ଓଡ଼ିଶାଲାଇଭ ପଲିଟିକାଲ ବ୍ୟୁରୋ

ପାଟକୁରା ପାଇଁ ବିଜେଡିର ସମରସଜା। ବିଜେପି ବି ପଡ଼ିନି ପଛରେ।

ପାଟକୁରାରେ କେବେ ହେବ ନିର୍ବାଚନ ସେନେଇ ନିର୍ବାଚନ କମିଶନ କୌଣସି ତାରିଖ ଘୋଷଣା କରି ନାହାନ୍ତି। ହେଲେ ଏବେଠୁ ପାଟକୁରାରେ ପଲିଟିକାଲ ଡ୍ରାମା ଜମିଲାଣି। କିଏ ପାଟକୁରାକୁ ହାତେଇବ ସେନେଇ ବିଜେପି ଏବଂ ବିଜେଡି ଅଙ୍କ କଷୁଛନ୍ତି।

ବିଜେଡି ପ୍ରତି ପଞ୍ଚାୟତ ଜଗିବା ପାଇଁ ମନ୍ତ୍ରୀ ଏବଂ ବିଧାୟକମାନଙ୍କୁ ଦାୟିତ୍ୱ ଦେଇଛି। କେବଳ ବିଜୟ ମହାପାତ୍ରଙ୍କୁ ପରାଜିତ କରିବା ପାଇଁ ବିଜେଡିର ଏହି ସମରସଜା ବୋଲି ଚର୍ଚ୍ଚା ହେଉଛି।

ଡେରାବିଶ ବ୍ଲକର ୨୬ଟି ପଞ୍ଚାୟତ ଦାୟିତ୍ଵରେ ମନ୍ତ୍ରୀ ଅରୁଣ ସାହୁ ଓ ବିଜେଡିର ସାଧାରଣ ସମ୍ପାଦକ ସଞ୍ଜୟ ଦାସବର୍ମାଙ୍କୁ ରଖାଯାଇଛି।

ଗରଦପୁର ବ୍ଲକ ଦାୟିତ୍ଵରେ ରହିଛନ୍ତି ମନ୍ତ୍ରୀ ରଣେନ୍ଦ୍ରପ୍ରତାପ ସ୍ଵାଇଁ। ମାର୍ଶାଘାଇ ବ୍ଲକର ୭ ଟି ପଞ୍ଚାୟତ କଥା ବୁଝିବେ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ। ଏହାଛଡା ଗରଦପୁର ଓ ମାର୍ଶାଘାଇ ବ୍ଲକର ନିର୍ବାଚନ ପରିଚାଳନା ଦାୟିତ୍ୱ ପାଟକୁରାର ପୂର୍ବତନ ବିଧାୟକ ଅତନୁସବ୍ୟସାଚୀ ନାୟକଙ୍କୁ ଦିଆଯାଇଛି। ସେହିପରି ଡେରାବିଶ ବ୍ଲକର ନିର୍ବାଚନ ପରିଚାଳନା ଦାୟିତ୍ୱ ଆଳିର ବିଧାୟକଙ୍କୁ ଦିଆଯାଇଥିବା ଚର୍ଚ୍ଚା ହେଉଛି।

ଏହାସହ ପ୍ରତି ପଞ୍ଚାୟତରେ ଜଣେ ଲେଖାଏଁ ବିଧାୟକଙ୍କୁ ନିଯୁକ୍ତ କରିବାକୁ ବିଜେଡି ରଣନୀତିଜ୍ଞମାନେ ରଣନୀତି ପ୍ରସ୍ତୁତ କରୁଛନ୍ତି। ତୃଣମୂଳ ସ୍ତରର ଲୋକଙ୍କ ସହ ଏମାନେ ମିଶିବେ ଏବଂ ସେମାନଙ୍କ ସୁବିଧା ଅସୁବିଧାରେ ସାମିଲ ହେବେ। ବିଜେଡି ଖାତାକୁ ଅଧିକ ଭୋଟ କେମିତି ଆସିବ ସେନେଇ ବିଧାୟକମାନେ କାମ କରିବେ।

