ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ପ୍ରସନ୍ନ ପାଟ୍ଟଶାଣୀଙ୍କୁ ରାଜ୍ୟସଭାକୁ ପଠାଇବା ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ। ତେବେ ଏହି ଘୋଷଣା କେତେଦୂର ସତ ତାହା ଜାଣିବା ପାଇଁ ପାଟ୍ଟଶାଣୀଙ୍କୁ ଭେଟିଥିଲା ଓଡ଼ିଶାଲାଇଭ୍ ଟିମ୍।

‘‘ନବୀନ ପଟ୍ଟନାୟକ ଯାହା ଘୋଷଣା କରନ୍ତି ତାହା କାମରେ କରି ଦେଖାନ୍ତି। ମତେ ରାଜ୍ୟସଭାକୁ ପଠାଇବେ ବୋଲି ଗଣମାଧ୍ୟମରେ ମୋ’ ନେତା ନବୀନ ପଟ୍ଟନାୟକ ଘୋଷଣା କରିଥିଲେ। ଏଣୁ ଏହା ଗୁଜବ ନୁହେଁ, ସତ। ମୋର ତାଙ୍କ ଉପରେ ଭରସା ରହିଛି’’, କହିଛନ୍ତି ପ୍ରସନ୍ନ ପାଟ୍ଟଶାଣୀ।

ଭୁବନେଶ୍ୱର ଲୋକସଭା ଆସନରୁ ପାଞ୍ଚ ଥର ନିର୍ବାଚିତ ହୋଇଥିବା ପାଟ୍ଟଶାଣୀଙ୍କୁ ଏଥର ଟିକେଟ ଦେଇ ନଥିଲା ବିଜେଡି। ତାଙ୍କ ଜାଗାରେ ମୁମ୍ବାଇର ପୂର୍ବତନ ପୋଲିସ କମିଶନ ଅରୂପ ପଟ୍ଟନାୟକଙ୍କୁ ଟିକେଟ ଦେଇ ପାଟ୍ଟଶାଣୀଙ୍କୁ ରାଜ୍ୟସଭା ପଠାଯିବ ବୋଲି ଘୋଷଣା କରିଥିଲେ ନବୀନ।

ଏବେ ରାଜ୍ୟସଭା ଉପ-ନିର୍ବାଚନ ପାଇଁ ବିଗୁଲ ବାଜିଛି। ଜୁଲାଇ ୫ରେ ଓଡ଼ିଶାର ୩ ରାଜ୍ୟସଭା ଆସନ ପାଇଁ ହେବ ନିର୍ବାଚନ। ୩ ଆସନ ପାଇଁ ଆଶାୟୀଙ୍କ ସଂଖ୍ୟା ଅଧିକ ଥିବାରୁ ପାଟ୍ଟଶାଣୀଙ୍କ ମତାମତ ଆଣିବା ପାଇଁ ତାଙ୍କୁ ଭେଟିଥିଲା ଓଡ଼ିଶାଲାଇଭ୍ ଟିମ୍‌

‘‘ମୋ’ ନେତା ନବୀନ’’

‘‘ନବୀନ ହେଉଛନ୍ତି ମୋ’ ନେତା। ଦଳ ଗଠନ ହେବା ଦିନରୁ ମୁଁ ବିଜେଡିରେ ରହିଛି। ସେ ଯେତେବେଳେ ଯାହା ନିର୍ଦ୍ଦେଶ ଦେଇଛନ୍ତି ମୁଁ କରିଛି। ଆଗକୁ ମଧ୍ୟ କରିବି। ନବୀନ ଯାହା ଘୋଷଣା କରନ୍ତି ତାହା କାମରେ କରି ଦେଖାଉଥିବାରୁ ସେ ବାରମ୍ବାର ନିର୍ବାଚନ ଜିତୁଛନ୍ତି। ଭାରତ ବର୍ଷରେ ଏମିତି ଜଣେ ମୁଖ୍ୟମନ୍ତ୍ରୀ ନାହାନ୍ତି ଯାହାଙ୍କୁ ନବୀନଙ୍କ ସହ ତୁଳନା କରାଯିବ’’, କହିଛନ୍ତି ପାଟ୍ଟଶାଣୀ।

‘‘ମୁଁ ଦଳର ଶୃଙ୍ଖଳିତ ସୈନିକ’’

