ୍ୟ ହୋଇ ଆଜି ୭ଟି ଟିଭି ମିଡିଆ ନିଲାମ ପ୍ରକ୍ରିୟାରେ ସାମିଲ ହୋଇ ଟେଣ୍ଡର ପକାଇଛନ୍ତି।

କିଏ ନେଲା ନିଷ୍ପତ୍ତି?

ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର ଏବଂ ମା’ ସୁଭଦ୍ରା ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସବୁ ବର୍ଗର ଭକ୍ତଙ୍କୁ ଦର୍ଶନ ଦେବା ପାଇଁ ଶ୍ରୀଗୁଣ୍ଡିଚାରେ ରତ୍ନସିଂହାସନ ଛାଡ଼ି ରଥରେ ବିଜେ କରିଥାନ୍ତି। ଲକ୍ଷ ଲକ୍ଷ ଭକ୍ତ ପୁରୀ ଆସି ରଥରେ ମହାପ୍ରଭୁଙ୍କୁ ଦର୍ଶନ କରିଥାନ୍ତି।

ଯେଉଁ ଭକ୍ତମାନେ ପୁରୀ ଆସିପାରି ନଥାନ୍ତି ସେମାନେ ଟଭି ମାଧ୍ୟମରେ ରଥଯାତ୍ରା ସିଧାପ୍ରସାରଣ ଦେଖିଥାନ୍ତି। ବର୍ଷ ବର୍ଷ ଧରି ବିଭିନ୍ନ ଟିଭି ଚ୍ୟାନେଲ ରଥଯାତ୍ରାର ସିଧାପ୍ରସାରଣ କରି ଆସୁଛନ୍ତି। କିନ୍ତୁ ଚଳିତବର୍ଷ ଶ୍ରୀମନ୍ଦିର ପ୍ରଶାସନ ଏହି ଟିଭି ଚ୍ୟାନେଲମାନଙ୍କର ସିଧାପ୍ରସାରଣ ଉପରେ କଟକଣା ଲଗାଇଛି। ତେଣୁ କୌଣସି ଟିଭି ଚ୍ୟାନେଲ ଏବେ ସିଧାସଳଖ ଭାବେ ପୁରୀରେ ପ୍ରଡକ୍ସନ ସେଟ୍‌ଅପ୍‌ ଲଗାଇ ସିଧାପ୍ରସାରଣ କରିପାରିବେ ନାହିଁ। ଏଥିପାଇଁ ଟେଣ୍ଡର ପକାଇବାକୁ ଗତ ୪ ତାରିଖରେ ବିଜ୍ଞପ୍ତି ପ୍ରକାଶ କରିଥିଲେ ଶ୍ରମନ୍ଦିର ପ୍ରଶାସନ। ଏହି ବିଜ୍ଞପ୍ତି ଅନୁଯାୟୀ ଆଜି ୭ଟି ମିଡିଆ କମ୍ପାନି ଟେଣ୍ଡର ପକାଇଛନ୍ତି। ଓଟିଭି ସର୍ବାଧିକ ଟେଣ୍ଡର ଡାକିଥିବା ଜଣାପଡ଼ିଛି।

ଆଇପିଏଲ୍ କ୍ରିକେଟ ଭଳି ରଥଯାତ୍ରାକୁ ଶ୍ରୀମନ୍ଦିର ପ୍ରଶାନ ନିଲାମ କରିବାକୁ ନିଷ୍ପତ୍ତି ନେଇଥିବାରୁ ଝଡ଼ ବହୁଛି। ଏଭଳିଆ ନିଷ୍ପତ୍ତି ଶ୍ରୀମନ୍ଦିର ପ୍ରଶାସନ ନା ରାଜ୍ୟ ସରକାର ନେଲେ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ତରବରିଆ ଟେଣ୍ଡର ଡକା

