ଓଡ଼ିଶାଲାଇଭ୍ ବ୍ୟୁରୋ

ଲୋକପ୍ରିୟ ଲେଖିକା ଅପର୍ଣ୍ଣା ମହାନ୍ତି ଓଡ଼ିଶାଲାଇଭକୁ ନିଜର ରଜର କିଛି ଅଭୁଲା ସ୍ମୃତି ଏବଂ କିଶୋରୀ ଜୀବନର ରଜ–କଥା

ଆଜିକୁ ପ୍ରାୟ ୫୦ ବର୍ଷ ତଳେ ଓଡ଼ିଶାର ଗାଁଗହଳିର ସେହି ରଜ ମଉଜର କଥା ମନେପଡ଼ିଲେ ସୁନ୍ଦର ସ୍ୱପ୍ନଟିଏ ଦେଖିଲା ପରି ଲାଗେ। ରଜର ମାସେ ଆଗରୁ ଆରମ୍ଭ ହୋଇଥାଏ ପ୍ରସ୍ତୁତି। ବିଦେଶରେ ଥିବା ଲୋକ ଘରକୁ ଫେରନ୍ତି। କେଲୁଣି ଓ ଫେରିବାଲା ଶାଢି, ଚୁଡ଼ି, ଅଳତା, ସିନ୍ଦୁର, ଚନ୍ଦନ, ଅସରା ଧରି ଗାଁ ଗାଁ ବୁଲନ୍ତି। ଆମ ଝିଅମାନଙ୍କ କାମ ଥିଲା ମନପସନ୍ଦର ଜିନିଷ କିଣିବା ଓ ବଉଳ ଫୁଲ ଗୋଟେଇ ମୋଟା ମୋଟା ମାଳ କରି ରଖିବା। ଶୁଖିଲା ବଉଳ ଫୁଲର ମୋଟା ଗଜରା ବେଣୀରେ ନ ଝୁଲାଇଲେ ରଜର ସଜବାଜ ପୂରା ହେଉନଥିଲା।

ତା’ ପରେ ସପ୍ତାହେ ଆଗରୁ ଗୁଆ ଭାଙ୍ଗି ପାନ ମସଲା ଭଜାଭଜି କରି ରଖିବାକୁ ହେଉଥିଲା। ଦିନକ ପୂର୍ବରୁ ଦାନ୍ତକାଠି କାଟିବା, ପରିବା କଟା, ମସଲା ଓ ପିଠଉ ବଟା ଆଦି କାମ ସାରିବାକୁ ହେଉଥିଲା ବୋଉ ସାଙ୍ଗରେ ମିଶି। ସଜବାଜ ଦିନ ହିଁ କାକରା ଆରିସା ଆଦି ଛଣାଛଣି ହେଲା ପରେ ସେହି ଚୁଲି ନିଆଁରେ ରାତିରେ ପୋଡ଼ପିଠା ଲଦି ଦେଇ ଶୋଇପଡ଼ୁଥିଲେ।

ପହିଲି ରଜର ରାତି ନ ପାହୁଣୁ ନୂଆ ଲୁଗା ପିନ୍ଧି ଚନ୍ଦନ, ସିନ୍ଦୁର, ଅଳତା ଓ ଯାହାର ଯାହା ଗହଣାଗାଣ୍ଠି ନାଇ ଆମେ ଝିଅମାନେ ତୈଆର। ଭାଇମାନେ ତ ପୂର୍ବ ଦିନରୁ କଞ୍ଚା ବାଉଁଶ ଦୋଳି ବାନ୍ଧି ଦେଇଥାନ୍ତି। ଅଣ୍ଟାରେ କାନି ଗୁଡ଼େଇ ଦେଇ ଦି ଦି ଜଣ ସେ ଦୋଳିରେ ଠିଆ ହୋଇ ହୁପା ମାରି ଗୀତ ବୋଲି ଗଗନ ଛୁଇଁବା ଭଙ୍ଗୀରେ ଝୁଲିବାର କି ମଜା।

ସାହିରେ ଜଣକର ବଡ଼ ମେଲା୍ଘର ଦେଖି ରଜଶେଜ ପରାହୁଏ। ଆମେ ଝିଅମାନେ ସେ ତିନି ଦିନ ଗାଧୁଆ ପାଧୁଆ କରୁନା, ମାଟିରେ ପାଦ ଲଗାଉନା, ଚପଲ ପିନ୍ଧି କାରବାର କରୁ। ଆମ ଘର ପାଖ ଗୋବରୀ ନଈରୁ ଗୋଖାମାନେ ବଡ଼ମାଛ ଧରି ଆଣି ଦେଇଯାନ୍ତି। ଖାସି କଟା ହେଲେ ଧୋ‌ଇଆଣି ତାଳପତ୍ରରେ ଗୁଡ଼ାଇ ଦେଇଯାଏ। ତା’ ଛଡ଼ା ପାନଖିଆ, ପିଠାଖିଆର ମଜା ଅଲଗା।

ରଜ ଘରେ ପାନଡାଲା, ଲୁଡୁ, ତାସ, ପଶାପାଲି ରଖାହୁଏ। ପୁଅମାନେ ବାଗୁଡ଼ି ଖେଳନ୍ତି। ଆମ ଝିଅମାନଙ୍କୁ ସମସ୍ତେ ଖାଇବାକୁ ଡାକନ୍ତି। ବେଳେବେଳେ ଓଳିକରେ ୩/୪ ଘରେ ଯାଇ ଘରେ ଯାଇ ଖାଇବାକୁ ହୁଏ। ବୋହୂମାନଙ୍କ ଘରୁ ରଜଭାର ଆସେ। ମିଠେଇ, ଉଖୁଡ଼ା ବଣ୍ଟାବଣ୍ଟିର ଦାୟିତ୍ୱ ବି ପଡ଼େ।

ଆମ ଗାଁ ଗରାପୁରର ଜମିଦାର ଲତିଫ୍ ଖାଁଙ୍କ ଘର ସହ ଆମର ସୁରୁଜୁ ଘର ବନ୍ଧୁସମ୍ପର୍କ ଥିଲା। ତାଙ୍କ ଘରର ଝିଅବୋହୂମାନେ ରଜରେ ରିକ୍ସାରେ ଶାଢ଼ି ଘେରେଇ ପରଦା ଭିତରେ ଆମ ଘରକୁ ଆସନ୍ତି। ସେ ସବୁ ସ୍ମୃତି ଆଜି କେବଳ ସ୍ମୃତି ହୋଇରହିଛି। ମୋ ଜୀବନର ଶେଷ ରଜ ଥିଲା ୧୯୭୫ ମସିହାର ରଜ ମୋ ଶାଶୂଘର ପାଟକୁରାର କଳାବୁଦା ଗାଁରେ। ସେଦିନ ବିଜୁଳି ନଥିବା ସେହି ଗାଁରେ ସଜବାଜ ଦିନ ସନ୍ଧ୍ୟା ବେଳୁ ଲଣ୍ଠନ ଜାଳି ପ୍ରାୟ ଆମେ ୩୦/ ୩୫ ଜଣ ନଣନ୍ଦ ଝିଆରୀଙ୍କୁ ସଜ କରୁ କରୁ ନୂଆବୋହୂ (ମୁଁ)ର ରାତି ପାହିଯାଇଥିଲା। ସେମିତି ରଜ ଆଉ କାହିଁ?

Comment