ଓଡ଼ିଶାଲାଇଭ୍‌ ବ୍ୟୁରୋ

କ୍ରିକେଟ୍‌ରୁ ସରିଲା ଯୁବରାଜ ଯୁଗ। ଅବସର ନେଲେ ଭାରତୀୟ କ୍ରିକେଟ ଷ୍ଟାର ତଥା ୨୦୧୧ ବିଶ୍ୱକପ୍‌ ବିଜେତା ଯୁବରାଜ ସିଂହ। ୩୭ ବର୍ଷୀୟ ଯୁବରାଜ ସୋମବାର ମୁମ୍ବାଇର ସାଉଥ୍‌ ହୋଟେଲ୍‌ରେ ଏକ ସାମ୍ବାଦିକ ସମ୍ମିଳନୀରେ ଏନେଇ ଘୋଷଣା କରିଛନ୍ତି। ତେବେ ଆସନ୍ତୁ ଜାଣିବା କ୍ରିକେଟ ସାମ୍ରାଜ୍ୟର ଯୁବରାଜଙ୍କ କ୍ରିକେଟ୍‌ ପ୍ରୋଫାଇଲ୍‌ ବିଷୟରେ।

୧୯୮୧ ମସିହା ଡିସେମ୍ବର ୧୨ରେ ପଞ୍ଜାବର ଚଣ୍ଡିଗଡ଼ଠାରେ ଯୁବରାଜ ସିଂହଙ୍କ ଜନ୍ମ। ପିଲାଟି ଦିନରୁ ୟୁଭି କ୍ରିକେଟ୍‌ ପ୍ରତି ଆକର୍ଷିତ ହୋଇଥିଲେ। ସେଥିପାଇଁ ଯୁବରାଜ ହେଉଛନ୍ତି ଏକ ମାତ୍ର ଭାରତୀୟ ଖେଳାଳି ଯିଏ ୧୫ ବର୍ଷରୁ କମ୍‌, ୧୮ ବର୍ଷରୁ କମ୍‌, ଟି-୨୦ ଏବଂ ଦିନିକିଆ କ୍ରିକେଟ୍‌ ବିଶ୍ୱକପ୍‌ରେ ନିଜର ଦମ୍‌ଦାର ପ୍ରଦର୍ଶନ ଦେଖାଇଛନ୍ତି।

କ୍ରିକେଟ୍‌ କ୍ୟାରିଅର

ଯୁବରାଜ ସିଂହ ତାଙ୍କର ପ୍ରଥମ ଦିନିକିଆ ମ୍ୟାଚ୍‌ କେନିୟା ବିପକ୍ଷରେ ଖେଳିଥଲେ। ତେବେ ୨୦୧୭ ଜୁନ୍ ୩୦ ତାରିଖରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ସେ ଶେଷ ଦିନିକିଆ ଖେଳିଥିଲେ। ଦିନିକିଆ କ୍ରିକେଟ୍‌ରେ ଯୁବରାଜ ୩୦୪ଟି ମ୍ୟାଚ୍‌ ଖେଳି ୬୭୦୧ ରନ୍‌ ସଂଗ୍ରହ କରିଛନ୍ତି। ସେଥିମଧ୍ୟରୁ ୧୪ଟି ଶତକ ଏବଂ ୫୨ଟି ଅର୍ଦ୍ଧଶତକ ରହିଛି। ନିଜ ଦିନିକିଆ କ୍ୟାରିୟରରେ ୟୁଭି ୯୦୮ଟି ଚୌକା ଏବଂ ୧୫୫ଟି ଛକା ମାରିଛନ୍ତି।

