ଓଡ଼ିଶାଲାଇଭ୍ ବ୍ୟୁରୋ

ଦୃଢ଼ ଇଚ୍ଛାଶକ୍ତି ଆଗରେ ହାର ମାନେ ସବୁ ବନ୍ଧବାଡ଼। ଏହାକୁ ସତ ପ୍ରମାଣ କରି ସମସ୍ତଙ୍କ ପାଇ ଉଦାହରଣ ପାଲଟିଛନ୍ତି ଓଜେଇଇ ଟପ୍ପର ଭବାନୀ ଶଙ୍କର ବେହେରା।

ଆର୍ଥିକ ଅଭାବ ଅନଟନ ଭିତରେ ସେ ନିଜ ସ୍ୱପ୍ନକୁ ପୂରଣ କରିବା ପାଇଁ କରିଛନ୍ତି କସରତ। ଏବେ ଇଞ୍ଜିନିୟର ହେବା ପାଇଁ ସ୍ୱପ୍ନ ଦେଖୁଥିବା ଭବାନୀଙ୍କ ସ୍ୱପ୍ନ ପୂରଣ ପାଇଁ ଖୋଲିଛି ବାଟ। ଓଜେଇଇ ଟପ୍ପର ହୋଇ ନିଜ ସ୍ୱପ୍ନରେ ଡେଣା ଲଗାଇଛନ୍ତି ଭବାନୀ।

କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ଅନ୍ତର୍ଗତ ପିପିଳିଆରେ ଜନ୍ମିତ ଭବାନୀ। ପିଲାଟି ଦିନରୁ ପାଠ ପଢ଼ିବାକୁ ବହୁତ ଇଚ୍ଛା। ହେଲେ ତାଙ୍କ ପାଠପଢ଼ାରେ ବାଧକ ସାଜିଥିଲା ଅର୍ଥ ଅଭାବ। ହେଲେ ଆର୍ଥିକ ଅଭାବ ଆଗରେ ହାର ମାନି ନଥିଲେ ଭବାନୀ। ପାଠ ପଢ଼ିବା ସହ ବାପା ଗୁରୁଚରଣ ବେହେରା କରିଥିବା ଜଳଖିଆ ଦୋକାନରେ କରିଥିଲେ କଠିନ ପରିଶ୍ରମ। ଦିନରେ ଦୋକାନରେ ରହି ଜଳଖିଆ ବିକ୍ରି କରି ରାତିରେ ପାଠ ପଢ଼ୁଥିଲେ ଭବାନୀ। ଖାସ୍ କଥା ଏହି କଠିନ ପରିଶ୍ରମ କରି ଭବାନୀ ସଫଳ ମଧ୍ୟ ହୋଇଛନ୍ତି।

ନିଜ ଗାଁ ପାଖ ତୋରାଣିପୋଖରୀ ହାଇସ୍କୁଲରୁ ୬୨ ପ୍ରତିଶତ ମାର୍କ ରଖି ମାଟ୍ରିକ ପାସ୍ କରିଥିଲେ ସେ। ତା’ପରେ ନିକଟସ୍ଥ ଲକ୍ଷ୍ମୀ ନାରାୟଣ ମହାବିଦ୍ୟାଳୟରେ ଯୁକ୍ତ ୨ ବିଜ୍ଞାନରେ ନାମ ଲେଖାଇଥିଲେ। ଯୁକ୍ତ ୨ ପରେ ଇଞ୍ଜିନିୟରିଂ ପଢ଼ିବାକୁ ଭାବିଥିଲେ ଭବାନୀ। ହେଲେ ପାଖରେ ପଇସା ନଥିବାରୁ ତାଙ୍କ ଇଚ୍ଛା ପୂରଣ ହୋଇ ପାରିନଥିଲା।

ଫଳରେ ସେହି କଲେଜରେ ଯୁକ୍ତ ୩ ବିଜ୍ଞାନ ପଢ଼ିଥିଲେ। ଏଥର ସେ ଫାଇନାଲ ପରୀକ୍ଷା ଦେଇଛନ୍ତି। ପାଠପଢ଼ିବା ଭିତରେ ଭବାନୀ ଓଜେଇଇ ପାଇଁ ପ୍ରସ୍ତୁତି କରିଥିଲେ। ସେଥିରେ ସେ ସଫଳ ହୋଇଛନ୍ତି। ଓଜେଇଇ ଟପ୍ପର ହୋଇ ଅନ୍ୟ ଛାତ୍ରଙ୍କ ପାଇଁ ଉଦାହରଣ ପାଲିଟିଛନ୍ତି ଭବାନୀ।

Comment