ଓଡିଶାଲାଇଭ୍ ବ୍ୟୁରୋ

 

ରଥଯାତ୍ରା ପାଇଁ ଚଳଚଞ୍ଚଳ ହୋଇ ଉଠିଛି ରଥଖଳା। ଭକ୍ତମାନଙ୍କୁ ଦର୍ଶନ ଦେବାକୁ ପ୍ରତିବର୍ଷ ରଥାରୁଢ଼ ହୋଇ ବଡ଼ଦାଣ୍ଡକୁ ଚାଲି ଆସନ୍ତି ଜଗନ୍ନାଥ। ରଥଯାତ୍ରା ପାଇଁ ଅକ୍ଷୟ ତୃତୀୟାରୁ ଆରମ୍ଭ ହୋଇଯାଏ ପ୍ରସ୍ତୁତି। ଠାକୁରଙ୍କ ଆଜ୍ଞାମାଳ ପାଇବା ପରେ ଆରମ୍ଭ ହୁଏ ରଥଗଢ଼ା। ତିନି ରଥର ମୁଖ୍ୟ ମହାରଣାଙ୍କ ତତ୍ତ୍ୱାବଧାନରେ ଆରମ୍ଭ ହୋଇଛି ରଥ ନିର୍ମାଣ କାର୍ଯ୍ୟ।

ବଳଭଦ୍ରଙ୍କ ତାଳଧ୍ୱଜ ରଥର ମୁଖ୍ୟ ଭାବେ କାମ କରି ଆସୁଛନ୍ତି ନରସିଂହ ମହାପାତ୍ର। ୭୦ବର୍ଷ ହୋଇଯାଇଥିଲେ ବି ଠାକୁରଙ୍କ ସେବା କରିଥିବାରୁ ସେ ନିଜକୁ ଧନ୍ୟ ମଣନ୍ତି। ବାପାଙ୍କ ସହ ମିଶି ୧୧ବର୍ଷରୁ କାମ କରି ଆସୁଛନ୍ତି। ସେବେଠାରୁ ନିରବିଚ୍ଛିନ୍ନ ଭାବେ ସବୁ ବର୍ଷ ଏହି ସେବା କାର୍ଯ୍ୟ କରୁଛନ୍ତି ନରସିଂହ।

“ମୁଁ ଦୁଇଟି ନବକଳେବର ସେବା କରିବାର ସୁଯୋଗ ପାଇଛି। ୧୯୯୬ରେ ଦାରୁ ଆଣିବା ସହ ଠାକୁର ନିର୍ମାଣ ମଧ୍ୟ କରିଥିଲି। ୨୦୧୫ରେ ବଡ଼ ଠାକୁରଙ୍କ ନିର୍ମାଣ କରିବାକୁ ସୁଯୋଗ ମତେ ମିଳିଥିଲା”, ବୋଲି କହିଛନ୍ତି ନରସିଂହ।

ପ୍ରତିବର୍ଷ ବଡ଼ଦାଣ୍ଡରେ ଦୁଇମାସ ଧରି ରଥ କାର୍ଯ୍ୟ କରି ସାରିଲା ପରେ ମନ ଖୁବ ଦୁଃଖ ହୁଏ। ତାଙ୍କୁ ଏବେ ୫୦୪ଟଙ୍କା ପାରିଶ୍ରମିକ ମିଳୁଛି। ହେଲେ ସେଥିରେ ତାଙ୍କର କୌଣସି ଲୋଭ ନାହିଁ।

ସେ ରାଜ୍ୟ ହସ୍ତକଳା ପ୍ରଶିକ୍ଷଣରୁ ଶିକ୍ଷା ଲାଭ କରିଛନ୍ତି। ସରକାରୀ ଚାକିରି ଛାଡ଼ି ସେ ପ୍ରଭୁଙ୍କର ସେବାରେ ଲାଗିପଡ଼ିଛନ୍ତି। ମହାପ୍ରଭୁଙ୍କ ସେବା କରିବାରେ ତାଙ୍କୁ କୌଣସି ଦୁଃଖ ନାହିଁ ବୋଲି ସେ ଖୁସି ଖୁସି ଜଣାଇଛନ୍ତି।

Comment