ଓଡ଼ିଶାଲାଇଭ ବ୍ୟୁରୋ

ଶ୍ରୀକ୍ଷେତ୍ରରେ ଚାଲିଛି ଚର୍ତୁଦ୍ଦାମୂର୍ତ୍ତିଙ୍କର ପହଣ୍ଡି ବିଜେ। କିଛି ସମୟ ତଳେ ଆରମ୍ଭ ହୋଇଛି ଏହି ପ୍ରମୁଖ କାର୍ଯ୍ୟକ୍ରମ। ସୁଦର୍ଶନ ଏବଂ ବଳଦେବଙ୍କ ପରେ ପରେ ଦେବୀ ସୁଭଦ୍ରାଙ୍କୁ ସେବାୟତମାନେ ପହଣ୍ଡି କରି ରଥକୁ ନେଉଛନ୍ତି।

ଆଜି ସକାଳେ ପୁରୀରେ ଭକ୍ତଙ୍କର ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। ସିଂହଦ୍ୱାର ସମ୍ମୁଖରେ ୩ ରଥ ପ୍ରସ୍ତୁତ ହୋଇ ରହିଛନ୍ତି।

ସୁଦର୍ଶନଙ୍କ ପରି ଦେବୀ ସୁଭଦ୍ରାଙ୍କୁ ସେବାୟତମାନେ କାନ୍ଧରେ ଧରି ପହଣ୍ଡି କରି ନେଇଥାନ୍ତି।

ଘଣ୍ଟ, କାହାଳୀ, ଶବ୍ଦରେ କମ୍ପି ଉଠୁଛି ଶ୍ରୀମନ୍ଦିର ଓ ବଡ଼ଦାଣ୍ଡ। ବଡ଼ଦାଣ୍ଡରେ ଅନେକ ଭକ୍ତ ବିଭିନ୍ନ ବେଶରେ ନୃତ୍ୟ ମାଧ୍ୟମରେ ସେମାନଙ୍କ ଭକ୍ତିଭାବ ପ୍ରଦର୍ଶନ କରୁଛନ୍ତି। ଓଡ଼ିଶୀ କଳାକାରମାନେ ମଧ୍ୟ ନୃତ୍ୟ ପରିବେଷଣ କରି ଶ୍ରୀକ୍ଷେତ୍ରରେ ଏକ ଅପୂର୍ବ ଭକ୍ତିର ପରିବେଶ ସୃଷ୍ଟି କରୁଛନ୍ତି।

ମଝିରେ ମଝିରେ ବନାଟି କଳାକାରମାନେ ସେମାନଙ୍କ ଅପୂର୍ବ କଳା ପ୍ରଦର୍ଶନ କରୁଛନ୍ତି।

ଆଜି ସକାଳେ ଶ୍ରୀମନ୍ଦିରରେ ବିଭିନ୍ନ ନୀତି ନିର୍ଦ୍ଦାରିତ ସମୟରେ ଅନୁଷ୍ଠିତ ହୋଇଛି। ପରମ୍ପରା ଅନୁଯାୟୀ ହୋମ କରାଯାଇଛି। ପରେ ପରେ ରଥ ପ୍ରତିଷ୍ଠା କରାଯାଇଥିଲା।

ଶ୍ରୀମନ୍ଦିରରୁ ବଡ଼ଦାଣ୍ଡକୁ ଶ୍ରୀଜିଉମାନେ ଆସିଲା ବେଳେ ଧାଡ଼ି ପହଣ୍ଡି କରାଯାଇଥାଏ। ତେଣୁ ସୁଦର୍ଶନଙ୍କ ପରେ ବଳଭଦ୍ର, ଦେବୀ ସୁଭଦ୍ରା ଓ ଶେଷର ଶ୍ରୀଜଗନ୍ନାଥଙ୍କ ପହଣ୍ଡି କରାଯାଉଛି।

ପହଣ୍ଡିର ଅନ୍ୟତମ ଆକର୍ଷଣ ହେଉଛି ଘଣ୍ଟୁଆମାନଙ୍କ ପାରମ୍ପରିକ ଘଣ୍ଟୁଆ ନାଦ। ତା’ସାଙ୍ଗକୁ ଆଲଟ ଚାମର କରି ଶ୍ରୀଜିଉମାନଙ୍କୁ ୨୨ ପାହାଚ ଦେଇ ରଥକୁ ପହଣ୍ଡି କରି ନିଆଯାଇଥାଏ।

ଶ୍ରୀଗୁଣ୍ଡିଚା ଯାତ୍ରା ପାଇଁ ଜୋଦଦାର ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଆଜି ଦଶ ଲକ୍ଷରୁ ଅଧିକ ଭକ୍ତଙ୍କ ସମାଗମ ହେବାର ସମ୍ଭାବନା ରହିଛି।

Comment