ଓଡ଼ିଶାଲାଇଭ୍ ବ୍ୟୁରୋ

“ଦୋଳେଚ ଦୋଳଗୋବିନ୍ଦଂ, ଚାପେଚ ମଧୂସୁଦନଂ, ରଥେତୁ ବାମନଂ ଦୃଷ୍ଟ୍ୱା, ପୁନର୍ଜନ୍ମ ନଲଭ୍ୟତତେ।”

ରଥରେ ମହାପ୍ରଭୁଙ୍କ ଦର୍ଶନ ଲାଭ କଲେ ୭ ଜନ୍ମର ପାପ କ୍ଷୟ ହେବା ସହିତ ମନୁଷ୍ୟ ପୁନର୍ଜନ୍ମରୁ ମୁକ୍ତି ପାଇବାର ଆଶାଥାଏ। ଏଣୁ ଆଜି ଶ୍ରୀଗୁଣ୍ଡିଚା ଯାତ୍ରାର ମହତ୍ଵ ନିଆରା। ଆଷାଢ଼ ମାସ  ଶୁକ୍ଳ ଦ୍ଵିତୀୟା ତିଥିରେ ପାଳନ ହୁଏ ମହାପ୍ରଭୁ ବଳଦେବଜୀୟୁଙ୍କ ଶ୍ରୀଗୁଣ୍ଡିଚା ଯାତ୍ରା।

କେନ୍ଦ୍ରାପଡାର ତୁଳସୀକ୍ଷେତ୍ରରେ ପ୍ରଭୁ ବଳଦେବଜୀୟୁଙ୍କ ଦୁଇ ଦିନିଆ ଗୁଣ୍ଡିଚା ଯାତ୍ରା ଆଜି ଅନୁଷ୍ଠିତ ହୋଇଛି। ଶ୍ରୀମନ୍ଦିର ମଧ୍ୟରେ ମହାପ୍ରଭୁଙ୍କର ରୀତିନୀତି ଅନୁଯାୟୀ ପୂଜା ସମାପନ ପରେ ଅପରାହ୍‌ଣ ୨ଟାରେ ହୋଇଥିଲା ପହଣ୍ଡି ବିଜେ।

ଧାଡି ପହଣ୍ଡିରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ପଣ୍ଡା ଓ ସେବାୟତମାନେ ରଥାରୂଢ କରାଇଥିଲେ। ଘଣ୍ଟଘଣ୍ଟା ତୁରୀଭେରୀ ଓ ହରିବୋଲ ହୁଳହୁଳିରେ ପରିବେଶ ପ୍ରକମ୍ପିତ ହୋଇଥିଲା।

ପ୍ରଭୁମାନଙ୍କୁ ରଥ ଚାରିପାଖରେ ପ୍ରଦକ୍ଷିଣ କରାଯାଇଥିଲା। କୁହାଯାଏ ଯେ ରଥ ଉପରେ ବିଜେ କରିବା ପୂର୍ବରୁ ମହାପ୍ରଭୁ ରଥ ଚାରି ପାଖରେ ବୁଲି ରଥର ଅବସ୍ଥା ନିଜେ ପରଖିବା ପରେ ରଥରେ ବିଜେ କରିଥାନ୍ତି।

ପରମ୍ପରା ଅନୁସାରେ ଦିଅଁମାନେ ରଥାରୂଢ ହେବାପରେ ବଳଦେବଜୀୟୁଙ୍କ ରାଜପୁରୋହିତ ରଥରେ ଛେରା ପହଁରା କରିଥିଲେ। ଏହାପରେ ହୋଇଥିଲା ରଥଟଣା।

ହଜାର ହଜାର ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ରଥକୁ ଟାଣିବା ପାଇଁ ବହୁ ଦୂର ଦୂରାନ୍ତରୁ ଧାଇଁ ଆସିଥିଲେ। ଡାହୁକ ଘୋଡା ଉପରେ ସବାର ହେବାପରେ ରଥ ଟଣା ହୋଇଥିଲା। ତୁଳସୀକ୍ଷେତ୍ରରେ ଏହି ଯାତ୍ରା ଦୁଇଦିନ ହୋଇଥାଏ।

କୁହାଯାଏ ଯେ ଶ୍ରୀଗୁଣ୍ଡିଚାରେ ପୁରୀ ଶ୍ରୀକ୍ଷେତ୍ରରେ ଜଗନ୍ନାଥଙ୍କ ରଥ ଟାଣିଥିବା ଭକ୍ତ ତା’ପରଦିନ କେନ୍ଦ୍ରାପଡାର ତୁଳସୀକ୍ଷେତ୍ରରେ ବଳଦେବଜୀୟୁଙ୍କ ରଥ ନଟାଣିଲେ ପୂଣ୍ୟ ଅଧୁରା ରହିଥାଏ। ତେଣୁ ବଳଦେବଜୀୟୁ ତାଙ୍କର ଭକ୍ତମାନଙ୍କ ପାଇଁ ଦ୍ଵିତୀୟ ଦିନ ରଥଯାତ୍ରାକୁ ରଖିଥାନ୍ତି।

ବହୁ ପ୍ରଚୀନ ଏହି ବଳଦେବଜୀୟଙ୍କ ରଥଯାତ୍ରାକୁ ଦେଖିବାକୁ ସାରା ରାଜ୍ୟରୁ ଭକ୍ତମାନେ ଆସିଥାନ୍ତି। ବର୍ଷର ବାରମାସ ମହାପ୍ରଭୁଙ୍କ ଦର୍ଶନ ପାଇଁ ଭକ୍ତମାନେ ମନ୍ଦିରକୁ ଯାଇଥିବା ବେଳେ ମହାପ୍ରଭୁ ଏହି ଘୋଷ ଯାତ୍ରାରେ ମନ୍ଦିରରୁ ବାହାରି ଆସିଥାନ୍ତି ଭକ୍ତଙ୍କ ଦର୍ଶନ ପାଇଁ।

ଆଜି ମହାପ୍ରଭୁଙ୍କ ବ୍ରହ୍ମ ତାଳଧ୍ଵଜ ରଥ ରଥଦାଣ୍ଡର ରଘୁନାଥଜୀୟୁଙ୍କ ମଠ ନିକଟରେ ଅଟକି ରହିଛି। ଆସନ୍ତା କାଲି ପୁଣି ଦ୍ଵିତୀୟ ଗୁଣ୍ଡିଚା ଯାତ୍ରା ଅନୁଷ୍ଠିତ ହେବ।

ଦିନ ୨ଟା ଠାରୁ ରଥ ଟଣା ହେବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରା, କେନ୍ଦ୍ରାପଡା ଜିଲ୍ଲାପାଳ ସମର୍ଥ ବର୍ମା, ଏସ୍ ପି ନିତିଶେଖର ପ୍ରମୁଖ ଏହି ଯାତ୍ରାରେ ସାମିଲ ହୋଇ ପରିଚାଳନା କରିଥିଲେ।

Comment