ଓଡ଼ିଶାଲାଇଭ୍‍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ହିନ୍ଦୀ ସିନେମାରେ ଏଭଳି ଅନେକ ବର୍ଷା ଗୀତ ରହିଛି, ଯାହା ବର୍ଷାଦିନ ଆସିଲେ ସବୁଠାରୁ ଅଧିକ ମନେପଡ଼େ ଏମିତି କିଛି ପପୁଲାର ବର୍ଷା ଗୀତ ସମ୍ପର୍କରେ ଆସନ୍ତୁ ଜାଣିବା

ପ୍ୟାର୍ ହୁଆ ଇକ୍‌ରାର୍ ହୁଆ

ଆପଣ ଯେତେବେଳେ ଏହି ଗୀତ ଶୁଣିବେ ସେତେବେଳେ ଆପଣଙ୍କ ଆଖି ଆଗରେ ନାଚି ଉଠିବେ ରାଜ କପୁର ଓ ନରଗିସ୍। ଛତା ତଳେ ଏ ଦୁହିଁଙ୍କର ରୋମାନ୍ସ ମଧ୍ୟ ଅଭୁଲା। ‘ଶ୍ରୀ-୪୨୦’ ଫିଲ୍ମରେ ଥିବା ଏହି ଗୀତର ଗୀତିକାର ହେଲେ ଶୈଳେନ୍ଦ୍ର ଓ ଏହାର ସଙ୍ଗୀତ ନିର୍ଦ୍ଦେଶକ ହେଉଛନ୍ତି ଶଙ୍କର- ଜୟକିଶନ୍। ଏଥିରେ ମାନ୍ନା ଦେ ଓ ଲତା ମଙ୍ଗେସକର କଣ୍ଠଦାନ କରିଥିଲେ।

ଭିଗି ଭିଗି ରାତୋଁ ମେଁ

୧୯୭୪ ମସିହାରେ ମୁକ୍ତିଲାଭ କରିଥିବା ଫିଲ୍ମ ‘ଅଜନବୀ’ର ଏହି ବର୍ଷା ଗୀତଟି ଆଜିବି ସ୍ମରଣୀୟ ହୋଇରହିଛି। ଏହି ଗୀତର ଗୀତିକାର ହେଲେ ଆନନ୍ଦ ବକ୍ସି ଓ ସଙ୍ଗୀତ ନିର୍ଦ୍ଦେଶକ ହେଲେ ଆର୍.ଡି ବର୍ମନ। ଏହି ଗୀତ ଦୃଶ୍ୟରେ ରାଜେଶ ଖାନ୍ନା ଓ ଜୀନତ ଅମାନଙ୍କର ରୋମାନ୍ସ ଦେଖିବାକୁ ମିଳିଥିଲା।

ରିମ୍‌ଝିମ୍‌ ଗିରେ ସାୱନ୍

୧୯୭୯ରେ ରିଲିଜ୍‌ ହୋଇଥିବା ଫିଲ୍ମ ‘ମଞ୍ଜିଲ୍’ର ଏହା ଏକ ଲୋକପ୍ରିୟ ବର୍ଷା ଗୀତ। ଏହି ଗୀତର ତାଳେ ତାଳେ ସୁପରଷ୍ଟାର ଅମିତାଭ ବଚ୍ଚନ ଓ ସୁଇଟ୍ ନାୟିକା ମୌସୁମୀ ଚାଟାର୍ଜୀ ବମ୍ବେର ରାସ୍ତାରେ ବର୍ଷା ବେଳେ ରୋମାନ୍ସ କରୁଥିଲେ। ଏହି ଗୀତର ଗୀତିକାର ହେଲେ ଯୋଗେଶ ଓ ସଙ୍ଗୀତକାର ଆର୍.ଡି. ବର୍ମନ୍। ଏଥିରେ କଣ୍ଠଦାନ କରିଥିଲେ କିଶୋର କୁମାର ଓ ଲତା ମଙ୍ଗେସକର୍।

ଆଜ ଲିପଟ୍ ଯାୟେଁ

୧୯୮୨ରେ ମୁକ୍ତିଲାଭ କରିଥିଲା ଏକ ସୁପରହିଟ୍ ସିନେମା ’ନମକ ହଲାଲ୍’। ଏହି ଫିଲ୍ମରେ ଅମିତାଭ ବଚ୍ଚନ ଓ ସ୍ମିତା ପାଟିଲଙ୍କ ଉପରେ ବର୍ଷା ସମୟରେ ଏହି ଗୀତ ପିକଚରାଇଜ୍ ହୋଇଥିଲା। ଏହି ଗୀତର ସଙ୍ଗୀତକାର ବାପି ଲାହିରୀ। କିଶୋର କୁମାର ଓ ଆଶା ଭୋଁସଲେ ଗୀତଟିକୁ ଗାଇଥିଲେ।