ପୁରୀ ରଥ ଯାତ୍ରା ପାଇଁ ଦୁଇ ମାସ ହେଲା ପ୍ରସ୍ତୁତି ଆରମ୍ଭ ହେଲାଣି। ରଥ ଖଳାରେ ରଥ ନିର୍ମାଣ ଆଗେଇ ଚାଲିଛି। ରଥଯାତ୍ରାର ସିଧାପ୍ରସାରଣର ଟେଲିକାଷ୍ଟ ରାଇଟ୍ସ ପାଇଁ ଯଦି ଶ୍ରୀମନ୍ଦିର ପ୍ରଶାସନ ଟେଣ୍ଡର ଡାକିବା କଥା ତାହାଲେ ଆଗରୁ କୁଆଡ଼େ ଯାଇଥିଲେ ବୋଲି ବହୁ ଜଗନ୍ନାଥ ସଂସ୍କୃତି ପ୍ରେମୀ ଏବଂ ଭକ୍ତମାନେ ପ୍ରଶ୍ନ କରିଛନ୍ତି।

ସ୍ନାନ ଯାତ୍ରାର ୧୦ ଦିନ ପୂର୍ବରୁ ଅର୍ଥାତ୍ ଜୁନ ୪ ତାରିଖରେ ନିଲାମ ପ୍ରକ୍ରିୟା ପାଇଁ ବିଜ୍ଞପ୍ତି ପ୍ରକାଶ କରିବାର ଉଦ୍ଦେଶ୍ୟ କ’ଣ ବୋଲି ଚର୍ଚ୍ଚା ଜୋର୍ ଧରିଛି।

ଟେଲିକାଷ୍ଟ ରାଇଟ୍ସ ପାଇଁ ଶ୍ରୀମନ୍ଦିର ପ୍ରଶାସନ ୪ ତାରିଖରେ ବିଜ୍ଞପ୍ତି ପ୍ରକାଶ କରିଥିଲେ। କିନ୍ତୁ ଏହା ଲୋକଙ୍କ ସାମ୍ନାକୁ ଆସିଲା ୮ ତାରିଖରେ। ୧୦ ତାରିଖ ଅପରାହ୍ଣ ସାଢ଼େ ୪ଟା ସୁଦ୍ଧା ଟେଣ୍ଡର ପକାଇବା ପାଇଁ ବିଜ୍ଞପ୍ତିରେ ସମୟ ଧାର୍ଯ୍ୟ କରାଯାଇଥିଲା।

ସବୁଠୁ ବଡ଼ କଥା ହେଉଛି ୮ ତାରିଖ ଶନିବାର ଥିବା ବେଳେ ଟେଣ୍ଡର ପକାଇବାର ଶେଷ ଦିନ ଥିଲା ସୋମବାର। ଏଣୁ ଶ୍ରୀମନ୍ଦିର ପ୍ରଶାସନର ଏହି ଅଜବ ନିଷ୍ପତ୍ତିକୁ କେହି ବୁଝି ପାରି ନଥିଲେ।

ଶ୍ରୀମନ୍ଦିର ପ୍ରଶାସନର ଏହି ତରବରିଆ ନିଷ୍ପତ୍ତିକୁ ନେଇ ମିଡିଆରେ ଚର୍ଚ୍ଚା ଆରମ୍ଭ ହେଲା। କ’ଣ ରଥଯାତ୍ରାର ସିଧାପ୍ରସାରଣ ଉପରେ କଟକଣା ଲଗାଗଲା ସେନେଇ କାରଣ ଖୋଜାଗଲା। ହେଲେ ଶନିବାର ଏବଂ ରବିବାର ଶ୍ରୀମନ୍ଦିର ପ୍ରଶାସନ କିମ୍ବା ସରକାରଙ୍କ ପକ୍ଷରୁ ଏ ସମ୍ପର୍କରେ କୌଣସି ପ୍ରତିକ୍ରିୟା ପ୍ରକାଶ ପାଇ ନଥିଲା।

