ଓଡ଼ିଶାଲାଇଭ୍ ବ୍ୟୁରୋ

ଜଗତର ନାଥ ଶ୍ରୀଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ପରି ବାହୁଡ଼ାଯାତ୍ରାର ଆକର୍ଷଣ ମଧ୍ୟ ନିଆରା। ଏହି ଅବସରରେ ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାର ଶ୍ରୀହରିବଳଦେବ ଜୀଉଙ୍କ ରଥଯାତ୍ରା ପରି ଏହି ବାହୁଡ଼ାଯାତ୍ରାରେ କିଛିଟା ସ୍ୱତନ୍ତ୍ରତା ଦେଖିବାକୁ ମିଳିଥାଏ। ଦେଶର ବିଭିନ୍ନ କ୍ଷେତ୍ରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଏହି ନଅ ଦିନ ଯାତ୍ରା ପରି ବାରିପଦାର ଶ୍ରୀହରିବଳଦେବ ଜୀଉଙ୍କର ଯାତ୍ରା କିଛିଟା ନିଆରା ଢଙ୍ଗରେ ଏହି ଉତ୍ସବ ପାଳିତ ହୋଇଥାଏ।

ମୟୂରଭଞ୍ଜର ତତ୍କାଳୀନ ମହାରାଜା ବୈଦ୍ୟନାଥ ଭଞ୍ଜକ ସମୟରେ ଆରମ୍ଭ କରାଯାଇଥିବା ଏହି ପାରମ୍ପରିକ ଯାତ୍ରାକୁ ମଧ୍ୟ ତିନିଦିନ ବ୍ୟାପି ଚାଲିବାର କାର୍ଯ୍ୟକ୍ରମ ରଖାଯାଇଛି। ବାରିପଦାର ପରମ୍ପରା ମୁତାବକ ପ୍ରଥମ ଦିନରେ ଅର୍ଥାତ ଶୁକ୍ରବାର କେବଳ ଶ୍ରୀଜୀଉମାନଙ୍କୁ ପହଣ୍ଡି କରାଯାଇ ରଥାରୁଢ଼ କରାଯାଇଛି।

କଥାରେ ପରା ଅଛି- ରଥେତୁ ବାମନଂ ଦୃଷ୍ଟ୍ୱ ପୁନଃଜନ୍ମ ନ ବିଦ୍ୟତେ। ଅର୍ଥାତ ରଥାରୁଢ଼ ଅବସ୍ଥାରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କଲେ କୌଣସି ଜୀବ ଆଉ ପୁନଃଜନ୍ମ ଲାଭ କରିନଥାଏ। ରଥାରୁଢ଼ ଜୀଉମାନଙ୍କୁ ଦର୍ଶନ କରି ଜୀବନରେ ମୋକ୍ଷ ପ୍ରାପ୍ତି ଲାଭ କରିବା ପାଇଁ ପ୍ରବଳ ବର୍ଷା ସତ୍ଵେ ବାରିପଦାର ଗୁଣ୍ଡିଚା ମନ୍ଦିର ଛକ ଲୋକାରଣ୍ୟ ହୋଇପଡ଼ିଥିଲା।

ସେଥିପାଇଁ ଶୁକ୍ରବାର ଅପରାହ୍‌ଣ ୨ଟା ୩୦ ମିନିଟରେ ଶ୍ରୀଜୀଉମାନଙ୍କୁ ମୟୂରଭଞ୍ଜର ପାରମ୍ପରିକ ଆଦିବାସୀ ନୃତ୍ୟର ତାଳେ ତାଳେ ପହଣ୍ଡି କରାଯାଇଥିଲା। ଚତୁର୍ଦ୍ଧାମୂର୍ତ୍ତି ଏବେ ରଥାରୁଢ଼ ଅବସ୍ଥାରେ ରଥ ଉପରେ।

ଆଜିଠାରୁ ଦୁଇଦିନ ବ୍ୟାପି ରଥଟଣା କାର୍ଯ୍ୟକ୍ରମ ରହିଛି। ବାରିପଦାର ପରମ୍ପରା ମୁତାବକ ଆସିବା ସମୟରେ ସର୍ବପ୍ରଥମେ ବଡ଼ଭାଇ ବଳଭଦ୍ରଙ୍କ ତାଳଧ୍ଵଜ ରଥ ବାରିପଦାର ବଡ଼ଦାଣ୍ଡରେ ଗଡ଼ିଗଡ଼ି ଯାଇ ଗୁଣ୍ଡିଚା ମନ୍ଦିର ନିକଟରେ ପହଞ୍ଚିଥିଲା। ମାତ୍ର ବାହୁଡ଼ା ସମୟରେ ତା’ର ବ୍ୟତିକ୍ରମ ଦେଖିବାକୁ ମିଳିଥାଏ।

ବାହୁଡ଼ା ସମୟରେ ଆଗ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ବଡ଼ଦାଣ୍ଡରେ ଗଡ଼ିଥାଏ।। ଏହା ପରେ ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥକୁ କେବଳ ମହିଳାମାନେ ଟାଣି ଟାଣି ବାରିପଦା ଟାଉନଥାନା ପାଖରେ ରଖିବେ। ପୁଣି ପରଦିନ ଦେବୀ ସୁଭଦ୍ରାଙ୍କ ରଥ ଶ୍ରୀମନ୍ଦିର ନିକଟରେ ପହଞ୍ଚାଇବା ପରେ ବଡ଼ଭାଇ ବଳଭଦ୍ରଙ୍କ ଦେବଦଳନ ରଥ ବାରିପଦା ବଡ଼ଦାଣ୍ଡର ଶୋଭାମଣ୍ଡନ କରିଥାଏ।

ଏହି ମହାନ ପାରମ୍ପରିକ ଯାତ୍ରା ସହିତ ମିନାବଜାର ଏବଂ ରଙ୍ଗବେରଙ୍ଗ ମେଳା ଲୋକମାନଙ୍କୁ ବେଶ ଆକୃଷ୍ଟ କରିଥାଏ। ସେଥିପାଇଁ ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ପ୍ରତି ଯେତିକି ଧ୍ୟାନ ଦିଅ।ଯାଇଛି, ସହରର ପରିମଳ ବ୍ୟବସ୍ଥା ପ୍ରତି ମଧ୍ୟ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ତେବେ ଚଳିତ ବର୍ଷ ପ୍ରଥମ ଥର ଲାଗି ୟୁଟ୍ୟୁବ ଏବଂ ଫେସବୁକରେ ବାରିପଦା ରଥର ସିଧାପ୍ରସାରଣ କରାଯାଉଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ଆରମ୍ଭ କରାଯାଇଛି, ଯାହାଫଳରେ ଥିବା ଏହି ବ୍ୟବସ୍ଥା ରାଜ୍ୟ ତଥା ଦେଶ ବାହାରେ ସର୍ବୋପରି ବିଦେଶରେ ରହୁଥିବା ଭକ୍ତମାନେ ବି ସେମାନଙ୍କର ଏହି ପ୍ରିୟ କାର୍ଯ୍ୟକ୍ରମକୁ ଉପଭୋଗ କରିପାରିବେ।

Comment