ଓଡ଼ିଶାଲାଇଭ୍ ବ୍ୟୁରୋ

ଶ୍ରୀ ବିଗ୍ରହମାନଙ୍କର ଏହି ହାତୀ ବେଶ ଅତ୍ୟନ୍ତ ମନମୁଗ୍ଧକର ଓ ଆକର୍ଷଣୀୟ ହୋଇଥାଏ। ଏହି ହାତୀ ବେଶ ସମ୍ପର୍କରେ ଏକ ସୁନ୍ଦର କିମ୍ବଦନ୍ତୀ ରହିଛି। କିମ୍ବଦନ୍ତୀ ଅନୁଯାୟୀ ବହୁ ବର୍ଷ ପୂର୍ବେ ମହାରାଷ୍ଟ୍ରରୁ ଗଣପତି ଭଟ୍ଟ ନାମରେ ଜଣେ ପ୍ରସିଦ୍ଧ ପଣ୍ଡିତ ଶ୍ରୀକ୍ଷେତ୍ରକୁ ଆଗମନ କରିଥିଲେ। ସେ ଗଣେଶଙ୍କର ବଡ଼ ଭକ୍ତ ଥିଲେ।

ଦେବସ୍ନାନ ପୂର୍ଣ୍ଣମୀ ତଥା ସ୍ନାନ ଯାତ୍ରାରେ ଶ୍ରୀମନ୍ଦିରକୁ ପ୍ରବେଶ କରି ସ୍ନାନ ମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରି ଗଣପତି ଭଟ୍ଟ ସନ୍ତୋଷଲାଭ କଲେ ନାହିଁ। ତେଣୁ ନୈରାଶ୍ୟ ମନରେ ଶ୍ରୀମନ୍ଦିରକୁ ଫେରିବା ବାଟରେ ଶୂନ୍ୟ ବାଣି ଶୁଣି ପୁନଶ୍ଚ ଫେରିଆସି ଦେଖନ୍ତି ଯେ, ଠାକୁରମାନେ ଗଣପତି ଭଟ୍ଟଙ୍କ ଇଷ୍ଟ ଗଣପତି ରୂପ ଧାରଣ କରି ବିରାଜମାନ ହୋଇଥିଲେ।

ଗଣପତି ଭଟ୍ଟ ଏହି ଦୃଶ୍ୟ ଦେଖି ଭକ୍ତିରେ ବିଭୋର ହୋଇପଡ଼ିଥିଲେ ଓ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କୁ ସେହିଠାରେ ପ୍ରାର୍ଥନା କରିଥିଲେ। ଭକ୍ତର ମନୋବାଞ୍ଛା ପୂରଣ କରିବା ପାଇଁ ତଥା ସ୍ନାନବେଦୀରେ ‘ଗଣପତି ବେଶ’ ବା ‘ହସ୍ତୀ ବେଶ’ରେ ଦର୍ଶନ ଦେଇଥିବାର ସ୍ମାରକୀ ରୂପେ ଅଦ୍ୟାବଧି ଏହି ବେଶ ଅନୁଷ୍ଠିତ ହୋଇ ଆସୁଅଛି।

ଶ୍ରୀ ବିଗ୍ରହମାନଙ୍କୁ ହସ୍ତୀ ବେଶରେ ସଜ୍ଜିତ କରାଯିବା ପରେ ସ୍ନାନ ମଣ୍ଡପ ଉପରେ ଶୋଧ କରାଯାଇଥାଏ।

Comment