ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ

ରଥଯାତ୍ରା ସିଧାପ୍ରସାରଣ ମାମଲାରେ ୟୁଟର୍ଣ୍ଣ ମାରିଲା ଶ୍ରୀମନ୍ଦିର ପ୍ରଶାସନ।

ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାର ସିଧାପ୍ରସାରଣ ପାଇଁ ଟେଲିକାଷ୍ଟ ରାଇଟ୍‌ସର ନିଲାମ ଡାକିଥିବା ଶ୍ରୀମନ୍ଦିର ପ୍ରଶାସନ ଏବେ ପଛଘୁଞ୍ଚା ଦେଇଛି। ରଥଯାତ୍ରାର ସିଧାପ୍ରସାରଣ ସବୁ ଟିଭି ଚ୍ୟାନେଲ କରିପାରିବେ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି। ତେବେ ଟେଲିକାଷ୍ଟ ରାଇଟ୍ସ ପାଇଁ ୪ ତାରିଖରେ ବିଜ୍ଞପ୍ତି ଏବଂ ୧୦ ତାରିଖରେ ଟେଣ୍ଡର ଡାକିଥିବା ଶ୍ରୀମନ୍ଦିର ପ୍ରଶାସନ ହଠାତ୍ ୟୁଟର୍ଣ୍ଣ ମାରିବାର କାରଣ କ’ଣ ବୋଲି ବିଭିନ୍ନ ମହଲରେ ପ୍ରଶ୍ନବାଚୀ ଉଠିଛି।

ଅଢ଼େଇ ଘଣ୍ଟାର ରୁଦ୍ଧଦ୍ୱାର ବୈଠକ

ରଥଯାତ୍ରା ସିଧାପ୍ରସାରଣ ଟେଲିକାଷ୍ଟ ରାଇଟ୍ସ ପାଇଁ ୧୦ ତାରିଖରେ ୭ଟି ମିଡିଆ ଟେଣ୍ଡର ପକାଇଥିଲେ। ସେଥିମଧ୍ୟରେ ଓଟିଭି ସର୍ବାଧିକ ୫୪ ଲକ୍ଷ ଟଙ୍କା କୋଟ୍ କରିଥିଲା। ଅନ୍ୟମାନଙ୍କ ମଧ୍ୟରେ କନକ, ଏମବିସି, କଳିଙ୍ଗ, ନ୍ୟୁଜ-୧୮, ପ୍ରାର୍ଥନା ଏବଂ ଓଡ଼ିଶା ବାହାରର ସାଧନା ଟିଭି ଚ୍ୟାନେଲ ଟେଣ୍ଡର ପକାଇଥିଲେ।

ଟେଲିକାଷ୍ଟ ରାଇଟ୍ସ କାହାକୁ ଦେବେ ଏବଂ କାହାକୁ ନଦେବେ ସେନେଇ ଆଜି ବସିଥିଲା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ। ପ୍ରାୟ ୧୧ଟା୪୫ ମିନିଟରେ ଆରମ୍ଭ ହୋଇଥିବା ରୁଦ୍ଧଦ୍ୱାର ବୈଠକ ପ୍ରାୟ ୨ଟା ପର୍ଯ୍ୟନ୍ତ ଚାଲିଥିଲା। ଏହି ବୈଠକରେ ରଥଯାତ୍ରାର ନୀତିକାନ୍ତି ଏବଂ ଟେଲିକାଷ୍ଟ ରାଇଟ୍ସ ଉପରେ ମୁଖ୍ୟତଃ ଆଲୋଚନା ହୋଇଥିଲା।

ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ପୁରୀ ଜିଲ୍ଲାପାଳଙ୍କ ସମେତ ୧୬ ଜଣ ସଦସ୍ୟ ଉପସ୍ଥିତ ଥିଲେ। ଏହି ବୈଠକରେ ଟେଲିକାଷ୍ଟ ରାଇଟ୍ସକୁ ନେଇ ଆଲୋଚନା ହୋଇଥିଲା। ତେବେ ଜଗନ୍ନାଥ ସମସ୍ତଙ୍କର ହୋଇଥିବାରୁ ପ୍ରଚାର ପ୍ରସାରରେ ବାଧା ସୃଷ୍ଟି କରିବା ଠିକ୍ ନୁହେଁ ବୋଲି ବୈଠକରେ ମତ ପ୍ରକାଶ ପାଇଥିଲା।

ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇଥିଲେ। ସେ କହିଥିଲେ, ‘‘ରଥଯାତ୍ରାର ପ୍ରଚାର ପ୍ରସାର ପାଇଁ କୌଣସି ଟିଭି ଚ୍ୟାନେଲକୁ ବାଦ୍ ଦିଆଯିବ ନାହିଁ। ଶ୍ରୀମନ୍ଦିରର ବିକାଶ ପାଇଁ କେଉଁ ମିଡିଆ କେତେ ଟଙ୍କା ଦେଇ ପାରିବ ସେଥିପାଇଁ ଏହି ଟେଣ୍ଡର ବ୍ୟବସ୍ଥା କରାଯାଇଥିଲା। ଆସନ୍ତା ଦିନେ ଦୁଇ ଦିନ ଭିତରେ ଏନେଇ ମିଡିଆ ମାଲିକମାନଙ୍କ ସହ ଆଲୋଚନା କରାଯିବ।’’

ତେବେ ଏଠାରେ ପ୍ରଶ୍ନ ଉଠୁଛି ଯଦି ମିଡିଆ ମାଲିକଙ୍କ ସହ ଆଲୋଚନା କରିବାର ଥିଲା ତାହାଲେ ଶ୍ରୀମନ୍ଦିର ପ୍ରଶାସନ ନିଲାମ ପ୍ରକ୍ରିୟା କରି ଏଭଳି ନାଟକବାଜି କରୁଥିଲା କାହିଁକି? ଯଦି ସବୁ ଚ୍ୟାନେଲକୁ ରଥଯାତ୍ରା ସିଧାପ୍ରସାରଣ ପାଇଁ ଅନୁମତି ଦେବାର ଥିଲା ତାହାଲେ ବିଜ୍ଞପ୍ତି ଏବଂ ବିଡିଂ ପ୍ରକ୍ରିୟା କରାଯାଇଥିଲା କାହିଁକି?

ଘୋଷକମାନଙ୍କୁ ନେଇ ପ୍ରଶ୍ନ ଉଠାଇଲା ଶ୍ରୀମନ୍ଦିର ପ୍ରଶାସନ

ବିଭିନ୍ନ ଟିଭି ଚ୍ୟାନେଲରେ ରଥଯାତ୍ରାର ସିଧାପ୍ରସାରଣ ଚାଲିଥିବା ବେଳେ ଜଗନ୍ନାଥ ସଂସ୍କୃତି ଓ ପରମ୍ପରା ଉପରେ ଘୋଷକମାନେ ଧାରା ବିବରଣୀ ଦେଇଥାନ୍ତି। ତେବେ ଏହି ଘୋଷକମାନଙ୍କ ଜ୍ଞାନ ଉପରେ ଆଜି ପ୍ରଶ୍ନ ଉଠାଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। କେଉଁ ଟିଭି ଚ୍ୟାନେଲ କାହାକୁ ଘୋଷକ ରଖିବେ ତାର ତାଲିକା ଶ୍ରୀମନ୍ଦିର ପ୍ରଶାସନକୁ ଦେବାକୁ ପଡ଼ିବ ବୋଲି କହିଛନ୍ତି ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର।

‘‘ବିଭିନ୍ନ ଟିଭି ଚ୍ୟାନେଲରେ ଧାରା ବିବରଣୀ ଦେଉଥିବା କେତେକ ଘୋଷକମାନେ ଜଗନ୍ନାଥ ସଂସ୍କୃତି ଉପରେ ଭୁଲ୍ ତଥ୍ୟ ଦେଉଛନ୍ତି। ଏହା ଗ୍ରହଣୀୟ ନୁହେଁ। ଏଣୁ ଏଥର କେଉଁ ଟିଭି ଚ୍ୟାନେଲ କାହାକୁ ଘୋଷକ ରଖିବେ ତାର ଏକ ଆଗୁଆ ତାଲିକା ଦେବାକୁ ପଡ଼ିବ’’, କହିଛନ୍ତି ପ୍ରଦୀପ୍ତ ମହାପାତ୍ର।

