ଓଡ଼ିଶାଲାଇଭ୍ ବ୍ୟୁରୋ

କେନ୍ଦ୍ରାପଡ଼ାରେ ପ୍ରବାଦ ପୂରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିର ବେକ କେହି ଦୁର୍ବୃତ୍ତ କାଟିଦେଇଥିବାର ଅଭିଯୋଗ ହୋଇଛି। ରାଜନଗର ସ୍ଥିତ ତ୍ରିନାଥ ବଜାର ନିକଟରେ ଥିବା ବିଜୁ ସ୍ମୃତି ସଂସଦ କାର୍ଯ୍ୟାଳୟ ପରିସରରେ ଏହି ଘଟଣା ଘଟିଛି। କେହି ଦୁର୍ବୃତ୍ତ ଏହି କାଣ୍ଡ ଘଟାଇ ଫେରାର ହୋଇଯାଇଛି। ଏହା ପରେ ସାରା ଜିଲ୍ଲାରେ ଉତ୍ତେଜନ ଦେଖା ଦେଇଥିବାବେଳେ ଅପରାଧିକୁ ଗିରଫ କରିବାକୁ ଦାବି କରିଛି ବିଜେଡି।
ଅଭିଯୋଗ ଅନୁସାରେ, ବୁଧବାର ଅପରାହ୍ନରେ କେହି ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିର ମୁଣ୍ଡ କାଟିଦେଇଥିଲା। ଘଟଣାଟି ଜନଗହଳି ପୂର୍ଣ୍ଣ ଅଞ୍ଚଳରେ ଘଟିଥିବାରୁ କଥାଟି ଖୁବଶୀଘ୍ର ପ୍ରଘଟ ହୋଇଯାଇଥିଲା। ଘଟଣାଟିକୁ ବୁଦ୍ଧିଜୀବୀ ମହଲରେ ନିନ୍ଦା କରାଯାଇଛି। ଏହାକୁ ପାଥେୟ କରି ବିଜେଡି ସମର୍ଥକମାନେ ଆନ୍ଦୋଳନକୁ ଓହ୍ଲାଇଥିଲେ।

ଏହି ଘଟଣାକୁ ନେଇ ବୁଧବାର ରାଜନଗର ଥାନାରେ ଏକ ମାମଲା ରୁଜୁ ହୋଇଥିଲା। ଅପରାଧିକୁ ଗିରଫ କରିବାକୁ ଗୁରୁବାର ପଟ୍ଟାମୁଣ୍ଡାଇ ଡାକବଙ୍ଗଳା ଛକ ଠାରେ ଟାୟାରଜାଳି ରାସ୍ତାରୋକ କରାଯାଇଥିଲା। ଏହି ରାସ୍ତାରୋକରେ ସାଧାରଣ ଲୋକଙ୍କ ସମେତ ବିଜେଡି କର୍ମୀମାନେ ସାମିଲ ହୋଇଥିଲେ। ସେମାନେ ତୁରନ୍ତ ଅପରାଧିକୁ ଗିରଫ କରିବାକୁ ଦାବି କରିଛନ୍ତି।

ରାଜନଗରର ପୂର୍ବତନ ବିଧାୟକ ଅଲେଖ ଜେନା ବିଧାୟକ ଥିବା ବେଳେ ଏହି ପ୍ରତିମୂର୍ତ୍ତି ସ୍ଥାପନ କରିଥିଲେ। ବିଜୁ ସ୍ମୃତି ସଂସଦ କାର୍ଯ୍ୟାଳୟ ନାଁରେ ଏଠାରେ ପ୍ରଥମେ ବିଜେଡି କାର୍ଯ୍ୟାଳୟ ଚାଲୁଥିଲା। ପରବର୍ତ୍ତୀ ଅବସ୍ଥାରେ ଶ୍ରୀ ଜେନା ବିଜେପିକୁ ଯିବା ପରେ ଏଠାରେ ବିଜେପି ପତାକା ମରାଯିବା ସହ ଦଳର ଶିବିର ଆୟୋଜନ ହୋଇଆସୁଛି।


