ବିଜେଡି ପାଇଁ ପାଟକୁରା ଚାଲେଞ୍ଜ

୨୦୧୯ ବିଧାନସଭା ଏବଂ ଲୋକସଭା ନିର୍ବାଚନ ପରେ ପାଟକୁରା ଆସନ ବିଜେଡି ପାଇଁ ଚାଲେଞ୍ଜ ହୋଇଯାଇଛି। ୧୧୨ ଆସନ ପାଇ ସରକାର ଗଢ଼ିଥିବା ବିଜେଡି ପାଟକୁରା ଆସନ ଜିତି ବିଧାୟକଙ୍କ ସଂଖ୍ୟା ୧୧୩ କରିବା ଲକ୍ଷ୍ୟରେ ରହିଛି। ୧୯ ବର୍ଷ ହେଲା କ୍ଷମତାଠାରୁ ଦୂରରେ ରହିଥିବା ବିଜୟ ମହାପାତ୍ରଙ୍କୁ ପୁଣିଥରେ କ୍ଷମତାଠାରୁ ଦୂରରେ ରଖିବା ପାଇଁ ବିଜେଡି ଗଣିତ କଷୁଛି। ଏଥିପାଇଁ ପଞ୍ଚାୟତ ସ୍ତରରେ ମନ୍ତ୍ରୀ, ବିଧାୟକମାନଙ୍କୁ ଦାୟିତ୍ୱ ଦେଇଛି।

ବିଜୁ ଜନତା ଦଳ ୨୦୦୪ରୁ ପାଟକୁରା ଆସନକୁ ନିଜ ଦଖଲରେ ରଖି ଆସିଥିଲା। ୨୦୦୪ରେ ଅତନୁସବ୍ୟସାଚୀ ନାୟକ, ୨୦୦୯ ଏବଂ ୨୦୧୪ରେ ବେଦପ୍ରକାଶ ଅଗ୍ରୱାଲ ଏହି ଆସନରୁ ନିର୍ବାଚିତ ହୋଇ ଆସୁଥିଲେ। ୨୦୧୯ରେ ବି ପାଟକୁରାରେ ବିଜେଡି ବେଦପ୍ରକାଶ ଅଗ୍ରୱାଲଙ୍କୁ ପ୍ରାର୍ଥୀ କରିଥିଲା।

ହେଲେ ନିର୍ବାଚନ ଯୁଦ୍ଧ ପୂର୍ବରୁ ଜୀବନ ଯୁଦ୍ଧରେ ହାରିଯାଇଥିଲେ ବଦେପ୍ରକାଶ। ଏପ୍ରିଲ ୨୯ ନିର୍ବାଚନ ପୂର୍ବରୁ ବେଦପ୍ରକାଶଙ୍କର ଦେହାନ୍ତ ହୋଇଥିଲା। ଫଳରେ ନିର୍ବାଚନ ମେ’ ୧୯କୁ ଘୁଞ୍ଚିଥିଲା। କିନ୍ତୁ ବାତ୍ୟା ଫନି ପାଇଁ ନିର୍ବାଚନ ଘୁଞ୍ଚାଇବାକୁ ବିଜେଡି ନିର୍ବାଚନ କମିଶନଙ୍କ ନିକଟରେ ଦାବି କରିବା ପରେ ୬୦ ଦିନ ପାଇଁ ନିର୍ବାଚନ ଘୁଞ୍ଚିଛି।

ବେଦପ୍ରକାଶଙ୍କ ସ୍ତ୍ରୀ ସାବିତ୍ରୀ ଅଗ୍ରୱାଲଙ୍କୁ ପ୍ରାର୍ଥୀ କରିଛି ବିଜେଡି। ବିଜେପି ପ୍ରାର୍ଥୀ ବିଜୟଙ୍କ ବିପକ୍ଷରେ ପ୍ରାର୍ଥୀ ହୋଇଥିବା ସାବିତ୍ରୀ ଅନୁକମ୍ପା ଭୋଟ ହାତେଇବା ଲକ୍ଷ୍ୟରେ ଅଛନ୍ତି। ଏହାଛଡ଼ା ବିଜୟ ପାଟକୁରାର ପୁରୁଣା ନେତା ହୋଇଥିବାରୁ ତାଙ୍କୁ ମାତ୍ ଦେବା ପାଇଁ ବିଜେଡି ପଞ୍ଚାୟତ ଜଗିବା ଆରମ୍ଭ କରିଛି।

