ଓଡ଼ିଶାଲାଇଭ୍ ବ୍ୟୁରୋ

  • ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଦ୍ୱାରା ପ୍ରତିବର୍ଷ ଆୟୋଜିତ ହେଉଛି ଏହି ଭକ୍ତିସଙ୍ଗୀତ କାର୍ଯ୍ୟକ୍ରମ
  • ଗୁହାରିରେ ଶ୍ରୀଜଗନ୍ନାଥଙ୍କ ଭଜନ ଓ ଜଣାଣ ପରିବେଷଣ କରିବେ ଓଡ଼ିଶାର ଲୋକପ୍ରିୟ କଣ୍ଠଶିଳ୍ପୀ
  • ଓଡ଼ିଶାଲାଇଭ୍ ୟୁ ଟ୍ୟୁବ୍ ଚ୍ୟାନେଲ ମାଧ୍ୟମରେ ତିନି ଦିନ କାର୍ଯ୍ୟକ୍ରମର ସିଧା ପ୍ରସାରଣ

Rath Yatra 2019

ପବିତ୍ର ରଥଯାତ୍ରା ଅବସରରେ ଭୁବନେଶ୍ୱରସ୍ଥିତ ରବୀନ୍ଦ୍ର ମଣ୍ଡପରେ ଏକ ତିନିଦିନିଆ ଶ୍ରୀଜଗନ୍ନାଥ ଭକ୍ତିସଙ୍ଗୀତ ସମାରୋହର ଆୟୋଜନ କରାଯାଇଛି। ଜୁଲାଇ ୮ରୁ ୧୦ ତାରିଖ ପର୍ଯ୍ୟନ୍ତ ପ୍ରତିଦିନ ସନ୍ଧ୍ୟା ସାଢ଼େ ୬ଟାରୁ ଏହି ସଙ୍ଗୀତ କାର୍ଯ୍ୟକ୍ରମ ଚାଲିବ। ଏଥିରେ ଓଡ଼ିଶାର ପରିଚିତ ଓ ପ୍ରତିଷ୍ଠିତ ଗାୟକ ତଥା ସଙ୍ଗୀତ ଗୁରୁମାନେ ଶ୍ରୀଜଗନ୍ନାଥଙ୍କ ବିଭିନ୍ନ ଭଜନ ଓ ଜଣାଣ ପରିବେଷଣ କରିବେ।

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନରେ ଥିବା ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ପକ୍ଷରୁ ଏହି ଆଧ୍ୟାତ୍ମିକ ସଙ୍ଗୀତ କାର୍ଯ୍ୟକ୍ରମ ଗତ କିଛି ବର୍ଷ ଧରି ଆୟୋଜିତ ହୋଇ ଆସୁଛି। ଶ୍ରୀଗୁଣ୍ଡିଚାରୁ ବାହୁଡ଼ା ମଧ୍ୟରେ, ରଥଯାତ୍ରାର ପବିତ୍ର ଅବସରରେ ଏହାର ଆୟୋଜନ କରାଯାଉଛି।

ଆସନ୍ତୁ ଜାଣିବା ଚଳିତ ବର୍ଷ କେଉଁ ଦିନ କେଉଁ କଣ୍ଠଶିଳ୍ପୀ ‘ଗୁହାରି’ କାର୍ଯ୍ୟକ୍ରମରେ ସଙ୍ଗୀତ ପରିବେଷଣ କରିବେ।

ଜୁଲାଇ ତାରିଖ, ସୋମବାର: ଲକ୍ଷ୍ମୀକାନ୍ତ ପାଲିତ୍, ବିଷ୍ଣୁମୋହନ କବି, ଗୀତା ଦାସ, ସତ୍ୟବ୍ରତ କାଠ, ଯଶସ୍ୱିନୀ ନାୟକ, ଦୁଃଖୀଶ୍ୟାମ ତ୍ରିପାଠୀ, ଶାନ୍ତିଲତା ବାରିକ (ଛୋଟରାୟ), ଡକ୍ଟର ମିତାଲୀ ଚିନ୍ନାରା, ବିବେକ ରାଉତ ଏବଂ ଝୁମକି ରଥ।

ଜୁଲାଇ ତାରିଖ, ମଙ୍ଗଳବାର: ହରପ୍ରିୟା ସ୍ୱାଇଁ, ବିଜୟ ମିଶ୍ର, ଅନ୍ତରା ଚକ୍ରବର୍ତ୍ତୀ, ଗୋପାଳକୃଷ୍ଣ ସାହୁ, ଶୈଳଭାମା ମହାପାତ୍ର, ରଘୁନାଥ ପାତ୍ର, ସୁର ସରିତା ରାଉତ, ମୋତିଲାଲ୍ ଦୋରା, ସୁଭଦ୍ରା ଶୁଭଦର୍ଶିନୀ ଏବଂ ସୁକାନ୍ତ କୁମାର କୁଣ୍ଡୁ।

