ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

  • ସଂସଦର ମିଳିତ ଅଧିବେଶନକୁ ସମ୍ବୋଧିତ କଲେ ରାଷ୍ଟ୍ରପତି
  • ଭୋଟରଙ୍କୁ ଧନ୍ୟବାଦ, ନୂଆ ସଂସଦଙ୍କୁ ଅଭିନନ୍ଦନ
  • ଆତଙ୍କବାଦ ବିରୋଧରେ ଏକାଠି ହୋଇଛି ସାରା ବିଶ୍ୱ
  • କୃଷକମାନଙ୍କ ସମ୍ମାନ ବଢ଼ିବା ଦରକାର
  • ଜଳ ସଂରକ୍ଷଣ ନିହାତି ଜରୁରୀ
  • କଳାଧନ ବିରୋଧରେ ଲଢ଼େଇ ଜୋରଦାର ହେବ

ଲୋକସଭା ଏବଂ ରାଜ୍ୟସଭାର ମିଳିତ ଅଧିବେଶନକୁ ଗୁରୁବାର ଦିନ ସମ୍ବୋଧିତ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ୧୭ତମ ଲୋକସଭାକୁ ନିର୍ବାଚିତ ହୋଇଥିବା ସାଂସଦମାନଙ୍କୁ ଅଭିନନ୍ଦନ ଜଣାଇବା ସହ ଆତଙ୍କବାଦ କାର୍ଯ୍ୟକଳାପକୁ ସମାଲୋଚନା କରିଥିଲେ। ସେ କହିଥିଲେ ଯେ ସାରା ବିଶ୍ୱ ଆତଙ୍କବାଦ ବିରୋଧରେ ଏକାଠି ହୋଇଛନ୍ତିା ଏହାର ପ୍ରମାଣ ହେଉଛି ଆତଙ୍କବାଦୀ ମସୁଦ ଆଜାହରକୁ ମିଳିତ ଜାତିସଂଘ  ଅନ୍ତର୍ଜାତୀୟ ଆତଙ୍କବାଦୀ ଘୋଷଣା କରିବା।

ସବୁ ଭୋଟରଙ୍କୁ ଧନ୍ୟବାଦ ଦେଲେ

ରାଷ୍ଟ୍ରପତି ରାମନାଥ କୋବିନ୍ଦ ମିଳିତ ସଂସଦକୁ ସମ୍ବୋଧିତ କରିବା ବେଳେ ଦେଶର ସମସ୍ତ ଭୋଟରଙ୍କୁ ଧନ୍ୟବାଦ ଦେଇଥିଲେ। ଦେଶର ୬୧ କୋଟିରୁ ଅଧିକ ଭୋଟର ଏଥର ମତସାବ୍ୟସ୍ତ କରି ସାରା ବିଶ୍ୱରେ ନୂଆ କୀର୍ତ୍ତିମାନ ସ୍ଥାପନ କରିଥିବା ରାଷ୍ଟ୍ରପତି କହିଥିଲେ।

‘‘ପ୍ରବଳ ଖରାରେ ଭୋଟର ଲମ୍ବାଧାଡ଼ିରେ ଛିଡ଼ା ହୋଇ ନିଜ ନିଜ ପ୍ରାର୍ଥୀଙ୍କୁ ଭୋଟ ଦେଇଥିଲେ। ସୁରୁଖୁରୁରେ ନିର୍ବାଚନ ପରିଚାଳନା ହୋଇଥିବାରୁ ନିର୍ବାଚନ କମିଶନଙ୍କୁ ଧନ୍ୟବାଦ। ଚଳିତ ଲୋକସଭାକୁ ଯେତିକି ସାଂସଦ ନିର୍ବାଚିତ ହୋଇଛନ୍ତି ସେଥିମଧ୍ୟରୁ ଅଧା ହେଉଛନ୍ତି ନୂଆ। ଏଥିରେ ୭୮ ଜଣ ମହିଳା ସାଂସଦ ଥିବାରୁ ନୂଆ ଭାରତ ଗଠନର ଚିତ୍ର ଉଜ୍ଜଳ ଦେଖାଯାଉଛି’’, କହିଥିଲେ ରାଷ୍ଟ୍ରପତି।