ସୋମବାର ଏହାକୁ ନେଇ ବିତର୍କ ବଢ଼ିବାରୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଏବଂ ସୂଚନା ଓ ଲୋକସମ୍ପର୍କ ବିଭାଗ ମନ୍ତ୍ରୀ ଏ ସମ୍ପର୍କରେ କୌଣସି ନିର୍ଦ୍ଦିଷ୍ଟ ଉତ୍ତର ଦେଇପାରି ନଥିଲେ। ଏହି ବିଜ୍ଞପ୍ତି ସମ୍ପର୍କରେ ‘ଥା ଥା ମା ମା’ କରି ମନ୍ତବ୍ୟ ଦେଇଥିଲେ।

ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ କହିଥିଲେ, ‘‘ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଯେଉଁ ନିଷ୍ପତ୍ତି ନିଆଯାଇଛି ତାହା ଚୂଡ଼ାନ୍ତ ନୁହେଁ। ଶ୍ରୀମନ୍ଦିର ପରିଚାଳନା କମିଟି, ଛତିଶାନିଯୋଗର ସହମତିରେ ଯେଉଁ ନିଷ୍ପତ୍ତି ହେବ ତାହା ଚୂଡ଼ାନ୍ତ ନିଷ୍ପତ୍ତି।’’

ଏପଟେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ କୁମାର ମହାପାତ୍ର ମଧ୍ୟ ସମାନ କଥା କହିଥିଲେ। ଏହି ନିଷ୍ପତ୍ତି ଚୂଡ଼ାନ୍ତ ନୁହେଁ କହିବା ସହ ବିଭିନ୍ନ ଟିଭି ଚ୍ୟାନେଲ ରଥଯାତ୍ରାର ସିଧାପ୍ରସାରଣ କରି ଯଥେଷ୍ଟ ଆୟ କରୁଥିଲେ ମଧ୍ୟ ଶ୍ରୀମନ୍ଦିରକୁ କିଛି ଦେଉ ନାହାନ୍ତି। ଏଣୁ ସିଧାପ୍ରସାରଣ ପାଇଁ ଏଭଳି ପଦକ୍ଷେପ ନିଆଯାଇଛି।

“ବିଶ୍ଵପ୍ରସିଦ୍ଧ ରଥଯାତ୍ରାର ସିଧାପ୍ରସାରଣ କେବଳ ଗୋଟିଏ ସଂସ୍ଥା କିମ୍ବା ଗୋଟିଏ ଟିଭି ଚ୍ୟାନେଲ କରିବ ଏଭଳି ନିଷ୍ପତ୍ତି ତାହା ଆଦୌ ଗ୍ରହଣୀୟ ନୁହଁ। ଜଗନ୍ନାଥ ବର୍ଷକରେ ଥରେ ବାହାରକୁ ଆସିଥାନ୍ତି। ସେହି ଯାତ୍ରାକୁ ଦେଖିବାର ଅଧିକାରକୁ ସଙ୍କୁଚିତ କରିବା ଆଦୌ ସ୍ପୃହଣୀୟ କି ଗ୍ରହଣୀୟ ନୁହଁ”, ଏପରି ମତ ରଖିଛନ୍ତି ଲେଖକ ତଥା ସଂସ୍କୃତି ବିଶେଷଜ୍ଞ ଅସିତ ମହାନ୍ତି।

ଶ୍ରୀମନ୍ଦିରର ରାଜସ୍ୱ ଆୟ ନା ଆଉ କିଛି?

ବର୍ଷ ବର୍ଷ ଧରି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାର ମୁକ୍ତ ଭାବେ ସିଧାପ୍ରସାରଣ କରି ଆସୁଛନ୍ତି ବିଭିନ୍ନ ଟିଭି ଚ୍ୟାନେଲ। ହେଲେ କେବେ ବି ରଥଯାତ୍ରାର ସିଧାପ୍ରସାରଣକୁ ନେଇ ଶ୍ରୀମନ୍ଦିରର ରାଜସ୍ୱ ଆୟ କଥା ଚିନ୍ତା କରି ନଥିଲା ଶ୍ରୀମନ୍ଦିର ପ୍ରଶାସନ। ତେବେ ହଠାତ୍ କ’ଣ ପାଇଁ ଚଳିତ ବର୍ଷ ସିଧାପ୍ରସାରଣକୁ ଆଳ କରି ପ୍ରଶାସନ ଶ୍ରୀମନ୍ଦିରର ରାଜସ୍ୱ ଆୟ କଥା ଚିନ୍ତା କଲା ତାକୁ ନେଇ ବିତର୍କ ଆରମ୍ଭ ହୋଇଛି। ଏହାକୁ ବିଭିନ୍ନ ମହଲରେ ନାପସନ୍ଦ କରାଯାଇଛି।

