ଓଡ଼ିଶାଲାଇଭ୍ ବ୍ୟୁରୋ

  • ରଥଯାତ୍ରା ପାଇଁ ବ୍ୟାପକ ପ୍ରସ୍ତୁତି
  • ସାଢ଼େ ୯ଟାରେ ପହଣ୍ଡି, ୪ଟାରୁ ରଥଟଣା
  • ପୁରୀରେ ପୋଲିସ ଛାଉଣୀ
  • ପୁରୀକୁ ଜଗିବେ ୧୫୦ ପ୍ଲାଟୁନ୍ ପୋଲିସ ଫୋର୍ସ

ଆଉ କିଛି ସମୟର ଅପେକ୍ଷା ପରେ ଭକ୍ତଙ୍କ ମେଳକୁ ଚାଲି ଆସିବେ ଭାବର ଠାକୁର। ଏଥିପାଇଁ ରଥ ଓ ପଥ ପ୍ରସ୍ତୁତ। ରଥଖଳାରୁ ତିନିରଥ ଦକ୍ଷିଣ ମୋଡ଼ କରାଯାଇ ସିଂହଦ୍ୱାର ସମ୍ମୁଖକୁ ଅଣାସରିଛି। ମହାପ୍ରଭୁଙ୍କ ଅପେକ୍ଷରେ ଏହି ତିନିରଥ।

ରଥରେ ବିଜେ କରି କାଳିଆ ସାଆନ୍ତ ଭାଇ, ଭଉଣୀଙ୍କୁ ସାଙ୍ଗରେ ଧରି ଶ୍ରୀଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରିବେ। ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଦେଖିବା ପାଇଁ ପୃଥିବୀର ବିଭିନ୍ନ କୋଣରୁ ପୁରୀକୁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଛି। ପୁରୀ ଧିରେ ଧିରେ ଲୋକାରଣ୍ୟ ହୋଇଗଲାଣି। ଭାବର ଠାକୁରଙ୍କୁ ରଥ ଉପରେ ଦର୍ଶନ କରିବା ପାଇଁ ଭକ୍ତ ଅପେକ୍ଷା କରି ରହିଛନ୍ତି।

Three Chariots at Puri

ମହାପ୍ରଭୁଙ୍କ ସମସ୍ତ ନୀତିକାନ୍ତି ଶେଷ ହେବା ପରେ ସାଢ଼େ ୯ଟାରୁ ମହାପ୍ରଭୁଙ୍କ ପହଣ୍ଡି ଏବଂ ୪ଟାରେ ରଥଟଣା ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ନିୀତି ନିର୍ଘଣ୍ଟ କରିଛି।

ବଡ଼ଦାଣ୍ତରେ ଜନସମାଗମକୁ ଦେଖି ପୁରୀ ସହରରେ ପୋଲିସ ଛାଉଣୀ କରାଯାଇଛି। ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ୧୫୦ ପ୍ଲାଟୁନ୍ ପୋଲିସ ଫୋର୍ସର ବ୍ୟବସ୍ଥା କରାଯାଇଛି।

ସମୁଦ୍ର କୂଳ, ବଡ଼ଦାଣ୍ଡ, ରେଳ ଷ୍ଟେସନ ଏବଂ ବସ୍‌ ଷ୍ଟାଣ୍ଡରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଏହାସହ ଲାଇଫ ଗାର୍ଡ ଏବଂ ଆମ୍ବୁଲାନ୍ସ ମୁତୟନ କରାଯାଇଛି।

ପୁରୀର ବିଭିନ୍ନ ସମ୍ବେଦନଶୀଳ ସ୍ଥାନ କଡ଼ା ସୁରକ୍ଷା ବଳୟରେ ରହିଛି। ସେହିପରି ଟ୍ରାଫିକ ନିୟନ୍ତ୍ରଣ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି। 

Comment