ଓଡ଼ିଶାଲାଇଭ୍ ବ୍ୟୁରୋ

(ଫଟୋ – ବଦ୍ରିଶନାରାୟଣ ପତି)

ସୁନାବେଶ ପାଇଁ ବଡ଼ଦାଣ୍ଡ ଜନସମୁଦ୍ର।

ଜନ୍ମବେଦୀରେ ଲୀଳାଖେଳା ସାରି ଶୁକ୍ରବାର ଦିନ ଶ୍ରୀମନ୍ଦିର ଅଭିମୁଖେ ବାହୁଡ଼ିଥିଲେ ମହାବାହୁ। ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ତିନି ରଥ ଉପରେ ବିରାଜମାନ କରିଛନ୍ତି ଶ୍ରୀଜୀଉ। ଆଜି ଶ୍ରୀଜୀଉ ରାଜାରାଜେଶ୍ୱରୀ ବେଶ ବା ସୁନାବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଉଛନ୍ତି।

ମହାପ୍ରଭୁଙ୍କ ଏହି ଦୁର୍ଲ୍ଲଭ ବେଶ ଦେଖିବା ପାଇଁ ପୁରୀରେ ପ୍ରାୟ ୧୦ ଲକ୍ଷରୁ ଅଧିକ ଲୋକଙ୍କ ଭିଡ଼ ଲାଗିଛି। ଭକ୍ତମାନେ ରଥାରୂଢ଼ ମହାପ୍ରଭୁଙ୍କ ସୁନାବେଶ ଦର୍ଶନ କରୁଛନ୍ତି। ଏଥିପାଇଁ ପୁରୀରେ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଶୃଙ୍ଖଳିତ ଦର୍ଶନ ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି କରାଯାଇଛି।

ଭକ୍ତମାନେ ନନ୍ଦିଘୋଷ ରଥ ଦେଇ ପ୍ରବେଶ କରୁଥିବା ବେଳେ ବଳଭଦ୍ରଙ୍କ ତାଳଧ୍ୱଜ ରଥ ପଟେ ପ୍ରସ୍ଥାନ କରୁଛନ୍ତି।

ମସ୍ତକରେ ସୁବର୍ଣ୍ଣ କିରୀଟ, ଅଣ୍ଟାରେ ସୁନାପଟି, ଓଡ଼ିଆଣି, କାନରେ କୁଣ୍ଡଳ, ଆଖି ପତା ଉପରେ ଚନ୍ଦ୍ର ସୂର୍ଯ୍ୟ, ଗଳାରେ ଭଳିକି ଭଳି ମାଳି ପକାଇ ଭକ୍ତମାନଙ୍କୁ ଦର୍ଶନ ଦେଉଛନ୍ତି ମହାବାହୁ। ଭକ୍ତମାନେ ମହାପ୍ରଭୁଙ୍କ ଏହି ଅପୂର୍ବ ଦୃଶ୍ୟ ଦେଖି ବିମୋହିତ ହେଉଛନ୍ତି।

ଆଜି ମଧ୍ୟାହ୍ନ ଧୂପ ଓ ମଇଲମ ପରେ ଦିନ ୩ଟାରୁ ଆରମ୍ଭ ହୋଇଥିଲା ସୁନାବେଶ ପ୍ରସ୍ତୁତି। ସେବାୟତମାନେ ଶ୍ରୀମନ୍ଦିର ରତ୍ନଭଣ୍ଡାରରୁ ସୁନା ଅଳଙ୍କାର ରଥ ଉପରକୁ ଆଣିଥିଲେ। ପାଳିଆ ପୁଷପାଳକ, ଦଇତାପତି, ଭିତରଛ, ତଳଛ ସେବାୟତମାନେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ସୁନା ଅଳଙ୍କାର ଲାଗି କରିଥିଲେ।

ସୁନାବେଶ ପାଇଁ ପୁରୀରେ ୫୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି। ପୁରୀର ପ୍ରବେଶ ପଥରେ ସଶସ୍ତ୍ର ପୋଲିସ ବାହିନୀଙ୍କୁ ମୁତୟନ କରାଯାଇଛି। ତିନି ରଥ ଚାରିପଟେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ରଥକୁ ସିସିଟିଭି ନଜରରେ ରଖାଯାଇଛି।

ଅପରାହ୍‌ଣ ୪ଟାରୁ ଆରମ୍ଭ ହୋଇଥିବା ସୁନାବେଶ ରାତି ୧୧ଟା ପର୍ଯ୍ୟନ୍ତ ଚାଲିବାର ଥିଲା। ହେଲେ ଭକ୍ତଙ୍କ ଭିଡ଼କୁ ଦେଖି ସୁନାବେଶର ଅବଧିକୁ ବଢ଼ାଇ ଦିଆଯାଇଛି।

Comment