ଓଡ଼ିଶାଲାଇଭ ବ୍ୟୁରୋ

ରଥଯାତ୍ରାକୁ ଆଉ ମାତ୍ର ଗୋଟିଏ ଦିନ ବାକି। ମହାପ୍ରଭୁ ଜଗନ୍ନାଥ ବଡଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ନେଇ ବାହାରିବେ ଯାତ୍ରାରେ। ବିଶ୍ୱର ପ୍ରସିଦ୍ଧ ଏହି ବିରାଟ ଯାତ୍ରାରେ ଭକ୍ତ ଏବଂ ଭଗବାନ ଏକତ୍ର ହେବେ।

ଆସନ୍ତୁ ଜାଣିବା ଏହି ୩ରଥ ବିଷୟରେ କିଛି ଅଜଣା ତଥ୍ୟ…

ତାଳଧ୍ୱଜ ରଥ : ଶ୍ରୀ ବଳଭଦ୍ରଙ୍କ ରଥ ତାଳଧ୍ୱଜ ନାମରେ ପରିଚିତ। ଏହାର ଉଚ୍ଚତା ୪୩ ଫୁଟ୍ ୩ଇଞ୍ଚ ଅଟେ। ୧୪ଟି ଚକା ଏବଂ  ୭୬୩ ଖଣ୍ଡ କାଠରେ ତିଆରି ହୋଇଥାଏ ତାଳଧ୍ୱଜ ରଥ। ଏହି ରଥର ରଙ୍ଗ ନାଲି ଓ ସବୁଜ ରଙ୍ଗର ହୋଇଥାଏ। ତାଳଧ୍ୱଜ ରଥର ସାରଥୀ ଙ୍କ ନାଁ ହେଉଛି ଦାରୁକ। ଏହି ରଥର ଦଉଡ଼ି ବାସୁକୀ ନାମରେ ପରିଚିତ। ତାଳଧ୍ୱଜ ରଥର ନେତର ନାଁ ଉନ୍ନାନି ହୋଇଥିବା ବେଳେ ଏହାର ରକ୍ଷକ ହେଉଛନ୍ତି ବାସୁଦେବ। ରଥଯାତ୍ରାରେ ସର୍ବପ୍ରଥମେ ତାଳଧ୍ୱଜ ରଥକୁ ଟଣା ଯାଇଥାଏ।

ଦର୍ପଦଳନ ରଥ : ଦେବୀ ସୁଭଦ୍ରାଙ୍କ ରଥ ଦର୍ପଦଳନ ବା ଦେବଦଳନ ନାମରେ ପରିଚିତ । ଏହାର ଉଚ୍ଚତା ୪୨ଫୁଟ୍ ୩ ଇଞ୍ଚ। ୧୨ଟି ଚକା ଏବଂ ୫୯୩ ଖଣ୍ଡ କାଠରେ ତିଆରି ହୋଇଥାଏ ଦର୍ପଦଳନ ରଥ। ଏହି ରଥର ରଙ୍ଗ ନାଲି ଓ କଳା। ଦର୍ପଦଳନ ରଥର ସାରଥୀଙ୍କ ନାଁ ଅର୍ଜୁନ ଏବଂ ରଥ ଦଉଡି ସ୍ୱର୍ଣ୍ଣଚୁଡ଼ ନାମରେ ପରିଚିତ। ଦର୍ପଦଳନ ରଥର ନେତର ନାଁ ନାଦମ୍ବିକା ହୋଇଥିବା ବେଳେ ଏହାର ରକ୍ଷକ ହେଉଛନ୍ତି ଜୟଦୁର୍ଗା। ଦର୍ପଦଳନ ରଥ ତାଳଧ୍ୱଜ ରଥ ପରେ ଟଣା ହୋଇଥାଏ।

ନନ୍ଦିଘୋଷ ରଥ : ମହାପ୍ରଭୁ ଜଗନ୍ନାଥଙ୍କ ରଥ ନନ୍ଦିଘୋଷ ରଥ ନାମରେ ପରିଚିତ। ଏହାର ଉଚ୍ଚତା ୪୪ଫୁଟ୍ ୨ଇଞ୍ଚ ଅଟେ। ୧୬ଟି ଚକା ଏବଂ ୮୩୨ ଖଣ୍ଡ କାଠରେ ତିଆରି ହୋଇଥାଏ ନନ୍ଦିଘୋଷ ରଥ। ଏହି ରଥର ରଙ୍ଗ ନାଲି ଓ ହଳଦୀ ରଙ୍ଗର ହୋଇଥାଏ। ନନ୍ଦିଘୋଷ ରଥର ସାରଥୀଙ୍କ ନାଁ ମାତଳୀ  ଏବଂ ରଥ ଦଉଡି ଶଙ୍ଖଚୁଡ଼ ନାମରେ ପରିଚିତ। ନନ୍ଦିଘୋଷ ରଥର ଧ୍ୱଜାର ନାଁ ତ୍ରୈଲୋକ୍ୟମାହିନୀ ହୋଇଥିବା ବେଳେ ଏହାର ରକ୍ଷକ ହେଉଛନ୍ତି ଗରୁଡ଼। ରଥଯାତ୍ରାରେ ଶେଷରେ ଟଣା ଯାଇଥାଏ ମହାପ୍ରଭୁଙ୍କ ନନ୍ଦିଘୋଷ ରଥ।

Comment