‘‘ମହାପ୍ରଭୁ ଜଗନ୍ନାଥ ହେଉଛନ୍ତି ବିଶ୍ୱର ଠାକୁର। ସିଧାପ୍ରସାରଣ ଉପରେ ଶ୍ରୀମନ୍ଦିର ପ୍ରଶାସନ ଯେଉଁ କଟକଣା ଲଗାଇଛନ୍ତି ତାହା ଅଗଣତାନ୍ତ୍ରିକ। ଏହି ନିଷ୍ପତ୍ତିକୁ ବାତିଲ କରାଯାଉ। ନହେଲେ ପରିସ୍ଥିତି ଆଗାମୀ ଦିନରେ ଜଟିଳ ହେବ’’, କହିଛନ୍ତି ଶ୍ରୀମନ୍ଦିରର ବରିଷ୍ଠ ସେବାୟତ ତଥା ଶ୍ରୀମନ୍ଦିର ପରିଚାଳନା କମିଟିର ସଦସ୍ୟ ରାମଚନ୍ଦ୍ର ଦାସ ମହାପାତ୍ର।

ନିଲାମରେ କେଉଁ ମିଡିଆ ସାମିଲ?

ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରାର ସିଧାପ୍ରସାରଣ ପାଇଁ ଟେଲିକାଷ୍ଟ ରାଇଟ୍ସକୁ ନେଇ ବିତର୍କ ଚାଲିଥିବା ବେଳେ ଆଜି ରାଜ୍ୟ ତଥା ବାହାରର ୭ଟି ଟିଭି ମିଡିଆ ଟେଣ୍ଡର ପକାଇଛନ୍ତି। ସେମାନଙ୍କ ମଧ୍ୟରେ ସର୍ବାଧିକ ୫୪ ଲକ୍ଷ ଟଙ୍କା କୋଟ୍ କରି ଓଟିଭି ସବୁଠାରୁ ଉପରେ ରହିଛି।

ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଡକାଯାଇଥିବା ଟେଣ୍ଡର ପାଇଁ ଆଜି (ସୋମବାର) ଅପରାହ୍ଣ ୪ଟା୩୦ ଯାଏଁ ସମୟ ଧାର୍ଯ୍ୟ କରାଯାଇଥିଲା। ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଓଟିଭି ସର୍ବାଧିକ ୫୪ ଲକ୍ଷ ଟଙ୍କା କୋଟ୍ କରି ଅନ୍ୟ ମିଡିଆମାନଙ୍କ ନିଦ ହଜାଇ ଦେଇଛି।

ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଓ ଜଗି ପଣ୍ଡାଙ୍କ ମାଲିକାନାରେ ଥିବା ଓଡ଼ିଶା ଟେଲିଭିଜନ କମ୍ପାନି ପକ୍ଷରୁ ଦୁଇଟି ଅଲଗା ଅଲଗା ଆବେଦନ ପକା ଯାଇଛି। ଓଟିଭି ଛଡ଼ା ପ୍ରାର୍ଥନା ଚ୍ୟାନେଲ ପାଇଁ ମଧ୍ୟ କମ୍ପାନି ଟେଣ୍ଡର ପକାଇଛି। ପ୍ରାର୍ଥନା ପକ୍ଷରୁ ୧୦ ଲକ୍ଷ ଟଙ୍କା କୋଟ୍ କରାଯାଇଛି।