କାଟେ ନହିଁ କଟ୍‌ତେ

ଅନୀଲ କପୁର ଓ ଶ୍ରୀଦେବୀଙ୍କ ଉପରେ ପିକଚରାଇଜ୍ ହୋଇଥିବା ଏକ ରୋମାଣ୍ଟିକ୍ ଗୀତ ଆଜି ବି ଲୋକପ୍ରିୟ। ଏହା ଏକ ପପୁଲାର ବର୍ଷା ଗୀତ। ଏହା ଗୀତିକାର ହେଲେ ଜାଭେଦ୍‌ ଅଖତର ଓ ସଙ୍ଗୀତକାର ଲକ୍ଷ୍ମୀକାନ୍ତ-ପ୍ୟାରେଲାଲ୍। ୧୯୮୭ରେ ମୁକ୍ତିଲାଭ କରିଥିବା ସୁପରହିଟ୍ ଫିଲ୍ମ ‘ମିଷ୍ଟର ଇଣ୍ଡିଆ’ରେ ଥିଲା ଏହି ଗୀତ।

ଲଗିଆଜ୍‌ ସାୱନ୍‌

୧୯୮୯ରେ ମୁକ୍ତିଲାଭ କରିଥିବା ସୁପରହିଟ୍ ଫିଲ୍ମ ‘ଚାନ୍ଦିନୀ’ର ଲୋକପ୍ରିୟ ବର୍ଷା ଗୀତ ହେଲା ‘ଲଗି ଆଜ୍‌ ସାୱନ୍‌…’। ବିନୋଦ ଖାନ୍ନା ତାଙ୍କର ପୂର୍ବତନ ପତ୍ନୀ ଜୁହି ଚାୱଲାଙ୍କୁ ମନେପକାଇ ଏହି ଗୀତଟି ଗାଉଛନ୍ତି। ଏହି ବର୍ଷାଗୀତର ଗୀତିକାର ହେଲେ ଆନନ୍ଦ ବକ୍ସି ଓ ସଙ୍ଗୀତକାର ଶିବ-ହରି। ସୁରେଶ ୱାଦେକର ଏଥିରେ କଣ୍ଠଦାନ କରିଥିଲେ।

ଟିପ୍ ଟିପ୍‌ ବରଷା ପାନି

୧୯୯୪ର ବ୍ଲକବଷ୍ଟର ମୁଭି ‘ମୋହରା’ର ଏହି ରୋମାଣ୍ଟିକ୍ ବର୍ଷା ଗୀତ ବିନା ଏହି କାହାଣୀ ଅଧୁରା। ଏହି ଗୀତ ଦୃଶ୍ୟରେ ଅକ୍ଷୟ କୁମାର ଓ ରବିନା ଟଣ୍ଡନଙ୍କୁ ଦେଖିବାକୁ ମିଳିଥିଲା। ବିଜୁ ଶାହା ଏହାର ସଙ୍ଗୀତକାର ଓ ଆନନ୍ଦ ବକ୍ସି ହେଉଛନ୍ତି ଏହି ସିନେମାରଗୀତିକାର।

ରିମ୍‌ଝିମ୍‌ ରିମ୍‌ଝିମ୍‌

୧୯୯୪ରେ ରିଲିଜ୍ ହୋଇଥିବା ବିଧୂବିନୋଦ ଚୋପ୍ରାଙ୍କ ଫିଲ୍ମ ‘୧୯୪୨- ଏ ଲଭ୍ ଷ୍ଟୋରି’ରେ ଏହି ଗୀତ ଦୃଶ୍ୟରେ ଅନୀଲ କପୁର ଓ ମନିଷା କୋଇରାଲାଙ୍କ ସଫ୍ଟ ରୋମାନ୍ସ ଦେଖିବାକୁ ମିଳିଥିଲା। ଜାଭେଦ୍‌ ଅଖତର ଏହି ଗୀତଟି ଲେଖିଥିଲେ ଓ ଆର.ଡି. ବର୍ମନ ସ୍ୱରରେ ସଜାଇଥିଲେ।

ଘନନ୍‌ ଘନନ୍‌

୨୦୦୧ରେ ରିଲିଜ୍ ହୋଇଥିବା ଅମୀର ଖାନ୍‌ଙ୍କ ସୁପରିହଟ୍‌ ଫିଲ୍ମ ‘ଲଗାନ୍‌’ର ଏହି ବର୍ଷା ଗୀତ ଥିଲା ସମ୍ପୂର୍ଣ୍ଣ ଭିନ୍ନ। ଏହାର ଗୀତିକାର ଥିଲେ ଜାଭେଦ୍‌ ଅଖତର ଓ ସଙ୍ଗୀତକାର ଥିଲେ ଏ. ଆର୍. ରହମାନ୍‌।

ବରଷୋରେ ମେଘା ମେଘା

୨୦୦୭ରେ ମୁକ୍ତିଲାଭ କରିଥିବା ମଣିରତ୍ନମଙ୍କ ଚର୍ଚ୍ଚିତ ସିନେମା ‘ଗୁରୁ’ରେ ଥିଲା ଏହି ବର୍ଷା ଗୀତ। ଏହି ଗୀତ ଦୃଶ୍ୟରେ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କୁ ବର୍ଷାରେ ନାଚୁଥିବାର ଦେଖିବାକୁ ପାଇଥିଲେ ଦର୍ଶକ। ଏହି ଲୋକପ୍ରିୟ ବର୍ଷା ଗୀତର ଗୀତିକାର ହେଲେ ଗୁଲଜାର୍ ଓ ସଙ୍ଗୀତକାର ହେଉଛନ୍ତି ଏ.ଆର୍. ରହେମାନ୍।

Comment