ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ଓଡ଼ିଶାକୁ ଝଟ୍‌କା। ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦାବିକୁ କେନ୍ଦ୍ରର ଅଗ୍ରାହ୍ୟ।

‘‘ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦେବାକୁ କେନ୍ଦ୍ର ସରକାରଙ୍କର କୌଣସି ପ୍ରସ୍ତାବ ନାହିଁ’’, ଏହା ହେଉଛି କେନ୍ଦ୍ର ଅର୍ଥ ଓ କର୍ପୋରେଟ୍‌ ବ୍ୟାପାର ମନ୍ତ୍ରୀ ଅନୁରଗ ଠାକୁରଙ୍କ ମନ୍ତବ୍ୟ।

ଲୋକସଭାରେ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝି ଏକ ପ୍ରଶ୍ନ ମାଧ୍ୟମରେ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦେବାକୁ କେନ୍ଦ୍ର ସରକାରଙ୍କର କ’ଣ ପଦକ୍ଷେପ ରହିଛି ବୋଲି ଜାଣିବାକୁ ଚାହିଁଥିଲେ। ହେଲେ ଏହାକୁ ରୋକଠୋକ୍‌ ମନା କରିଦେଇଥିଲେ କେନ୍ଦ୍ର ମନ୍ତ୍ରୀ।

କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର କହିଥିଲେ, ‘‘ସ୍ୱତନ୍ତ୍ର ଏବଂ ସାଧାରାଣ ରାଜ୍ୟ କ୍ୟାଟେଗୋରୀ ଭିତରେ ଚତୁର୍ଦ୍ଦଶ ଅର୍ଥ କମିଶନ କୌଣସି ତାରତମ୍ୟ ରଖି ନାହାନ୍ତି। ଚତୁର୍ଦ୍ଦଶ ଅର୍ଥ କମିଶନ ବ୍ୟବସ୍ଥାରେ ବିଭିନ୍ନ ରାଜ୍ୟକୁ ପ୍ରଚୁର ଅନୁଦାନ ଦିଆଯାଉଛି।’’

ଓଡ଼ିଶା ବାରମ୍ବାର ପ୍ରାକୃତିକ ଦୁର୍ବିପାକକୁ ସାମ୍ନା କରୁଛି। ଏଣୁ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦେବାକୁ ଦାବି କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଗତ ଜୁନ ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟି ଏହି ଦାବି ଜଣାଇଥିଲେ ନବୀନ। ଏହାସହ ନୀତି ଆୟୋଗ ବୈଠକରେ ମଧ୍ୟ ନବୀନ ଅନୁରୂପ ଦାବି ଉଠାଇଥିଲେ।

ବିଗତ ଦିନରେ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦେବାକୁ ନବୀନ କେନ୍ଦ୍ର ସରକାରଙ୍କୁ ବାରମ୍ବାର ଚିଠି ମଧ୍ୟ ଲେଖିଥିଲେ। ଉପା ସରକାର ଅମଳରେ ନବୀନ ଏହି ଦାବିକୁ ନେଇ ଦିଲ୍ଲୀରେ ସମାବେଶ କରିଥିଲେ। ରାଷ୍ଟ୍ରପତିଙ୍କୁ ସ୍ମାରକପତ୍ର ଦେଇଥିଲେ। ୨୦୧୪ ଏବଂ ୨୦୧୯ ନିର୍ବାଚନ ଇସ୍ତାହାରରେ ମଧ୍ୟ ବିଜେଡି ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରସଙ୍ଗ ଉଲ୍ଲେଖ କରିଥିଲା। ହେଲେ କେନ୍ଦ୍ର ସରକାର ଏହି ଦାବିକୁ ଅଗ୍ରାହ୍ୟ କରିଦେବା ପରେ ବିଜେଡିର ପରବର୍ତ୍ତୀ ଆଭିମୁଖ୍ୟ କ’ଣ ରହିବ ତା’ ଉପରେ ନଜର।

LEAVE A REPLY

Please enter your comment!
Please enter your name here