ଓଡ଼ିଶାଲାଇଭ୍ ବ୍ୟୁରୋ
ଉପ-ନିର୍ବାଚନ ପାଇଁ ପାଟକୁରା ଏବେ ଉଠୁଛି ପଡୁଛି। ବିଜେଡି, ବିଜେପି ଏବଂ କଂଗ୍ରେସ ନେତାମାନେ ପାଟକୁରାରେ ଡେରା ପକାଇ ପ୍ରଚାରକୁ ସରଗରମ କରିଛନ୍ତି। ତେବେ ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲଙ୍କ ପାଇଁ ପ୍ରଚାର କରିବାକୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆସନ୍ତା ୧୭ ତାରିଖରୁ ପାଟକୁରା ଯିବେ।
୧୭ ଓ ୧୮ ତାରିଖ ଦୁଇଦିନ ଧରି ନବୀନ ଡେରାବିଶ, ଗରଦପୁର ଏବଂ ମାର୍ଶାଘାଇ ବ୍ଲକରେ ପ୍ରଚାର କରିବେ। ତେବେ ଏହି ପ୍ରଚାର ବେଳେ ନବୀନ କୌଣସି ସାଧାରଣ ସଭାରେ ଯୋଗ ଦେବେ ନାହିଁ। କେବଳ ରୋଡ ସୋ’ କରିବାର କାର୍ଯ୍ୟକ୍ରମ ରହିଛି।
ପାଟକୁରାରେ ଜୁଲାଇ ୨୦ରେ ହେବ ନିର୍ବାଚନ। ନିର୍ବାଚନର ଦୁଇ ଦିନ ପୂର୍ବରୁ ନବୀନ ପ୍ରଚାର ମଇଦାନକୁ ଓହ୍ଲାଇବେ। ନବୀନଙ୍କ ପାଇଁ ନିର୍ବାଚନ ମଇଧାନ ସରଗରମ ରହିବ।
ପାଟକୁରା ନିର୍ବାଚନ ମଇଦାନରେ ତିନି ଦଳର ପ୍ରାର୍ଥୀଙ୍କ ଭିତରେ କଡ଼ା ଟକ୍କର ହେବ। ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲ, ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ର ଏବଂ କଂଗ୍ରେସ ପ୍ରାର୍ଥୀ ଜୟନ୍ତ ମହାନ୍ତିଙ୍କ ଭିତରେ କଡ଼ା ଟକ୍କର ଚାଲିଛି।

















