ଓଡ଼ିଶାଲାଇଭ୍ ବ୍ୟୁରୋ

ଝୁଲି ଝୁଲି ପହଣ୍ଡିରେ ଆସୁଛନ୍ତି କାଳିଆ ଠାକୁର।

ଶ୍ରୀମନ୍ଦିରରେ ପହଣ୍ଡିରେ ଆସୁଛନ୍ତି କାଳିଆ ସାଆନ୍ତ। ଦେବୀ ସୁଭଦ୍ରାଙ୍କ ପହଣ୍ଡି ପଛକୁ ପଛ ଆରମ୍ଭ ହୋଇଛି ପ୍ରଭୁ ଜଗନ୍ନାଥଙ୍କ ପହଣ୍ଡି। ଟାହିଆ ହଲାଇ କାଳିଆ ଠାକୁରଙ୍କୁ ବାଇଶି ପାହଚ ଦେଇ ସେବକମାନେ ରଥକୁ ନେଉଛନ୍ତି।

କାଳିଆ ଠାକୁରଙ୍କୁ ବଡ଼ଦାଣ୍ଡରେ ଅପେକ୍ଷା କରି ରହିଛି ନନ୍ଦିଘୋଷ ରଥ। ଏହି ରଥର ଷୋହଳଟି ଚକ ରହିଛି ଯାହାକି ଷୋହଳ କଳା କୁହାଯାଏ।

ଏହି ଅପୂର୍ବ ଦୃଶ୍ୟକୁ ଦେଖିବା ପାଇଁ ବଡ଼ ଦାଣ୍ତରେ ଅନେଇ ବସିଛନ୍ତି ଭକ୍ତ।

ସୁଦର୍ଶନଙ୍କୁ ସେବାୟତମାନେ କାନ୍ଧରେ ଧରି ପହଣ୍ଡି କରି ଆଣିଥା’ନ୍ତି। ସେହିଭଳି ଦେବୀ ସୁଭଦ୍ରାଙ୍କୁ ମଧ୍ୟ କାନ୍ଧରେ ଧରି ପହଣ୍ଡି ବିଜେ କରିଥା’ନ୍ତି ସେବାୟତମାନେ। ହେଲେ ବଡ଼ ଠାକୁର ବଳଦେବ ଏବଂ କାଳିଆ ଠାକୁର ଜଗନ୍ନାଥ ଧୀରେ ଧୀରେ, ହଲି ହଲି, ପାହଚ ପରେ ପାହଚ ଦେଇ ପହଣ୍ଡିରେ ଆସିଥା’ନ୍ତି।

ବାଇଶି ପାହଚ ଅତିକ୍ରମ କରି ସିଂହଦ୍ୱାର ଗୁମୁଟ ଦେଇ ଶ୍ରୀଜୀଉମାନେ ବଡ଼ଦାଣ୍ଡକୁ ଆସିଥା’ନ୍ତି। ସିଂହଦ୍ୱାରରେ ପହଣ୍ଡିରେ ଠାକୁରମାନଙ୍କୁ ପ୍ରଥମେ ଦର୍ଶନ କରିବାକୁ ଦର୍ଶକମାନଙ୍କ ମଧ୍ୟରେ ଅପୂର୍ବ ଆବେଗ ଦେଖିବାକୁ ମିଳିବ।

ଘଣ୍ଟ, କାହାଳୀ, ଶବ୍ଦରେ କମ୍ପି ଉଠୁଛି ଶ୍ରୀମନ୍ଦିର ଓ ବଡ଼ଦାଣ୍ଡ। ବଡ଼ଦାଣ୍ଡରେ ଅନେକ ଭକ୍ତ ବିଭିନ୍ନ ବେଶରେ ନୃତ୍ୟ ମାଧ୍ୟମରେ ସେମାନଙ୍କ ଭକ୍ତିଭାବ ପ୍ରଦର୍ଶନ କରୁଛନ୍ତି। ଓଡ଼ିଶୀ କଳାକାରମାନେ ମଧ୍ୟ ନୃତ୍ୟ ପରିବେଷଣ କରି ଶ୍ରୀକ୍ଷେତ୍ରରେ ଏକ ଅପୂର୍ବ ଭକ୍ତିର ପରିବେଶ ସୃଷ୍ଟି କରୁଛନ୍ତି।

ମଝିରେ ମଝିରେ ବନାଟି କଳାକାରମାନେ ସେମାନଙ୍କ ଅପୂର୍ବ କଳା ପ୍ରଦର୍ଶନ କରୁଛନ୍ତି।

ଆଜି ସକାଳେ ଶ୍ରୀମନ୍ଦିରରେ ବିଭିନ୍ନ ନୀତି ନିର୍ଦ୍ଦାରିତ ସମୟରେ ଅନୁଷ୍ଠିତ ହୋଇଛି। ପରମ୍ପରା ଅନୁଯାୟୀ ହୋମ କରାଯାଇଛି। ପରେ ପରେ ରଥ ପ୍ରତିଷ୍ଠା କରାଯାଇଥିଲା।

ଶ୍ରୀମନ୍ଦିରରୁ ବଡ଼ଦାଣ୍ଡକୁ ଶ୍ରୀଜୀଉମାନେ ଆସିଲା ବେଳେ ଧାଡ଼ି ପହଣ୍ଡି କରାଯାଇଥାଏ। ତେଣୁ ସୁଦର୍ଶନଙ୍କ ପରେ ବଳଭଦ୍ର, ଦେବୀ ସୁଭଦ୍ରା ଓ ଶେଷର ଶ୍ରୀଜଗନ୍ନାଥଙ୍କ ପହଣ୍ଡି କରାଯାଉଛି।

ପହଣ୍ଡିର ଅନ୍ୟତମ ଆକର୍ଷଣ ହେଉଛି ଘଣ୍ଟୁଆମାନଙ୍କ ପାରମ୍ପରିକ ଘଣ୍ଟୁଆ ନାଦ। ତା’ସାଙ୍ଗକୁ ଆଲଟ ଚାମର କରି ଶ୍ରୀଜୀଉମାନଙ୍କୁ ୨୨ ପାହାଚ ଦେଇ ରଥକୁ ପହଣ୍ଡି କରି ନିଆଯାଇଥାଏ।

ପୁରୀରେ ଶ୍ରୀଗୁଣ୍ଡିଚା ପାଇଁ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଆଜି ଦଶ ଲକ୍ଷରୁ ଅଧିକ ଭକ୍ତଙ୍କ ସମାଗମ ହେବାର ସମ୍ଭାବନା ରହିଛି।

Comment