ଏବେ ନୁହେଁ, ବର୍ଷ ବର୍ଷ ଧରି ବିଭିନ୍ନ ଟିଭି ଚ୍ୟାନେଲ ରଥଯାତ୍ରାର ସିଧା ପ୍ରସାରଣ କରି ଆସୁଛନ୍ତି। ଘୋଷକମାନେ ଧାରା ବିବରଣୀ ଦେଇ ଆସୁଛନ୍ତି। ତେବେ କେଉଁ ବର୍ଷ ଶ୍ରୀମନ୍ଦିର ପ୍ରଶାସନ ଘୋଷକମାନଙ୍କ ଜ୍ଞାନ ଉପରେ ପ୍ରଶ୍ନ ଉଠାଇ ନଥିବା ବେଳେ ଏବେ ହଠାତ୍ କାହିଁକି ପ୍ରଶ୍ନ ଉଠାଇଲା ତାକୁ ନେଇ ମଧ୍ୟ ତର୍ଜମା ଚାଲିଛି।

ଭୟ କଲାକି ପ୍ରଶାସନ?

ଯେଉଁ ଦମ୍ଭରେ ରଥଯାତ୍ରାର ସିଧାପ୍ରସାରଣ ପାଇଁ ଟେଲିକାଷ୍ଟ ରାଇଟ୍ସ ନିଲାମ ପାଇଁ ଶ୍ରୀମନ୍ଦିର ପ୍ରଶାସନ ଆଗକୁ ଆସିଥିଲା ସେହି ଦମ୍ଭ ଆଜି ବୈଠକ ପରେ ଦେଖିବାକୁ ମିଳି ନଥିଲା। ନିଲାମ ପ୍ରକ୍ରିୟାରେ ପଛଘୁଞ୍ଚା ଦେଇଛନ୍ତି ଶ୍ରୀମନ୍ଦିର ପ୍ରଶାସନ।

ଗୋଟିଏ ପଟେ ଟେଣ୍ଡର ବାତିଲ ହୋଇ ନଥିବା କହୁଥିବା ବେଳେ ଅନ୍ୟପଟେ ସବୁ ଟିଭି ଚ୍ୟାନେଲ ସିଧାପ୍ରସାରଣ କରିପାରିବେ ବୋଲି ପ୍ରଶାସକ କହୁଛନ୍ତି। ତେବେ ପ୍ରଶାସକ ଏଭଳି ‘ଥା ଥା ମା ମା’ କହି ମନ୍ତବ୍ୟ ଦେବାର କାରଣ କ’ଣ ବୋଲି ପ୍ରଶ୍ନ ଉଠିଛି।

ନିଲାମ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ଦିନରୁ ଜଗନ୍ନାଥ ସଂସ୍କୃତି ସହ ଜଡ଼ିତ ବ୍ୟକ୍ତି ଏହାକୁ ନାପସନ୍ଦ କରିଥିଲେ। ବିଭିନ୍ନ ମହଲରୁ ତୀବ୍ର ସମାଲୋଚନା ମଧ୍ୟ କରାଯାଇଥିଲା। ଶ୍ରୀମନ୍ଦିର ପରିଚାଳନା କମିଟି, ଛତିଶା ନିଯୋଗ ସହ ଆଲୋଚନା ନକରି ପ୍ରଶାସନ ଏକଚାଟିଆ ନିଷ୍ପତ୍ତି ନେଇଥିବାରୁ ଅଡୁଆରେ ପଡ଼ଥିଲା ପ୍ରଶାସନ।

ଏଣୁ ଏହି ନିଲାମ ପ୍ରକ୍ରିୟାକୁ ଚୂଡ଼ାନ୍ତ ନିଷ୍ପତ୍ତି ନୁହେଁ ବୋଲି କହି ଆସୁଥିଲେ ପ୍ରଶାସକ। ଏବେ ବୈଠକ ପରେ ଶ୍ରୀମନ୍ଦିର ପ୍ରଶାସନ ୟୁଟର୍ଣ୍ଣ ମାରିଥିବାରୁ କାହା ନିଷ୍ପତ୍ତିରେ ଟେଲିକାଷ୍ଟ ରାଇଟ୍ସ ନିଲାମ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା ତାକୁ ନେଇ ପ୍ରଶ୍ନବାଚୀ ଉଠିଛି।

Comment