ଡ଼ିଶାଲାଇଭ ବ୍ୟୁରୋ

ପାଖେଇ ଆସୁଛି ରଥଯାତ୍ରା। ଏଥିଲାଗି ରଥ ନିର୍ମାଣ କାର୍ଯ୍ୟ ଜୋରସୋରରେ ଚାଲିଛି। କାଠ ଯୋଡ଼ିବାଠୁ ନେଇକି ଅଖ, ଦଣ୍ଡା ଆଦିରେ ଲୁହା ଲାଗୁଥିବାରୁ ରଥ ଗଢ଼ାରେ କମାର ସେବାୟତ ଲାଗି ପଡ଼ିଛନ୍ତି। ଅକ୍ଷୟ ତୃତୀୟା ଦିନରୁ ଶାଢ଼ିବନ୍ଧା ଉତ୍ସବ ପରେ କମାରମାନେ ଏହି କାର୍ଯ୍ୟ ଆରମ୍ଭ କରି ଦେଇଛନ୍ତି।  ଏହି କାମର ତଦାରଖ କରୁଛନ୍ତି ଜଗନ୍ନାଥ ମହାରଣା। ହେଲେ ଆପଣ ଜାଣିଛନ୍ତି କି ମହାପ୍ରଭୁଙ୍କ ରଥଗଢ଼ା କେମିତି ହୋଇଥାଏ? କାଠକୁ ଛାଡ଼ି ଏଥିରେ ଆଉ କ’ଣ ବ୍ୟବହାର ହୋଇଥାଏ।

ଏ ସଂପର୍କରେ କହିଛନ୍ତି ମହାପ୍ରଭୁଙ୍କ ରଥଗଢ଼ା କାର୍ଯ୍ୟରେ ନିୟୋଜିତ ଥିବା କମାର ସେବାୟତ ଜଗନ୍ନାଥ ମହାରଣା।

ତାଙ୍କ କହିବା ଅନୁସାରେ, ‘‘ପ୍ରଥମେ ରଥ ଚକ ପାଇଁ କଣ୍ଟା ତିଆରି ହୁଏ। ଚକ କଣ୍ଟା ତିଆରି ପରେ ଦଣ୍ଡା ତିଆରି ହୋଇଥାଏ। ଏହାପରେ ଉପର କଣ୍ଟା କାମ ହୋଇଥାଏ। ସେ କଣ୍ଟା ମଧ୍ୟରେ ବିଭିନ୍ନ ଲମ୍ବା ଏବଂ ମୋଟେଇର କଣ୍ଟା ବନାଯାଇଥାଏ। ନନ୍ଦିଘୋଷ ପାଇଁ ୪୦ଟା କଣ୍ଟା ତିଆରି ହୋଇଥାଏ। ପୋଖରିଆ କଣ୍ଟା ବି ୪୦ଟା ତିଆରି ହୁଏ। ୫ ସୁତ, ୩ ସୁତ, ପାଆକିଆ ମୋଟାର ରଡରେ ଲୁହା କଣ୍ଟା ତିଆରି ହୁଏ। ଅଗପାତଳ କଣ୍ଟା କୋଣରେ ଲାଗେ। ଚୈରସ୍ କଣ୍ଟା ଅଖ ଭିତର ପାଇଁ ତିଆରି ହୁଏ।’’

ସେ ଆହୁରି କହିଛନ୍ତି, ସମୁଦାୟ ୮୦ଟି କଣ୍ଟା ଲାଗିଥାଏ। ମୋଟ୍ ୧୭ ଜଣ ଅର୍ଥାତ ତାଳଧ୍ୱଜଙ୍କ ରଥରେ ୬ ଜଣ, ନନ୍ଦିଘୋଷ ରଥରେ ୬ ଜଣ ଓ ଦର୍ପଦଳନ ରଥରେ ୫ ଜଣ କଣ୍ଟା ତିଆରି କାର୍ଯ୍ୟରେ ନିୟୋଜିତ ଥାନ୍ତି। ନେତ୍ରୋତ୍ସବ ଯାଏଁ ଏହି କାମ ସରିଯାଏ।

‘‘ପଇସା ପାଇଁ ନୁହେଁ ବରଂ ମହାପ୍ରଭୁଙ୍କ ସେବା କରିବା ଆଶାରେ ମୁଁ ଏହି କାମ କରି ଆସୁଛି। ରଥଯାତ୍ରାକୁ ଛାଡ଼ି ଦେଲେ ଅନ୍ୟ ସମୟରେ ଅଲଗା ଜୀବିକା ବି ଖୋଜିବାକୁ ପଡ଼ିଥାଏ’’ , କହିଛନ୍ତି କମାର ସେବାୟତ ଜଗନ୍ନାଥ ମହାରଣା।

ଆଠ ପୁରୁଷ ହେଲା ଏହି କାର୍ଯ୍ୟ କରି ଆସୁଛୁ। ପ୍ରଭୁଙ୍କର ନାମ ଧରି ଆମେ ଏହି କାମ କରିଥାଉ ଏବଂ ପ୍ରଭୁଙ୍କ ଆଶୀର୍ବାଦ ପାଇଁ ଏହି କାମ ସୁରୁଖୁରୁରେ ହୋଇଯାଏ।

Comment