ବିଜୟଙ୍କ ପାଇଁ ଚାଲେଞ୍ଜ

୧୯୮୦ ଉପନିର୍ବାଚନରୁ ବିଜୟ ପାଟକୁରାରୁ ନିଜର ନିର୍ବାଚନ ଜୟଯାତ୍ରା ଆରମ୍ଭ କରିଥିଲେ। ଜନତା ଦଳରୁ ସେ ୨୦୦୦ ଯାଏଁ ବିଧାୟକ ଭାବେ ନିର୍ବାଚିତ ହୋଇ ଆସିଥିଲେ। ବିଜୁ ବାବୁଙ୍କ ଦେହାନ୍ତ ପରେ ଭାଙ୍ଗି ଯାଇଥିଲା ଜନତା ଦଳ। ବିଜୁଙ୍କ ନାଁରେ ଗଢ଼ା ହୋଇଥିଲା ବିଜୁ ଜନତା ଦଳ। ଏହି ଦଳ ଗଠନ ହେବା ପଛରେ ବିଜୟଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ନବଗଠିତ ବିଜେଡିର ସଭାପତି ହୋଇଥିଲେ ନବୀନ ପଟ୍ଟନାୟକ। ୨୦୦୦ ବିଧାନସଭା ନିର୍ବାଚନରେ ବିଜେଡି ପ୍ରଥମ ଥର ପାଇଁ ଭାଗ ନେଇଥିଲା। ବିଜୟ ସେତେବେଳେ ଟିକେଟ ବଣ୍ଟନ କମିଟିର ଅଧ୍ୟକ୍ଷ ଥିଲେ। କିଏ କେଉଁଠି ପ୍ରାର୍ଥୀ ହେବେ ତାହା ବିଜୟ ହିଁ ନିର୍ଣ୍ଣୟ କରୁଥିଲେ। କିନ୍ତୁ ପାଟକୁରା ଆସନ ପାଇଁ ଟିକେଟ ନେଇଥିବା ବିଜୟଙ୍କ ଟିକେଟ ଶେଷ ମୁହୂର୍ତ୍ତରେ କଟି ଯାଇଥିଲା। ହତବାକ୍ ହୋଇଯାଇଥିଲେ ବିଜୟ। ପରିସ୍ଥିତି ଏମିତି ହେଲା ଯେ ବିଜୟ ଆଉ ପ୍ରାର୍ଥିପତ୍ର ଦାଖଲ କରିପାରିଲେ ନାହିଁ।

ଶେଷରେ ବିଜୟ ଓଡ଼ିଶା ଗଣପରିଷଦ ନାଁରେ ଦଳ ଗଢ଼ିଥିଲେ। ଏହା ତିଷ୍ଠି ପାରିଲା ନାହିଁ। ଓଜିପିକୁ ଏନସିପିରେ ବିଲୀନ କରିଥିଲେ ବି ଏହା ସଫଳ ହେଲାନି। ବିଜୟ ବିଜେପିରେ ଯୋଗ ଦେଇଥିଲେ। ୨୦୦୯ରେ ବିଜୟ ପାଟକୁରାରେ ନିର୍ବାଚନ ଲଢ଼ି ପରାଜିତ ହେବା ପରେ ୨୦୧୪ରେ ମହାକାଳପଡ଼ାରୁ ପ୍ରାର୍ଥୀ ହୋଇଥିଲେ। କିନ୍ତୁ ସେଠି ବି ତାଙ୍କୁ ପରାଜୟର ମୁହଁ ଦେଖିବାକୁ ପଡ଼ିଥିଲା। ଏଥର ପୁଣି ବିଜୟ ତାଙ୍କ ପୁରୁଣା ଆସନ ପାଟକୁରାରୁ ପ୍ରାର୍ଥୀ ହୋଇଛନ୍ତି।

କୁହାଯାଉଛି ବିଜୟଙ୍କ ପାଇଁ ଏହା ଶେଷ ନିର୍ବାଚନ। କାରଣ ଆଗାମୀ ନିର୍ବାଚନ ବେଳକୁ ବିଜୟଙ୍କୁ ତାଙ୍କ ବୟସ ସାଥ୍ ଦେବନି। ଏଣୁ ଏହି ନିର୍ବାଚନରେ ବିଜୟ ବିଜୟୀ ହେବା ପାଇଁ ଉଦ୍ୟମ କରୁଛନ୍ତି। ଚଳିତ ନିର୍ବାଚନକୁ ବିଜୟ ଚାଲେଞ୍ଜ ଭାବେ ଗ୍ରହଣ କରିଛନ୍ତି।

ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ବିଜେଡି ଏବଂ ବିଜେପିର ସମରସଜାରୁ କିଏ ଫାଇଦା ନେଉଛି ତାହା ହିଁ ଦେଖିବାକୁ ବାକି ରହିଲା।

Comment