ଓଡ଼ିଶାଲାଇଭ ବ୍ୟୁରୋ

ବିଶ୍ଵକପ ୨୦୧୯ର ଫାଇନାଲରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରି ଇଂଲଣ୍ଡ ବିଶ୍ଵ ବିଜେତା ହୋଇଛି। ରବିବାର ଲଡ୍ସରେ ହେଉଥିବା ଏହି ଫାଇନାଲ ମ୍ୟାଚ ଅତି ରୋମାଞ୍ଚକର ହୋଇଥିଲା। ୨୪୧ରନର ବିଜୟ ଲକ୍ଷ୍ୟକୁ ପିଛା କରି ଇଂଲଣ୍ଡ ଟିମ୍ ଶେଷ ଓଭରରେ ହିଁ ମ୍ୟାଚକୁ ଡ୍ର କରିଥିଲା। ଫଳରେ ସୁପରଓଭର ଖେଳ ହୋଇଥିଲା ତାହା ମଧ୍ୟ ଡ୍ର ହୋଇଥିଲା। ଶେଷରେ ଭାଗ୍ୟ ଇଂଲଣ୍ଡ ସାଥିରେ ରହିଥିଲା। ଅଧିକ ବାଉଣ୍ଡ୍ରି ମାରିଥିବାରୁ ଇଂଲଣ୍ଡ ବିଜୟୀ ହୋଇଥିଲା। ଏହି ମ୍ୟାଚରେ ଗପ୍ଟିଲଙ୍କ ଓଭର ଥ୍ରୋ ଓ ରନ ଆଉଟ ମ୍ୟାଚର ଦିଗ ବଦଳାଇ ଦେଇଥିଲା।

ଏତେ ସଂଘର୍ଷ ସତ୍ତ୍ଵେ ନ୍ୟୁଜିଲାଣ୍ଡ ପରାଜୟ ହୋଇଥିଲା। ମ୍ୟାଚରେ ନ୍ୟୁଜିଲାଣ୍ଡର କିଛି ଭୁଲ ଯୋଗୁଁ ବିଶ୍ଵକପ ହାତରୁ ଖସି ଯାଇଥିଲା। ମ୍ୟାଚକୁ ଦେଖିଲେ ଲାଗୁଥିଲା ନ୍ୟୁଜିଲାଣ୍ଡ ବାଜି ମାରିନେବ। ମାତ୍ର ଶେଷ ଓଭରରେ ସବୁ ଏପଟ ସେପଟ ହୋଇଯାଇଥିଲା। ୬ଟି ବଲରେ ବିଜୟ ପାଇଁ ୧୫ରନ ଆବଶ୍ୟକ ହେଉଥିବା ବେଳେ ଷ୍ଟୋକ୍ସ ପ୍ରଥମ ୨ଟି ବଲରେ ରନ ନେଇପାରିନଥିଲେ।

ତୃତୀୟ ବଲରେ ଷ୍ଟୋକ୍ସ ଛକା ମାରିବାରୁ ଦଳକୁ ୩ଟି ବଲରେ ୯ରନ ଆବଶ୍ୟକ ହେଉଥିଲା। ଯାହାକି ଅସମ୍ଭବ ମନହେଉଥିବା ବେଳେ ଚତୁର୍ଥ ବଲରେ ମାର୍ଗିନ ଗପ୍ଟିଲଙ୍କ ଓଭର ଥ୍ରୋ ଯାହାକି ଇଂଲଣ୍ଡକୁ ବିଜୟ ରାସ୍ତା ଦେଖାଇଥିଲା। ତାହା ମଧ୍ୟ ଇଂଲଣ୍ଡ ପାଇଁ କଷ୍ଟ ହୋଇଥିଲା। ଦଳକୁ ଶେଷ ଦୁଇଟି ବଲରୁ ୩ରନ ଆବଶ୍ୟକ ହେଉଥିବା ବେଳେ ଶେଷ ବଲରେ ମ୍ୟାଚ ଡ୍ର ହୋଇଥିଲା।

ପରେ ସୁପରଓଭର ଖେଳ ହୋଇଥିଲା ଯାହାକି ନ୍ୟୁଜିଲାଣ୍ଡ ପାଇଁ ବହୁତ ବଡ଼ ସୁଯୋଗ ଥିଲା ବିଶ୍ଵକପ ହାସଲ କରିବାକୁ। ଖେଳରେ ଇଂଲଣ୍ଡ ୬ଟି ବଲରୁ ମାତ୍ର ୧୫ରନ କରିଥିଲା। ନ୍ୟୁଜିଲାଣ୍ଡକୁ ୬ଟି ବଲରେ ୧୬ରନ ଦରକାର ହେଉଥିବା ବେଳେ ବ୍ୟାଟିଂ କରିବାକୁ ଆସିଥିଲେ ଜେମ୍ସ ନିସାନ ଓ ମାର୍ଟିନ ଗପ୍ଟିଲ। ଭୁଲକୁ ସୁଧାରିବାକୁ ଗପ୍ଟିଲଙ୍କ ପାଖରେ ଆଉ ଏକ ସୁଯୋଗ ଥିଲା ମାତ୍ର ଗପ୍ଟିଲ ସନ୍ତୋଷଜନକ ପ୍ରଦର୍ଶନ କରିନପାରି ରନ ଆଉଟ ହୋଇଯାଇଥିଲେ। ଫଳରେ ଦଳ ପୁଣି ମ୍ୟାଚ ଡ୍ର’ର ଶିକାର ହୋଇଥିଲା। ଏଥର ଭାଗ୍ୟ ଇଂଲଣ୍ଡ ସହ ରହିଥିଲା। ଅଧିକ ବାଉଣ୍ଡ୍ରି ମାରିଥିବାରୁ ଇଂଲଣ୍ଡ ବିଜୟୀ ହୋଇଥିଲା।

Comment