ଏହି ଚର୍ଚ୍ଚିତ ଟେଣ୍ଡର ହାସଲ କରିବା ଓଟିଭି ପାଇଁ ଏକ ସମ୍ମାନର ପ୍ରଶ୍ନ ବୋଲି ବିଚାର କରାଯାଉଥିଲା। ଏହି ଦୃଷ୍ଟିରୁ କମ୍ପାନି ଅନ୍ୟମାନଙ୍କ ମଧ୍ୟରେ ସର୍ବାଧିକ ଟଙ୍କା ନିଲାମ ଡାକିଥିବା ଅନୁମାନ କରାଯାଉଛି।

ଏହି ପ୍ରତିଯୋଗିତାରେ ଏମ୍‌ବିସି ଦ୍ୱିତୀୟ ସ୍ଥାନରେ ରହିଛି। ଚ୍ୟାନେଲ ପକ୍ଷରୁ ରଥଯାତ୍ରା ଟେଲିକାଷ୍ଟ ରାଇଟ୍ସ ପାଇଁ ୩୬ ଲକ୍ଷ ଟଙ୍କା କମ୍ପାନି ଶ୍ରୀମନ୍ଦିର ପ୍ରଶାସନକୁ ଦେବାକୁ ପ୍ରସ୍ତୁତ ଅଛି।

ଓଟିଭି, ଏମ୍‌ବିସି ପରେ ତୃତୀୟ ସ୍ଥାନରେ ରହିଛି ନ୍ୟୁଜ୍-୧୮ ଓଡ଼ିଆ। ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନିଙ୍କ ମାଲିକାନାରେ ଥିବା ୧୫ ଲକ୍ଷ ଟଙ୍କା କୋଟ୍ କରିଛି।

ବିଜେଡିର ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ମାଲିକାନାରେ ଥିବା କନକ ନ୍ୟୁଜ ଏହି ଟେଣ୍ଡରରେ ଭାଗ ନେଇଛି। କନକ ସର୍ବନିମ୍ନ ୧ ଲକ୍ଷ ୨୫ ହଜାର ଟଙ୍କା କୋଟ୍ କରିଛି।

ଅନ୍ୟମାନଙ୍କ ମଧ୍ୟରେ ବିଜେଡିର କନ୍ଧମାଳ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତଙ୍କ କଳିଙ୍ଗ ଟିଭି ୧୦ ଲକ୍ଷ ଟଙ୍କା ଦେବାକୁ ପ୍ରସ୍ତୁତ ଅଛି।

ଏହି ଟେଣ୍ଡରରେ ଭାଗ ନେଇଥିବା ମୋଟ ୭ଟି କମ୍ପାନି ମଧ୍ୟରୁ ଓଡ଼ିଶା ବାହାରୁ ରହିଛି ସାଧନା ଟିଭି। ଏହି ଚ୍ୟାନେଲ ୪, ୪୪, ୪୪୪.୪୪ ଟଙ୍କା କୋଟ୍ କରି ରଥଯାତ୍ରା ରାଇଟ୍ସ ପ୍ରତିଯୋଗିତାକୁ ଏକ ରୋଚକ ମୋଡ଼ ଦେଇଛି।

 

ହାଇକୋର୍ଟରେ ପିଆଇଏଲ୍‌

ଟେଲିକାଷ୍ଟ ରାଇଟ୍ସ ପାଇଁ ଗୋଟିଏ ପଟେ ମିଡିଆ ମାଲିକମାନେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଟେଣ୍ଡର ପକାଉଥିବା ବେଳେ ଅନ୍ୟପଟେ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି। ଶ୍ରୀମନ୍ଦିର ପ୍ରଶାସନର ଏହି ନିଷ୍ପତ୍ତି ବିରୋଧରେ ପୁରୀର ସୂଚନା ଅଧିକାର କର୍ମୀ ପ୍ରସନ୍ନ ଦାଶ ଏହି ମାମଲା ରୁଜୁ କରିଛନ୍ତି। ନିଲାମ ପ୍ରକ୍ରିୟାକୁ ବାତିଲ କରିବାକୁ ସେ ମାମଲାରେ ଦର୍ଶାଇଛନ୍ତି।

