ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

  • ପ୍ରମିଳାଙ୍କୁ ପ୍ରଶଂସା କଲେ ବାଚସ୍ପତି
  • ମହିଳା ସଶକ୍ତୀକରଣ ଉପରେ ଦେଲେ ଗୁରୁତ୍ୱ
  • ଆଶା, ଅଙ୍ଗନବାଡ଼ି କର୍ମୀଙ୍କ ଭତ୍ତା ବଢ଼ାଇବାକୁ ଦାବି
  • ଆଶା, ଅଙ୍ଗନବାଡ଼ି କର୍ମୀଙ୍କ ଭତ୍ତା ୧୫୦୦୦ କରିବାକୁ ଦାବି

‘‘ଅଧ୍ୟକ୍ଷ ମହୋଦୟ, ପବିତ୍ର ରଥଯାତ୍ରା ଅବସରରେ ମତେ ପ୍ରଥମ ଥର ପାଇଁ କହିବାର ସୁଯୋଗ ଦେଇଥିବାରୁ ମୁଁ ଆପଣଙ୍କୁ ଧନ୍ୟବାଦ ଜଣାଉଛି। ଆଜି ମୁଁ ମହିଳା ସଶକ୍ତୀକରଣ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପସ୍ଥାପନ କରୁଛି’’, ଏହା ହେଉଛି ଆସ୍କା ସାଂସଦ ପ୍ରମିଳା ବିଷୋୟୀଙ୍କ ଲୋକସଭାରେ ପ୍ରଥମ ବକ୍ତବ୍ୟ।

ପ୍ରମିଳା ବିଷୋୟୀ ଆଜି ପ୍ରଥମ ଥର ପାଇଁ ଲୋକସଭାରେ ନିଜ ବକ୍ତବ୍ୟ ରଖିଥିଲେ। କେନ୍ଦୁଝର ସାଂସଦ ଚନ୍ଦ୍ରାଣୀ ମୁର୍ମୁଙ୍କ ପରେ ପ୍ରମିଳାଙ୍କ ନାଁ ଡାକିଥିଲେ ବାଚସ୍ପତି ଓମ୍ ବିର୍ଲା। ପ୍ରମିଳା ଭାଷଣ ଦେବାକୁ ଉଠିବା ବେଳେ ଅନ୍ୟ ସାଂସଦମାନେ ତାଳି ମାରିଥିଲେ।

ବାଚସ୍ପତି ମଧ୍ୟ ପ୍ରମିଳାଙ୍କୁ ପ୍ରଶଂସା କରିଥିଲେ। ୧୭ ହଜାରରୁ ଅଧିକ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଏକାଠି କରି ବିକାଶମୂଳକ କାମ କରୁଥିବାରୁ ବାଚସ୍ପତି ତାଙ୍କ ପ୍ରଶାଂସା କରିଥିଲେ। ଏହାପରେ ପ୍ରମିଳା ଓଡ଼ିଆରେ ମହିଳା ସଶକ୍ତୀକରଣ ଉପରେ ଭାଷଣ ଦେଇଥିଲେ।

‘‘ଗତ ୨୦୧୮ ସେପ୍ଟେମ୍ବରରେ କେନ୍ଦ୍ର ସରକାର ଆଶା ଓ ଅଙ୍ଗନବାଡ଼ି କର୍ମୀଙ୍କ ଭତ୍ତା ୪ ହଜାର ୫୦୦ ଟଙ୍କାକୁ ବୃଦ୍ଧି କରିଥିଲେ। ହେଲେ ଏତିକି ଟଙ୍କା ସେମାନଙ୍କ ପାଇଁ ଯଥେଷ୍ଟ ନୁହେଁ। ସମାଜର ତୃଣମୂଳ ସ୍ତରରେ ଏମାନେ କାମ କରୁଛନ୍ତି। ତେଣୁ ଆଶା ଓ ଅଙ୍ଗନବାଡ଼ି କର୍ମୀଙ୍କ ଭତ୍ତା ୧୫ ହଜାର ଏବଂ ସହାୟକଙ୍କ ଭତ୍ତା ୧୨ ହଜାର ଟଙ୍କା କରାଯାଉ। ‘‘ରଥଯାତ୍ରା ଅବସରରେ ମୁଁ ସମସ୍ତଙ୍କୁ ଅଭିନନ୍ଦନ ଜଣାଉଛି’’, କହିଛନ୍ତି ପ୍ରମିଳା ବିଷୋୟୀ।

ଶେଷରେ ‘ଜୟ ଜଗନ୍ନାଥ, ଜୟ ଓଡ଼ିଶା’ କହି ବକ୍ତବ୍ୟ ଶେଷ କରିଥିଲେ ପ୍ରମିଳା।

ପ୍ରମିଳା ବିଷୋୟୀଙ୍କ ବୟସ ୭୦ ବର୍ଷ। ତାଙ୍କ ଘର ଆସ୍କା ବ୍ଲକର ନଳବନ୍ତ ପଞ୍ଚାୟତର ଚେରମାରିଆ ଗାଁରେ। ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସେ ହେଉଛନ୍ତି ସଦସ୍ୟ। ହେଲେ ବିଜେଡି ତାଙ୍କୁ ପ୍ରଥମ ଥର ପାଇଁ ଆସ୍କା ଲୋକସଭା ଆସନରୁ ଟିକେଟ ଦେଇଥିଲା। ପ୍ରମିଳା ବିପୁଳ ଭୋଟରେ ବିଜୟୀ ହୋଇଥିଲେ।

LEAVE A REPLY

Please enter your comment!
Please enter your name here