ସବୁ ଚାଷୀଙ୍କୁ ପ୍ରଧାନମନ୍ତ୍ରୀ କିଷାନ ଯୋଜନାର ସୁବିଧା

କୃଷକମାନେ ଆମର ହେଉଛନ୍ତି ଅନ୍ନଦାତା। ଜମିରେ କଠିନ ପରିଶ୍ରମ କରି ସେ ଲୋକଙ୍କୁ ଆହାର ଯୋଗାଉଛନ୍ତି। ଏଣୁ ସେମାନଙ୍କ ସମ୍ମାନ ବଢ଼ାଇବା ପାଇଁ ଆମ ସରକାର ପଦକ୍ଷେପ ନେଇଛନ୍ତି। ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ ସବୁ ଚାଷୀଙ୍କୁ ସାମିଲ କରାଯାଇଛି।

ଜଳ ସଂରକ୍ଷଣ ନିହାତି ଜରୁରୀ

ବିଶ୍ୱତାପନ ଯୋଗୁଁ ପରିବେଶରେ ସନ୍ତୁଳନ ରହୁନି। ଫଳରେ ଜଳ ସଙ୍କଟ ଦେଖାଦେଉଛି। ପରିବେଶକୁ ନିର୍ମଳ ରଖିବା ପାଇଁ ଯେମିତି ସ୍ୱଚ୍ଛ ଭାରତ ମିଶନ ଗଠନ କରାଯାଇଛି ଠିକ୍ ସେମିତି ଜଳ ସଂରକ୍ଷଣ ପାଇଁ ବ୍ୟବସ୍ଥା କରିବା ଦରକାରା ଆମ ପର ପିଢ଼ିଙ୍କ ପାଇଁ ଜଳ ସଂରକ୍ଷଣ କରିବା ନିହାତି ଜରୁରୀ। ଏଥିପାଇଁ କେନ୍ଦ୍ର ସରକାର ଜଳ ଶକ୍ତି ମନ୍ତ୍ରାଳୟ ଗଠନ କରିଛନ୍ତି। ଜଳ ସଙ୍କଟ ଦୂର କରିବାରେ ମନ୍ତ୍ରାଳୟ ପଦକ୍ଷେପ ନେବ।

କୃଷି କ୍ଷେତ୍ରରେ ନିବେଶ ହେବ ୨୫ ଲକ୍ଷ କୋଟି ଟଙ୍କା

କୃଷି ଉତ୍ପାଦନ ବଢ଼ାଇବା ପାଇଁ ଆମ ସରକାର ପଦକ୍ଷେପ ନେଉଛନ୍ତି। କୃଷି କ୍ଷେତ୍ରକୁ ସମୃଦ୍ଧ କରିବା ପାଇଁ ଆଗାମୀ ଦିନରେ ୨୫ ଲକ୍ଷ କୋଟି ଟଙ୍କା ନିବେଶ କରିବାକୁ ସରକାର ଯୋଜନା କରିଛନ୍ତି। ଏହାସହ ମହିଳାମାନଙ୍କୁ ସେମାନଙ୍କ ଅଧିକାର ମିଳୁଛି। ପୁରୁଷ ଏବଂ ମହିଳାଙ୍କ ଭିତରେ ପାତର ଅନ୍ତର ଆଉ ନାହିଁ। ମା’ ଭଉଣୀମାନଙ୍କୁ ଅଧିକ ସମ୍ମାନ ଦେବା ପାଇଁ ସବୁ ପ୍ରତିନିଧିମାନେ ଆଗେଇ ଆସିବାକୁ ଆହ୍ୱାନ ଦେଇଥିଲେ ରାଷ୍ଟ୍ରପତି।

କଳାଧନ ବିରୋଧରେ ଅଭିଯାନ ଜୋରଦାର ହେବ

ଦେଶରେ ଜିଏସ୍‌ଟି ଲାଗୁ ହେବା ପରେ ‘ଗୋଟିଏ ଦେଶ, ଗୋଟିଏ ଟାକ୍ସ, ଗୋଟିଏ ବଜାର’ ର ରୂପରେଖ ସାକାର ହୋଇଛି। ଗତ ୨ ବର୍ଷରେ ୪ ଲକ୍ଷ ନିବେଶକଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଥିବା ବେଳେ ୩ ଲକ୍ଷ ୫୦ ହଜାର ସନ୍ଦିଗ୍ଧ କମ୍ପାନିର ରେଜିଷ୍ଟ୍ରେସନକୁ ରବ୍ଦ କରାଯାଇଛି।

Comment