ଓଡ଼ିଶାଲାଇଭ୍‌ ବ୍ୟୁରୋ

(ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ) ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆ ସବ୍‌-ଜେଲ୍‌ରେ ଘଟିଛି ଅଭାବନୀୟ ଘଟଣା। ରବିବାର ଜେଲ୍‌ର ଜଣେ କର୍ମଚାରୀଙ୍କ ମୃତ ଦେହ ଉଦ୍ଧାର କରିଛି ପୋଲିସ୍‌। ମୃତ କର୍ମଚାରୀ ଜଣକ ହେଲେ କରଞ୍ଜିଆ ଜେଲ୍‌ର ୱାର୍ଡର ସୁକାନ୍ତ ବେହେରା।

ଗତ ଜୁନ୍‌ ୧୬ ତାରିଖରେ କରଞ୍ଜିଆ ଜେଲରୁ ଜନୈକ କଏଦୀ ଫେରାର ହୋଇଯାଇଥିଲା। ତେବେ ଏହାର ୨ ଦିନ ପରେ ଅର୍ଥାତ୍‌ ୧୮ ତାରିଖରୁ ୱାର୍ଡର ସୁକାନ୍ତ ବେହେରା ନିଖୋଜ ଥିଲେ। ରବିବାର କରଞ୍ଜିଆ ସହର ଉପଣ୍ଠରେ ଥିବା ଜଙ୍ଗଲରୁ ତାଙ୍କ ମୃତ ଦେବ ଉଦ୍ଧାର କରିଛି ପୋଲିସ୍‌।

କଏଦୀ ଫେରାର ହେବା ଦିନ ସୁକାନ୍ତ ଡ୍ୟୁଟିରେ ଥିଲେ। ମାତ୍ର ସେଦିନ ସୁକାନ୍ତ ତାଙ୍କର ଉପରିସ୍ଥ ଅଧିକାରୀ ଜେଲ ସୁପରିଟେଣ୍ଡେଣ୍ଟଙ୍କ ଘରେ କାମ କରୁଥିଲେ। ତେବେ ଏହି ସମୟରେ କଏଦୀ ଜଣକ ଜେଲ୍‌ରୁ ଚମ୍ପଟ ମାରିଥିଲା। ଏହି ମାମଲାରେ ଡ୍ୟୁଟିରେ ଥିବା ସୁକାନ୍ତଙ୍କୁ ଦୋଷ ଦିଆଯାଇ ତଦନ୍ତ ପ୍ରକ୍ରିୟା ଆରମ୍ଭ ହୋଇଥିଲା।

ଏହି ଘଟଣା ପରେ ସୁକାନ୍ତ ମାନସିକ ଚାପ ପଡ଼ି ଘରୁ ଫେରାର ହୋଇଯାଇଥିଲେ। ତେବେ ଆଜି ତାଙ୍କ ମୃତ ଦେହ ଉଦ୍ଧାର ହୋଇଛି। ପରିବାର ଲୋକେ ସୁକାନ୍ତଙ୍କ ୟୁନିଫର୍ମ ପୋଷାକ ପକେଟରୁ ଏକ ଚିଠି ପାଇ ପୋଲିସ୍‌କୁ ହସ୍ତାନ୍ତର କରିଛନ୍ତି। ଯେଉଁଥିରେ ତାଙ୍କ ମୃତ୍ୟୁ ପାଇଁ ସେ ଉକ୍ତ ସବଜେଲରଂକୁ ଦାୟୀ କରିଥିବା କୁହାଯାଉଛି।

ତେବେ ଏହି ସୁଇସାଇଡ ନୋଟ୍‌ ହେଉଛି ମନଗଢ଼ା ଏବଂ ସେ କୌଣସି କର୍ମଚାରୀ ଉପରେ ଚାପ ପକାଇ ନଥିବା ସବ୍ ଜେଲ ସୁପରିଟେଣ୍ଡେଣ୍ଟ କହିଛନ୍ତି।

ଅନ୍ୟପକ୍ଷରେ ଜୁନ୍‌ ୧୬ରେ ଫେରାର କଏଦୀ ମଧ୍ୟ ତାର ଫେରାର ପୂର୍ବରୁ ଏକ ଚିଠି ଲେଖି ରଖିଯାଇଥିଲା। ଯେଉଁଥିରେ ସେହି ସୁପରିଟେଣ୍ଡେଣ୍ଟଙ୍କ ନିର୍ଯ୍ୟାତନା ସହି ନପରି ଫେରାର ହୋଇଥିବା କଥା ଉଲ୍ଲେଖ ଥିଲା। ଏ ସଂପର୍କରେ କରଞ୍ଜିଆ ଥାନାରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ କରିଛି ପୋଲିସ। ମୃତ ୱାର୍ଡରଙ୍କ ଶବ ବ୍ୟବଛେଦ କରାଯାଇ ତାଙ୍କ ପରିବାରକୁ ହସ୍ତାନ୍ତର କରିଛି କରଞ୍ଜିଆ ପୋଲିସ।

Comment