ଓଡିଶାଲାଇଭ୍ ବ୍ୟୁରୋ

ଏକ ଅଧ୍ୟୟନ ଅନୁସାରେ ୨୦୩୦ ସୁଦ୍ଧା ଭାରତରେ ପ୍ରାୟ ୯୮ ନିୟୁତ ଅର୍ଥାତ୍ ୯.୮ କୋଟି ଭାରତୀୟ ମଧୁମେହ ଦ୍ୱାରା ଆକ୍ରାନ୍ତ ହେବାର ଆଶଙ୍କା ରହିଛି। ମଧୁମେହକୁ ନିୟନ୍ତ୍ରିତ କରିବା ଲାଗି ବହୁତ ଲୋକ ଔଷଧ, ଇଞ୍ଜେକ୍ସନ୍ ନେଉଛନ୍ତି, ହେଲେ ଡାଏଟ୍ ଉପରେ ଧ୍ୟାନ ଦେଉନାହାନ୍ତି। ପ୍ରକୃତରେ କିନ୍ତୁ ଡାଏଟ୍ ଉପରେ ଧ୍ୟାନ ଦେଲେ ଅଧିକ ସୁଫଳ ମିଳିଥାଏ। ଏପରିସ୍ଥଳେ ମଧୁମେହ ରୋଗୀଙ୍କ ପାଇଁ କିଛି ରୋଷେଇ ଟିପ୍ସ ଜାଣିରଖନ୍ତୁ।

-ରୋଷେଇରେ ଘିଅ ଏବଂ ତେଲକୁ ଅଧିକ ବ୍ୟବହାର କରନ୍ତୁ ନାହିଁ। ଡାଇଟିସିଆନ୍‌ମାନଙ୍କ ଅନୁସାରେ ସାରା ଦିନରେ ୪ ଚାମଚରୁ ଅଧିକ ତେଲ ବା ଘିଅ ମଧୁମେହ ରୋଗୀଙ୍କ ପାଇଁ କ୍ଷତିକାରକ। ତେଣୁ ଖାଦ୍ୟକୁ ସବୁବେଳେ ନନଷ୍ଟିକ୍ ବାସନକୁସନରେ ବନାନ୍ତୁ; ଯେପରିକି କମ୍ ତେଲରେ ତାହା ପ୍ରସ୍ତୁତ ହୋଇପାରିବ। ସେହିପରି ରୋଷେଇରେ ଯଥାସମ୍ଭବ ଅଲିଭ ଅଏଲ୍ କିମ୍ବା ଅଳ୍ପ ଚିକିଣିଆ ତେଲ ବ୍ୟବହାର କରନ୍ତୁ।

-କାର୍ବୋହାଇଡ୍ରେଟ୍ ଜାତୀୟ ଖାଦ୍ୟକୁ କମ୍ କରନ୍ତୁ। ଅର୍ଥାତ୍ ଭାତ, ରୁଟି ବଦଳରେ ଦଲିଆ, ଉପମା ପ୍ରଭୃତି ପ୍ରସ୍ତୁତ କରନ୍ତୁ। ଇଚ୍ଛା ଥିଲେ ସବୁ ପରିବା ପକାଇ ଖିଚୁଡ଼ି ପ୍ରସ୍ତୁତ କରିପାରିବେ। ସେଥିରେ ଅଳ୍ପ ଚାଉଳ ସହିତ ଡାଲି ଓ ପନିପରିବା ରହୁଥିବାରୁ ଶ୍ୱେତସାର କମ୍ ମିଳିବ।

-ଅନେକ ଲୋକ ରୋଷେଇ କରିବା ସମୟରେ ଚିନିର ପ୍ରୟୋଗ କରିଥା’ନ୍ତି। ବିଶେଷ କରି ବଙ୍ଗାଳିମାନଙ୍କର ରୋଷେଇରେ ଚିନିର ପ୍ରୟୋଗ ଅଧିକ ଦେଖିବାକୁ ମିଳିଥାଏ। ସେମାନେ ଡାଲିଠାରୁ ଆରମ୍ଭ କରି ତରକାରୀ ସବୁଥିଲେ ଚିନି ଦିଅନ୍ତି। ତା’କୁ ଯଥାସମ୍ଭବ ଏଡ଼ାଇ ଯାଆନ୍ତୁ। ଖାଇବା ପରେ ମିଠା ଖାଇବାର ଅଭ୍ୟାସକୁ ପରିତ୍ୟାଗ କରନ୍ତୁ।

-ରୋଷେଇରେ ସବୁଜ ପନିପରିବାକୁ ସାମିଲ କରନ୍ତୁ। ଫୁଲକୋବି, ବନ୍ଧାକୋବି, ସିମଲା ଲଙ୍କା ଇତ୍ୟାଦିକୁ ନିୟମିତ ଭାବେ ରୋଷେଇ କରନ୍ତୁ। ଫୁଲକୋବିକୁ ତରକାରୀ କରିବା ସମୟରେ ଗରମ ପାଣିରେ ଟିକେ ଫୁଟାଇ ଦେଲେ ଆଉ ଭାଜିବାକୁ ପଡ଼ିବ ନାହିଁ ଏବଂ ତେଲ କମ୍ ଖର୍ଚ୍ଚ ହେବ।

-ସେହିପରି ଲୋ ଫ୍ୟାଟ୍ ବାଲା କ୍ଷୀର, ଦହିକୁ ଖାଦ୍ୟ ତାଲିକାରେ ରଖନ୍ତୁ। ବଜାରରେ ଏହା ସହଜରେ ଉପଲବ୍ଧ। ଘରେ ଏସବୁ ପ୍ରସ୍ତୁତ କରୁଥିଲେ କ୍ଷୀର ଉପରୁ ସର କାଢ଼ି ନିଅନ୍ତୁ।

