ଓଡ଼ିଶାଲାଇଭ୍‌ ବ୍ୟୁରୋ

ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଜେଲ୍‌ରୁ ଫେରାର ହୋଇଥିବା କଏଦୀ ଭଗବାନ ଟୁଡୁକୁ ଯାଜପୁର ଜିଲ୍ଲାରୁ ଗିରଫ କରିଛି ପୋଲିସ। ଆଜୀବନ କାରାଦଣ୍ଡ ଭୋଗୁଥିବା ଭଗବାନ ଗତ ୧୬ ତାରିଖରେ କରଞ୍ଜିଆ ଜେଲ୍‌ରୁ ଚମ୍ପଟ ମାରିଥିଲା।

ଭଗବାନ ନିଜ ଗାଁ ଯାଜପୁର ଜିଲ୍ଲା କାଳିଆପାଣିରେ ଲୁଚିଥିଲା। ଏହାର ଖବର ପାଇ ଗତକାଲି ବିଳମ୍ବିତ ରାତିରେ ପୋଲିସ ଭଗବାନକୁ କାବୁ କରି କରଞ୍ଜିଆ ଥାନାକୁ ଆଣିଥିଲା। ୨୦୧୦ ମସିହା ଏପ୍ରିଲ୍‌ ମାସରେ କାଳିଆପାଣି ଗାଁର ସ୍ୱର୍ଗତ ବାହାଦୁର ମହାରଣାଙ୍କ ପୁଅ ଦଶରଥ ମହାରଣାଙ୍କ ହତ୍ୟାକାଣ୍ଡରେ ସଂପୃକ୍ତ ଥିଲା। ଏହି ଘଟଣାରେ ଭଗବାନ ଆଜୀବନ କାରାଦଣ୍ଡ ଭୋଗୁଥିଲା।

ଅନ୍ୟପକ୍ଷରେ ଭଗବାନଙ୍କ ଫେରାର ହେବାର କିଛି ଦିନ ପରେ ଜେଲ ୱାର୍ଡର ସୁକାନ୍ତ ବେହେରାଙ୍କ ଆତ୍ମହତ୍ୟା ରହସ୍ୟ ପୋଲିସ୍‌ ପାଇଁ ଚ୍ୟାଲେଞ୍ଜ ଏକ ସୃଷ୍ଟି କରିଛି। ସୁକାନ୍ତ ବେହେରା ମୃତ୍ୟୁ ପୂର୍ବରୁ ଜେଲ୍‌ ସୁପରିଟେଣ୍ଡଣ୍ଟଙ୍କୁ ଦାୟି କରି ଏକ ଚିଠି ଲେଖି ଆତ୍ମହତ୍ୟା କରିଥିଲେ। ସେହିପରି ଫେରାର କଏଦୀ ଭଗବାନ ମଧ୍ୟ ଫେରାର ହେବା ପୂର୍ବରୁ ସୁପରିଟେଣ୍ଡଣ୍ଟଙ୍କ ଅତ୍ୟାଚାର ସହି ନପାରି ଫେରାର ହୋଇଥିବା ଚିଠି ଲେଖି ଯାଇଥିଲା।

ତେବେ ଏହି ଘଟଣାରେ ପୋଲିସ୍‌ ତଦନ୍ତ ଜୋରଦାର ଆରମ୍ଭ କରିଦେଇଛି। ତେବେ କଏଦୀ ଫେରାର ଘଟଣାରେ ଜେଲ ବିଭାଗୀୟ ଉଚ୍ଚ-କର୍ତ୍ତୃପକ୍ଷ ଘଟଣାକୁ ଗୁରୁତର ସହକାରେ ନେଇ ଦୁଇ ଜଣ ୱାର୍ଡରଙ୍କୁ ନିଲମ୍ବନ କରିବା ସହିତ ଜେଲ ସୁପରିଟେଣ୍ଡଣ୍ଟଙ୍କୁ ଅନ୍ୟତ୍ର ସ୍ଥାନାନ୍ତରଣ କରିଥିବା ସୂଚନା ମିଳିଛି।

ତେବେ ଏଇ ଘଟଣାରେ ନିଜର ସବୁ କିଛି ହରାଇ ଥିବା ମୃତ ସୁକାନ୍ତ ବେହେରାଙ୍କ ପରିବାରଙ୍କୁ କେବେ ନ୍ୟାୟ ମିଳୁଛି ତାହା ଦେଖିବା ବାକି ରହିଲା।

Comment