ଓଡ଼ିଶାଲାଇଭ ବ୍ୟୁରୋ

ଲେପ୍ଟୋସ୍ପାଇରୋସିସ୍ ହେଉଛି ଏପରି ଏକ ରୋଗ ଯାହା ବର୍ଷାଦିନେ ବଢ଼ିଯାଇଥାଏ। ଭାରତରେ ୨୦୧୩ରେ ପ୍ରଥମେ ଏହି ରୋଗ ଦେଖାଯାଇଥିଲା। ତା’ ପରଠାରୁ ଏହାଦ୍ୱାରା ପ୍ରତିବର୍ଷ ପ୍ରାୟ ୫ ହଜାର ଲୋକ ପ୍ରଭାବିତ ହେଉଛନ୍ତି। ଏହି ରୋଗରେ ପୀଡ଼ିତ ପ୍ରାୟ ୧୦-୧୫ ପ୍ରତିଶତ ଲୋକ ମୃତ୍ୟୁମୁଖରେ ପଡୁଛନ୍ତି। ପଶୁପକ୍ଷୀଙ୍କ ମଳମୂତ୍ରରେ ଥିବା ଲେପ୍ଟୋସ୍ପାଇରା ନାମକ ଏକ ବ୍ୟାକ୍ଟେରିଆ ଯୋଗୁ ଏହା ବ୍ୟାପେ।

-ସାଧାରଣତଃ ମଇଁଷି, ଘୋଡ଼ା, ଛେଳି, ଘୁଷୁରୀ ପରି ଜୀବଙ୍କ ମଳମୂ୍ତ୍ରରୁ ଏହା ବ୍ୟାପେ। ବର୍ଷାଦିନେ ଏହି ସଂକ୍ରମଣ ବ୍ୟାପିବାର ଆଶଙ୍କା ବଢିଯାଏ। ଏହି ବ୍ୟାକ୍ଟେରିଆ ଶରୀରରେ ତ୍ୱଚା, ଆଖି ବା କୌଣସି କ୍ଷତସ୍ଥାନ ମାଧ୍ୟମରେ ପ୍ରବେଶ କରିଥାଏ।

-ଏହି ରୋଗ ହେଲେ କିଡନି, ମେନିନଜାଇଟିସ୍(ମସ୍ତିଷ୍କ ଏବଂ ମେରୁଦଣ୍ଡର ହାଡ଼ ଚାରିପଟେ ଫୁଲିଯିବା), ଯକୃତରେ ସମସ୍ୟା, ନିଃଶ୍ୱାସପ୍ରଶ୍ୱାସ ନେବାରେ ସମସ୍ୟା ପ୍ରଭୃତି ହୋଇଥାଏ। ଏହାଯୋଗୁ ପ୍ରବଳ ଜ୍ୱର, ମୁଣ୍ଡବିନ୍ଧା, ଥଣ୍ଡା, ମାଂସପେଶୀ ଦରଜ, ବାନ୍ତି ହେବା, ଆଖି ନାଲି ପଡ଼ିବା, ପେଟ ଦରଜ ଇତ୍ୟାଦି ଲକ୍ଷଣ ଦେଖାଯାଏ। ବ୍ୟାକ୍ଟେରିଆ ଦ୍ୱାରା ପ୍ରଭାବିତ ହେବା ପରେ ୨-୪ ସପ୍ତାହ ମଧ୍ୟରେ ଏହି ସବୁ ଲକ୍ଷଣ ଦେଖାଯାଏ।

କିଭଳି ରକ୍ଷାପାଇବେ

ବର୍ଷାଦିନେ ଯେଉଁଠାରେ ପାଣି ଜମା ହୋଇଥାଏ ସେଠାରେ ବୁଲିବାରୁ ନିବୃତ୍ତ ରୁହନ୍ତୁ।

-ଶରୀରରେ କୌଣସି ସ୍ଥାନରେ କ୍ଷତ ହୋଇଥିଲେ ତାକୁ ଭଲ ଭାବେ ଆବୃତ୍ତ କରି ବାହାରକୁ ବାହାରନ୍ତୁ।

-ବର୍ଷାଦିନେ ଯଥାସମ୍ଭବ ପାଦକୁ ଆବୃତ୍ତ କରୁଥିବା ଜୋତା ପିନ୍ଧନ୍ତୁ।

-ମଧୁମେହ ରୋଗୀମାନେ ଏହି ସମୟରେ ସ୍ୱତନ୍ତ୍ର ଭାବେ ନିଜର ଧ୍ୟାନ ରଖିବା ଜରୁରୀ। କାରଣ ସେମାନଙ୍କୁ ଏହି ରୋଗ ହେଲେ ଛାଡ଼ିବାକୁ ସମୟ ଲାଗେ।

-ବର୍ଷାଦିନେ ପାଖରେ ସବୁବେଳେ ଏକ ଟାଉଲିଆ ରଖନ୍ତୁ। ପାଦ ଓଦା ହେବା ପରେ ତାକୁ ପରିଷ୍କାର ପାଣିରେ ଧୋଇ ପୋଛି ନିଅନ୍ତୁ।

-ଗୃହପାଳିତ ପଶୁମାନଙ୍କଠାରୁ ସଂକ୍ରମଣରୁ ରକ୍ଷା ପାଇବା ଲାଗି ଟୀକା ଲଗାନ୍ତୁ।

ଏମାନେ ଅଧିକ ସତର୍କ ରୁହନ୍ତୁ

କୃଷିକ୍ଷେତରେ କାମ କରୁଥିବା ଚାଷୀ, ପଶୁ ଚିକିତ୍ସାଳୟରେ କାମ କରୁଥିବା ଡାକ୍ତର ଓ କର୍ମଚାରୀ, ଖଣି ଖାଦାନରେ କାମ କରୁଥିବା ଲୋକେ, ପୋଲିସ, ଯବାନ ଏବଂ ବିପର୍ଯ୍ୟୟ ପ୍ରଶମନ ସଂସ୍ଥାରେ କାମ କରୁଥିବା ଲୋକେ ଅଧିକ ସତର୍କ ରହିବା ଜରୁରୀ। ଏହି ରୋଗ ହେଲେ ୨୪-୭୨ ଘଣ୍ଟା ମଧ୍ୟରେ ଔଷଧ ନେବା ଆବଶ୍ୟକ।

Comment