ଜୁଲାଇ ୧୦ ତାରିଖ, ବୁଧବାର:  ମହାପ୍ରସାଦ କର, ଲତା ଘୋଷ, ନାରାୟଣ ସାହୁ, ସ୍ୱାଗତିକା ପାଣିଗ୍ରାହୀ, ପଙ୍କଜ ଜାଲ୍, ଅର୍ଚ୍ଚନା ଜେନା, ଦେବାଶିଷ୍ ମହାପାତ୍ର, ମୋନାଲିସା ରାଉତ, ଭିକାରି ମହମ୍ମଦ ଏବଂ ଇରା ମହାନ୍ତି।

‘‘ଓଡ଼ିଶାର ସଙ୍ଗୀତ ପରମ୍ପରା ଭିତରେ ଶ୍ରୀଜଗନ୍ନାଥଙ୍କ ଭଜନ ଓ ଜଣାଣ ବେଶ୍ ଗୁରୁତ୍ୱ ବହନ କରେ। ତେଣୁ ଭକ୍ତି ସଙ୍ଗୀତର ଏହି ଅପୂର୍ବ ଧାରା ଭିତରେ ଶ୍ରୀଜଗନ୍ନାଥଙ୍କ ଉପରେ ଆଧାରିତ ପ୍ରାଚୀନ ରଚନା ହେଉ କିମ୍ବା ଆଧୁନିକ ଗୀତି-ସାହିତ୍ୟ ଶ୍ରୋତାମାନଙ୍କୁ ସବୁବେଳେ ଆକର୍ଷିତ କରିଆସିଛି। ବିଶେଷକରି ପବିତ୍ର ରଥଯାତ୍ରା ସମୟରେ ସେହି ଭକ୍ତି ସଙ୍ଗୀତ ପରମ୍ପରାକୁ ତାଜା କରିବା ପାଇଁ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ପକ୍ଷରୁ ଗତ କିଛି ବର୍ଷ ଧରି ଏହି ଉଦ୍ୟମ କରାଯାଉଛି’’, ଓଡ଼ିଶାଲାଇଭ୍‌କୁ କହିଛନ୍ତି ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରର ମୁଖ୍ୟ ନିର୍ବାହୀ ତଥା ଜଣାଶୁଣା ଓଡ଼ିଶୀ ସଙ୍ଗୀତ ଶିଳ୍ପୀ ପ୍ରଫେସର ସଙ୍ଗୀତା ଗୋସାଇଁ।

ଏହି ତିନିଦିନିଆ କାର୍ଯ୍ୟକ୍ରମର ବିଭିନ୍ନ ଦିନରେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ଏବଂ ପର୍ଯ୍ୟଟନ ବିଭାଗ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ, ନିର୍ଦ୍ଦେଶକ ବିଜୟ କୁମାର ନାୟକ, ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର କୁଳପତି ଡକ୍ଟର କମଳାକାନ୍ତ ମିଶ୍ର, ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଅଧ୍ୟକ୍ଷ ଅମରେନ୍ଦ୍ର ପଟ୍ଟନାୟକ ଏବଂ ସଂସ୍କୃତି ବିଶେଷଜ୍ଞ ଡକ୍ଟର ସୁବାସ ପାଣି ପ୍ରମୁଖ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

ଅଗ୍ରଣୀ ଡିଜିଟାଲ ମିଡିଆ ଓଡ଼ିଶାଲାଇଭ୍‌ର ୟୁଟ୍ୟୁବ୍ ଚ୍ୟାନେଲ୍‌ରେ ଏହି ତିନିଦିନିଆ ଭକ୍ତି ସଙ୍ଗୀତ କାର୍ଯ୍ୟକ୍ରମର ସିଧା ପ୍ରସାରଣ କରାଯାଉଛି। ଫଳରେ ଜଗନ୍ନାଥ ସଂସ୍କୃତିର ଏହି ବିଶେଷ ଦିଗ ଦେଶ ବିଦେଶରେ ଥିବା ଦର୍ଶକ ଓ ଶ୍ରୋତାଙ୍କ ପାଖରେ ପହଞ୍ଚିପାରିବ ବୋଲି ଓଡ଼ିଶାଲାଇଭ୍‌ର ସମ୍ପାଦକ ଓ ସିଇଓ ନୀଳାମ୍ବର ରଥ କହିଛନ୍ତି।

Comment