ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଲାସ୍ୟମୟୀ ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କ ପାଖରେ ଏବେ ଅନେକ ପ୍ରୋଜେକ୍ଟ ରହିଛି। ଏବେ ଅଷ୍ଟ୍ରିଆରେ ଅପକମିଂ ଫିଲ୍ମ ‘ସାହୋ’ର ସୁଟିଂ କରୁଛନ୍ତି ସେ। ଏହାଛଡ଼ା ତାଙ୍କ ଅଭିନୀତ ‘ଡ୍ୟାନ୍ସର ଥ୍ରୀଡ଼ି’, ‘ଛିଛୋରୋ’ ମଧ୍ୟ ରିଲିଜ୍ ହେବାର ଅଛି। ତେବେ ଲାଟେଷ୍ଟ ରିପୋର୍ଟ ଅନୁସାରେ ଶ୍ରଦ୍ଧାଙ୍କୁ ଉଜମା ଅହମ୍ମଦଙ୍କ ବାୟୋପିକରେ ଦେଖିବାକୁ ମିଳିବ। ନିର୍ଦ୍ଦେଶକ ଶିବମ ନାୟାର ଏଥିପାଇଁ ଶ୍ରଦ୍ଧାଙ୍କୁ ସାକ୍ଷାତ କରି ଫିଲ୍ମର କାହାଣୀ ଶୁଣାଇଛନ୍ତି। ଶ୍ରଦ୍ଧା ହଁ କହିଥିବାବେଳେ ଅଷ୍ଟ୍ରିଆରୁ ଫେରିବା ପରେ ଫିଲ୍ମ ପାଇଁ ଚୁକ୍ତି କରିବେ।

ଫିଲ୍ମର କାହାଣୀ କଥା କହିଲେ ଉଜ୍ମା ଅହମ୍ମଦ ନାମକ ଜଣେ ଯୁବତୀ ମାଲେସିଆରେ ରହୁଥିଲେ। ସେଠାରେ ସେ ଜଣେ ପାକିସ୍ତାନୀ ଡ୍ରାଇଭରକୁ ଭଲ ପାଉଥିଲେ। ଡ୍ରାଇଭର ମାଲେସିଆରୁ ନିଜ ଦେଶକୁ ଫେରି ଯିବାରୁ ଉଜମା ତାଙ୍କୁ ସନ୍ଧାନ କରିବାକୁ ପାକିସ୍ତାନ ଯାଇଥିଲେ। ଡାଇଭର ପାଖରେ ପହଞ୍ଚିବା ପରେ ଉଜମା ଜାଣିବାକୁ ପାଇଲେ ଯେ ସେ ଯାହାକୁ ଭଲ ପାଉଥିଲେ ସେ ପୂର୍ବରୁ ବିବାହିତ। ତଥାପି ଉଜମାଙ୍କୁ ତାଙ୍କ ସହ ଜବରଦସ୍ତ ବିବାହ କରିବାକୁ ବାଧ୍ୟ କରାଗଲା। ସେଠାରେ ତାଙ୍କୁ ବନ୍ଧୁକ ମୁନରେ ରଖାଗଲା।

୨୦୧୭ରେ ଉଜମା କୌଣସି ପ୍ରକାରେ ତତ୍କାଳୀନ ବିଦେଶ ମନ୍ତ୍ରୀ ସୁଷମା ସ୍ୱରାଜଙ୍କୁ ଏ ସଂପର୍କରେ ଜଣାଇ ତାଙ୍କୁ ଉଦ୍ଧାର କରିବାକୁ ନିବେଦନ କରିଥିଲେ। ଏହାପରେ ସୁଷମା ତାଙ୍କୁ ଉଦ୍ଧାର କରିବାକୁ ପ୍ଳାନ୍ ପ୍ରସ୍ତୁତ କରିଥିଲେ। ୨୦୧୭ ମେ’ ୨୫ ତାରିଖରେ ସଂପୂର୍ଣ୍ଣ ସୁରକ୍ଷିତ ଭାବେ ଭାରତକୁ ଫେରିଥିଲେ ଉଜମା।

ତାଙ୍କୁ ଭାରତ ଆଣିବା ପାଇଁ ପାକିସ୍ତାନରେ ଭାରତୀୟ ଦୂତ ଜେପି ସିଂହ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। ଏହି ଫିଲ୍ମରେ ସୈଫ୍ ଅଲ୍ଲୀ ଖାନ୍ ଜେପି ସିଂହଙ୍କ ଭୂମିକାରେ ଦେଖିବାକୁ ମିଳିବ। ତେବେ ସୁଷମା ସ୍ୱରାଜଙ୍କ ଭୂମିକାରେ କିଏ ଅଭିନୟ କରିବେ ତାହା ଚୂଡ଼ାନ୍ତ ହୋଇନାହିଁ। ପ୍ରସିଦ୍ଧ ଲେଖକ ରିତେଶ ଶାହ ଏହାର କାହାଣୀ ରଚନା କରିଛନ୍ତି।

Comment