ଓଡ଼ିଶାଲାଇଭ୍ ବ୍ୟୁରୋ

ବାହୁଡ଼ା ଯାତ୍ରାର ସବୁଠାରୁ ଅନନ୍ୟ ପରମ୍ପରା ହେଉଛି ଲକ୍ଷ୍ମୀ ନାରାୟଣ ଭେଟ। ଏହି ଭେଟ ସ୍ୱୟଂ ଗଜପତି ମହାରାଜା ଦିବ୍ୟ ସିଂହ ଦେବ କରାଇଥା’ନ୍ତି। ବଳଭଦ୍ରଙ୍କ ତାଳଧ୍ୱଜ ଏବଂ ମା’ ସୁଭଦ୍ରାଙ୍କ ଦେବଦଳନ ରଥ ସିଂହଦ୍ୱାର ସମ୍ମୁଖରେ ପହଞ୍ଚିବା ପରେ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ମରିଚିକୋଟ ନିକଟସ୍ଥ ଶ୍ରୀନଅର ସମ୍ମୁଖରେ ଅଟକି ରହିବ।

ଏପଟେ ମହାପ୍ରଭୁ ଜଗନ୍ନାଥଙ୍କୁ ଭେଟିବା ପାଇଁ ମହାଲକ୍ଷ୍ମୀ ଶ୍ରୀମନ୍ଦିରରୁ ପାଲିଙ୍କିରେ ଆସିବେ। ଏହି ସମୟରେ ଶ୍ରୀମନ୍ଦିରରେ ମହାଜନ ସେବକମାନେ ମା’ ଲକ୍ଷ୍ମୀ ଠାକୁରାଣୀଙ୍କୁ ପାଟ୍ଟବସ୍ତ୍ର, ଫୁଲମାଳ, ଅଳଙ୍କାରରେ ସଜ୍ଜିତ କରି ସାତପାହାଚ ପାଲିଙ୍କିରେ ବିଜେ କରାଇବେ।

ଚାହାଣୀ ମଣ୍ଡପରେ ଲକ୍ଷ୍ମୀ ବିଜେ ହୋଇବା ପରେ ଉକ୍ତ ପାଲିଙ୍କି ନନ୍ଦିଘୋଷ ରଥରେ ବିରାଜମାନ କରିଥିବା ଜଗନ୍ନାଥଙ୍କ ରଥ ନିକଟରେ ପହଞ୍ଚନ୍ତି। ପରମ୍ପରା ଅନୁଯାୟୀ ସେହି ସମୟରେ ବଳଭଦ୍ରଙ୍କ ରଥ ସମ୍ମୁଖରେ ରଥ ଘେର ପକାଯାଇଥାଏ। ଶ୍ରୀନଅର ସିଂହଦ୍ଵାରରେ ଗଜପତି ମହାରାଜା ଉପସ୍ଥିତ ହୋଇଥାନ୍ତି।

ଗଜପତି ଦହିପଟି ମଣୋହି ପୂଜା କରିବା ପରେ ନିଜ ହାତରେ ମା’ ଲକ୍ଷ୍ମୀଙ୍କୁ ଧରି ଶ୍ରୀଜଗନ୍ନାଥ ସମ୍ମୁଖରେ ଦର୍ଶନ କରାଇ ରଥ ଚାରିପଟେ ବୁଲିବେ।

ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଲକ୍ଷ୍ମୀ ଠାକୁରାଣୀ ଶ୍ରୀମନ୍ଦିରକୁ ବାହୁଡା ବିଜେ କରିବା ସଙ୍ଗେ ସଙ୍ଗେ ଶ୍ରୀନଅରଠାରୁ ନନ୍ଦିଘୋଷ ଟଣା ଯାଇ ସିଂହଦ୍ଵାରଠାରେ ରଖାଯାଇଥାଏ। ଏହି ନୀତିରେ ଭିତରଚ୍ଛ, ପତି ମହାପାତ୍ର, ଗରାବଡୁ, ବିମାନବଡୁ, ମହାଜନ, ବଜନ୍ତରୀ ପ୍ରମୁଖ ସେବକମାନେ ଉପସ୍ଥିତ ରହିଥାନ୍ତି।

Comment