ଓଡ଼ିଶାଲାଇଭ୍ ବ୍ୟୁରୋ

ବାହାରିନ ଓଡ଼ିଆ ସମାଜ ପକ୍ଷରୁ ଆଡ଼ମ୍ବରପୂର୍ଣ୍ଣ ଭାବେ ରଥଯାତ୍ରା ପାଳିତ ହୋଇଛି। ମାନାମାସ୍ଥିତ ଶ୍ରୀ କୃଷ୍ଣ ମନ୍ଦିର ପରିସରରେ ଏହି ଯାତ୍ରା ପାଳନ କରାଯାଇଥିଲା। ପାରମ୍ପରିକ ରୀତିନୀତିରେ ତିନି ଠାକୁରଙ୍କର ପୂଜାର୍ଚ୍ଚନା ଶେଷ ହେବା ପରେ ଛେରା ପହଁରା ହୋଇଥିଲା। ପରେ ଭକ୍ତମାନେ ରଥ ଟାଣିଥିଲେ।

ରଥଯାତ୍ରା ଅବସରରେ ବାହାରିନ ଓଡ଼ିଆ ସମାଜ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ବିଶିଷ୍ଟ ଓଡ଼ିଶୀ ନୃତ୍ୟ ଗୁରୁ ଗଜେନ୍ଦ୍ର ପଣ୍ଡା ଏବଂ ସାଥୀ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ।

ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ପ୍ରବଳ ଜନସମାଗମ ହୋଇଥିଲା। ଦର୍ଶନ ପରେ ଭକ୍ତମାନେ ମହାପ୍ରସାଦ ସେବନ କରିଥିବା ବାହାରିନ ଓଡ଼ିଆ ସମାଜର ପ୍ରତିଷ୍ଠାତା ଅରୁଣ କୁମାର ପ୍ରହରାଜ ସୂଚନା ଦେଇଛନ୍ତି।

ଅରୁଣ କୁମାର ପ୍ରହରାଜ କହିଛନ୍ତି, ‘‘ଗତ ୨୨ ବର୍ଷ ହେଲା ବାହାରିନରେ ଓଡ଼ିଆ ସମାଜ ରଥଯାତ୍ରା ପାଳନ କରି  ଆସୁଛି। ଚଳିତ ବର୍ଷ ଭକ୍ତି ଭାବମୟ ପରିବେଶରେ ରଥଯାତ୍ରା ଅନୁଷ୍ଠିତ ହୋଇଥିଲା। ବାହାରିନ ଇସ୍କନ ମନ୍ଦିର ସହ ମିଶି ଓଡ଼ିଆ ସମାଜ ରଥଯାତ୍ରା ପାଳନ କରିଥିଲା। ଏଥିରେ ହଜାର ହଜାର ଭକ୍ତ ଯୋଡ଼ି ହୋଇଥିଲେ।’’

ନେପାଳ ରାଷ୍ଟ୍ରଦୂତ ପଦମ ଶୂନଦାସ ଏବଂ ତାଙ୍କ ସ୍ତ୍ରୀ ଏହି ରଥଯାତ୍ରାରେ ସାମିଲ ହୋଇଥିଲେ।

Comment