‘‘ଜଗନ୍ନାଥ ହେଉଛନ୍ତି ଜଗତର ଠାକୁର। ତାକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ବ୍ୟବସାୟ କରିବାକୁ ଚିନ୍ତା କରୁଛି। ମହାପ୍ରଭୁଙ୍କ ରଥ ଯାତ୍ରାର ସିଧାପ୍ରସାରଣ ହେବା ଦିନରୁ ପୃଥିବୀର କୋଣ ଅନୁକୋଣରେ ଥିବା ବହୁ ଜଗନ୍ନାଥପ୍ରେମୀ ରଥଯାତ୍ରା ଦେଖିବାର ସୁଯୋଗ ପାଉଛନ୍ତି। କିନ୍ତୁ ଏବେ ପ୍ରଶାସନ ଯେଉଁ ନିଲାମ ପ୍ରକ୍ରିୟା କରୁଛନ୍ତି ତା’ ବିରୋଧରେ ଏହି ପିଆଇଏଲ୍‌’’, କହିଛନ୍ତି ପ୍ରସନ୍ନ ଦାଶ।

ମଙ୍ଗଳବାର ଉପରେ ନଜର

ରଥଯାତ୍ରା ଟେଲିକାଷ୍ଟ ରାଇଟ୍ସର ନିଲାମ ପ୍ରକ୍ରିୟାକୁ ନେଇ ବିତର୍କ ବଢ଼ିଛି। ବିଭିନ୍ନ ମହଲରେ ଏହାକୁ ନାପସନ୍ଦ କରାଯାଇଛି। ଫଳରେ ଅଡୁଆରେ ପଡ଼ିଛନ୍ତି ଶ୍ରୀମନ୍ଦିର ପ୍ରଶାସନ। ନିଲାମ ପ୍ରକ୍ରିୟାକୁ ଆଗକୁ ନେବେ ନା ଏଥିରୁ ଓହରି ଆସିବେ ତାକୁ ନେଇ ଚର୍ଚ୍ଚା ଲାଗି ରହିଛି।

ଶ୍ରୀମନ୍ଦିର ପରିଚାଳନା କମିଟି ଏବଂ ଛତିଶାନିଯୋଗ ସହ ଆଲୋଚନା ନକରି ଶ୍ରୀମନ୍ଦିର ପ୍ରଶାସନ ଏଭଳି ଏକଚାଟିଆ ନିଷ୍ପତ୍ତି ନେଇଛନ୍ତି। ଏହି ନିଷ୍ପତ୍ତି ଶ୍ରୀମନ୍ଦିର ପ୍ରଶାସନ ପାଇଁ ମହଙ୍ଗା ପଡ଼ିଛି। ବିଭିନ୍ନ ମହଲରୁ ସମାଲୋଚନା ହେବା ପରେ ମଙ୍ଗଳବାର ସକାରେ ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକ ବସିବ। ଏହି ବୈଠକରେ ଶ୍ରୀମନ୍ଦିର ପ୍ରଶାସନ ଟେଲିକାଷ୍ଟ ରାଇଟ୍ସର ନିଲାମ ପ୍ରକ୍ରିୟା ଉପରେ ମତାମତ ଲୋଡ଼ିବେ। ଏଣୁ ଏହି ବୈଠକରେ କିଛି ସଦସ୍ୟ ଅସହମତି ପ୍ରକାଶ କରିପାରନ୍ତି। ଏହାଛଡ଼ା ବିରୋଧ ହେବାର ବହୁ ସମ୍ଭାବନା ରହିଛି। ଏଣୁ ଶ୍ରୀମନ୍ଦିର ପ୍ରଶାସନ ନିଲାମ ପ୍ରକ୍ରିୟା ଉପରେ କ’ଣ ନିଷ୍ପତ୍ତି ନେଉଛନ୍ତି ତା’ ଉପରେ ସମସ୍ତଙ୍କ ନଜର ରହିଛି।

Comment