-ମଧୁମେହ ରୋଗୀଙ୍କୁ ଖୁବ୍ ଶୀଘ୍ର ଭୋକ ଲାଗେ। ତେଣୁ ସ୍ୱାସ୍ଥ୍ୟକର ସ୍ନାକ୍ସ ଯେପରିକି ଚଣା ଭଜା,ଗଜା ମୁଗ ଇତ୍ୟାଦି ପାଖରେ ରଖନ୍ତୁ। ଗଜା ମୁଗ ଗ୍ୟାସ ହେଉଥିଲେ ତାକୁ ସିଝାଇ ଖାଇପାରିବେ।

-ସକାଳ ଜଳଖିଆରେ ରୁଟି, ବ୍ରେଡ୍ ପରିବର୍ତ୍ତେ ଦଲିଆ ଏବଂ ଓଟ୍ସ ପ୍ରଭୃତିକୁ ସାମିଲ କରନ୍ତୁ। ଏହି ସବୁ ଲୋ ଫ୍ୟାଟ୍ ଖାଦ୍ୟ ମଧୁମେହକୁ ନିୟନ୍ତ୍ରଣରେ ରଖିବ।

-ଗହମ ଅଟା ବଦଳରେ ମଲ୍ଟିଗ୍ରେନ୍ ଅଟା କିମ୍ବା ମାଣ୍ଡିଆ ଅଟା ବ୍ୟବହାର କରନ୍ତୁ।

ବର୍ଷା ଦିନେ ରୋଗରୁ ରକ୍ଷା ପାଇବାକୁ ଖାଆନ୍ତୁ ଏହି ଖାଦ୍ୟ।

ବର୍ଷା ଦିନ ସମସ୍ତଙ୍କୁ ଭଲ ଲାଗେ। ହେଲେ ଏହି ସମୟରେ ଶରୀରର ରୋଗ ପ୍ରତିରୋଧକ ଶକ୍ତି କମିଯାଉଥିବାରୁ ଅଧିକ ସ୍ୱାସ୍ଥ୍ୟ ସମସ୍ୟା ବି ଦେଖାଦିଏ। ଏପରିସ୍ଥଳେ ବର୍ଷାଦିନରେ ରୋଗରୁ ରକ୍ଷା ପାଇବାକୁ କେଉଁ ଖାଦ୍ୟ ଖାଇବେ ଜାଣନ୍ତୁ।

-ବର୍ଷାଦିନେ ବାୟୁମଣ୍ଡଳର ଆର୍ଦ୍ରତା ଓ ଅପରିଷ୍କାର ପରିବେଶ ଯୋଗୁଁ ଡେଙ୍ଗୁ, ମ୍ୟାଲେରିଆ, ଝାଡ଼ାବାନ୍ତି, ଟାଇଫଏଡ୍ ପରି ରୋଗ ଅଧିକ ହୋଇଥାଏ। ଏଥିରୁ ରକ୍ଷା ପାଇବା ଲାଗି ଯଥାସମ୍ଭବ ଗରମ ଖାଦ୍ୟ ଖାଆନ୍ତୁ। ୫-୬ ଘଣ୍ଟା ପ୍ରସ୍ତୁତ ହୋଇଥିବା ଖାଦ୍ୟ ମଧ୍ୟ ଏହି ସମୟରେ ସଂକ୍ରମଣ ସୃଷ୍ଟି କରିପାରେ।

-ବର୍ଷାଦିନେ କଲରା, ନିମ, ହଳଦୀ ପାଉଡ଼ର, ମେଥିଦାନା ପ୍ରଭୃତି ପିତା ଲାଗୁଥିବା ଜିନିଷ ନିଶ୍ଚିତ ଭାବେ ଖାଆନ୍ତୁ। ଏହା ଆପଣଙ୍କୁ ସଂକ୍ରମଣରୁ ରକ୍ଷା କରିବ।

-ଏହି ସମୟରେ ଅନେକ ପନିପରିବାରେ ବ୍ୟାକ୍ଟେରିଆ ସୃଷ୍ଟି ହୋଇଥାଏ। ତେଣୁ କଞ୍ଚା ପରିବାର ସାଲାଡ୍ ଅପେକ୍ଷା ପରିବାକୁ ଉଷୁମ ପାଣିରେ ବୁଡ଼ାଇ ତାର ସାଲାଡ୍ ପ୍ରସ୍ତୁତ କରନ୍ତୁ।

-ବର୍ଷା ଦିନେ ଅନେକ ଲୋକଙ୍କର ଗଣ୍ଠି ଦରଜ, ପେଟରେ ଗଣ୍ଡଗୋଳ ପରି ସମସ୍ୟା ଦେଖାଯାଏ । ଏଥିରୁ ରକ୍ଷା ପାଇବା ପାଇଁ ହେଲେ ସବୁଦିନ ଖାଲି ପେଟରେ ତୁଳସୀ ପତ୍ର ଏବଂ ଡାଲଚିନି ଗୁଣ୍ଡ ଖାଆନ୍ତୁ।

-ଥଣ୍ଡା ଏଡ଼ାଇବା ପାଇଁ ଔଷଧ ପରିବର୍ତ୍ତେ ଆୟୁର୍ବେଦିକ କାଢ଼ା ଏବଂ ସୁପ୍ ପିଅନ୍ତୁ। ଏହା କେବଳ ଥଣ୍ଡା କମାଇବ ନାହିଁ, ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ବି ବୃଦ୍ଧି କରିବ।

Comment