୨୦୦୭ ସେପ୍ଟେମ୍ବର ୧୩ରେ ସ୍କଟଲ୍ୟାଣ୍ଡ ବିପକ୍ଷରେ ୟୁଭି ନିଜ ଟି-ଟ୍ୱେଣ୍ଟି ମ୍ୟାଚ୍‌ ଡେବ୍ୟୁ କରିଥିଲେ। ଶେଷ ଥର ପାଇଁ ୨୦୧୭ ଫେବ୍ରୁଆରୀ ୧ ତାରିଖରେ ଇଂଲଣ୍ଡ ବିପକ୍ଷରେ ସେ ଟି-ଟ୍ୱେଣ୍ଟି ମ୍ୟାଚ୍‌ ଖେଳିଥିଲେ। ଯୁବରାଜ ୫୮ ଟି-ଟ୍ୱେଣ୍ଟି ମ୍ୟାଚ୍‌ ଖେଳି ୧୧୭୭ ରନ୍‌ ସଂଗ୍ରହ କରିଛନ୍ତି।

ସେହିପରି ୨୦୦୩ ମସିହାରେ ନିଜ ଟେଷ୍ଟ କ୍ୟାରିଅର ଆରମ୍ଭ କରିଥିବା ଯୁବରାଜ ୨୦୧୨ରେ ଇଂଲଣ୍ଡ ବିପକ୍ଷରେ ସେ ଶେଷ ଟେଷ୍ଟ୍ ମ୍ୟାଚ୍ ଖେଳିଥିଲେ।

କ୍ୟାନ୍‌ସରରୁ ଜୟ

ବିଶ୍ୱକପ୍‌ ପରେ ଯୁବରାଜ କ୍ୟାନ୍‌ସରରେ ପୀଡ଼ିତ ଥିବା ଜଣାପଡ଼ିଥିଲା। କ୍ୟାନ୍‌ସର ସହ ସଂଘର୍ଷ କରି ବିଜୟ ହୋଇଥିବା ୟୁଭି ପନର୍ବାର କ୍ରିକେଟ ଦୁନିଆକୁ ଫେରିଥିଲେ। ହେଲେ ପୂର୍ବପରି କ୍ରିକେଟରେ ଯୁବରାଜଙ୍କ ଫର୍ମ ରହିଲାନି।

୨୦୧୯ ବିଶ୍ୱକପ୍‌ରେ ଯୁବରାଜ ସଂହ ଖେଳିବାକୁ ଚାହୁଁଥିଲେ। ହେଲେ ନିଜର ଖରାପ ଫର୍ମ ଓ ଫିଟ୍‌ନେସ୍ କାରଣରୁ ତାଙ୍କର ଏହି ସ୍ୱପ୍ନ ପୂରଣ ହୋଇପାରିଲା ନାହିଁ। ଆଜି ସେ କ୍ରିକେଟ୍‌ ଜଗତରୁ ଅବସର ନେଇଛନ୍ତି।

୨୦୧୧ ଦିନିକିଆ ବିଶ୍ୱକପ୍‌  ହେଉ ଅବା ୨୦୦୭ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ କଥା ଉଠିଲେ, ଯୁବରାଜ ପ୍ରଥମେ ଆଲୋଚନାର କେନ୍ଦ୍ରବିନ୍ଦୁ ପାଲଟନ୍ତି। ୨୦୦୭ରେ ଇଂଲଣ୍ଡ ବିପକ୍ଷ ମ୍ୟାଚ୍‌ରେ ୟୁଭିଙ୍କ ୬ ବଲ୍‌ରେ ୬ ଛକା ଆଜି ବି କ୍ରିକେଟ୍‌ ପେମୀଙ୍କ ହୃଦୟରେ ଘର କରିଛି। ଆଜି ଆନ୍ତର୍ଜାତିକ କ୍ରିକେଟରୁ ଯୁବରାଜ ଅବସର ନେଇଛନ୍ତି ହେଲେ ତାଙ୍କ ଖାଲି ସ୍ଥାନ ଆଜି ବି ଭାରତୀୟ କ୍ରିକେଟ୍‌ ଟିମ୍‌ରେ ରହିବ।

Comment