ଭୁବନେଶ୍ୱର ଲୋକସଭା ଆସନରେ ବିଜେଡି କାହିଁକି ପରାଜିତ ହେଲା ପ୍ରଶ୍ନର ଉତ୍ତର ଦେଇ ପାଟ୍ଟଶାଣୀ କହିଛନ୍ତି ଯେ ‘ମୁଁ ଦଳର ଶୃଙ୍ଖଳିତ ସୈନିକ’। ଭୁବନେଶ୍ୱର ଲୋକସଭା ଆସନରେ ଦଳ ଭଲ ପ୍ରାର୍ଥୀ ଦେଇଥିଲା। ସେ ବହୁତ ପରିଶ୍ରମ କରିଥିଲ। ଆମ କର୍ମୀ ମଧ୍ୟ ପରିଶ୍ରମ କରିଥିଲେ। କିନ୍ତୁ ଭୋଟରମାନେ ତାଙ୍କ ରାୟ ଦେଲେନି। ଆମେ ହାରିଛୁ ସତ, ହେଲେ କମ୍ ଭୋଟ ବ୍ୟବଧାନରେ ହାରିଛୁ।

ଯେଉଁମାନେ ଚର୍ଚ୍ଚା କରୁଛନ୍ତି ଦଳ ବିରୋଧୀ କାମ ମୁଁ କରିଛି ତାହା କେବଳ ଚର୍ଚ୍ଚା ବୋଲି ପାଟ୍ଟଶାଣୀ କହିଛନ୍ତି।

‘‘ମୁଁ ଦଳ ବିରୋଧୀ କାମ କରିଛି ବୋଲି ମୋ’ ନେତା ଆଜି ଯାଏଁ କହି ନାହାନ୍ତି। ତେବେ ଏ ବିଷୟରେ କହିଲା କିଏ?’’

ମା’ ମାନଙ୍କ ହୃଦୟ ଜିଣିଛନ୍ତି ନବୀନ

୨୦୧୯ ନିର୍ବାଚନରେ ନବୀନ ପଟ୍ଟନାୟକ ଐତିହାସିକ ନିଷ୍ପତ୍ତି ନେଇ ରେକର୍ଡ କରିଛନ୍ତି। ଯାହା ଘୋଷଣା କରିଥିଲେ ତାହା କାମରେ କରି ଦେଖାଇଛନ୍ତି।

୩୩ ପ୍ରତିଶତ ମହିଳାଙ୍କୁ ବିଜେଡି ଲୋକସଭାରେ ପ୍ରାର୍ଥୀ କରିଥିଲା। ୭ ଜଣ ମହିଳା ନିର୍ବାଚିତ ହୋଇ ଲୋକସଭାକୁ ଯାଇଛନ୍ତି। ଭାରତ ବର୍ଷରେ ଅନ୍ୟ ନେତାମାନେ ଯାହା କରିପାରି ନାହାନ୍ତି ତାହା ନବୀନ ହିଁ କରି ଦେଖାଇଛନ୍ତି। ମା’ ମାନଙ୍କ ହୃଦୟ ଜିଣିଛନ୍ତି ମୋ’ ନେତା।

ନବୀନ କାମରେ ବିଶ୍ୱାସରେ କରନ୍ତି

‘‘ନବୀନ ପଟ୍ଟନାୟକ ନିର୍ବାଚନ ପୂର୍ବରୁ କାଳିଆ ଯୋଜନା ଆରମ୍ଭ କରିଥିଲେ। ନୂଆ ସରକାର ଗଠନ ହେବାର ପ୍ରଥମ ଦିନ ହିଁ ଚାଷୀଙ୍କ ଆକାଉଣ୍ଟକୁ କାଳିଆ ଟଙ୍କା ଦେବାକୁ ଘୋଷଣା କରିଥିଲେ। ସରକାର ଗଠନ ହେଉ ହେଉ ନବୀନ ତାହା କରି ଦେଖାଇଛନ୍ତି’’, କହିଛନ୍ତି ପାଟ୍ଟଶାଣୀ।

‘‘ନବୀନ ମତେ ରାଜ୍ୟସଭାକୁ ପଠାଇବେ ବୋଲି ଘୋଷଣା କରିଛନ୍ତି। ଏଣୁ ମୋର ତାଙ୍କ ଉପରେ ଭରସା ଅଛି। ମୁଁ ବିଜୁ ପଟ୍ଟନାୟକଙ୍କ ସାଙ୍ଗରେ କାମ କରିଛି। ଏବେ ନବୀନଙ୍କ ସହ ବି ଅଛି। ଦଳ ଛାଡ଼ି କୁଆଡ଼େ ଯିବାର ନାହିଁ’’, କହିଛନ୍ତି ପାଟ୍ଟଶାଣୀ

Comment